‘ରାଷ୍ଟ୍ର ମଞ୍ଚ ରାଜନୈତିକ ନୁହେଁ’

ଯଶବନ୍ତ ସିହ୍ନା ଆବାହକ ନିଯୁକ୍ତ,ବୈଠକରେ ଯୋଗଦେଲେ ୮ ଦଳ, ସଂଗଠନ ଏକ ବିକଳ୍ପ ବିଚାରମଞ୍ଚ

ନୂଆଦିଲ୍ଲୀ : ଅଣ-ବିଜେପି ବିରୋଧୀ ଦଳଙ୍କ ଦ୍ବାରା ଗଠିତ ‘ରାଷ୍ଟ୍ର ମଞ୍ଚ’ ବା ନ୍ୟାସନାଲ ଫୋରମ୍‌ର ବହୁଚର୍ଚ୍ଚିତ ବୈଠକ ମଙ୍ଗଳବାର ରାଜଧାନୀର ୬-ଜନପଥସ୍ଥିତ ଏନ୍‌ସିପି ନେତା ଶରଦ ପୱାରଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ମୋଟ ୮ ବିରୋଧଳ ଦଳର ନେତା ଉପସ୍ଥିତ ଥିଲେ। ଯଶବନ୍ତ ସିହ୍ନାଙ୍କୁ ମଞ୍ଚର ଆବାହକ ନିଯୁକ୍ତ କରାଯାଇଛି। ପୂର୍ବର ଚର୍ଚ୍ଚା ଅନୁସାରେ ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନ ଥିଲା ବୋଲି କହିଛନ୍ତି ଏନ୍‌ସିପି ନେତା ମାଜିଦ ମେମନ୍‌। ବୈଠକରେ ଦେଶର ସାମ୍ପ୍ରତିକ ଅର୍ଥନୈତିକ ଓ ରାଜନୈତିକ ତଥା ସାମାଜିକ ସ୍ଥିତିରେ ବିରୋଧୀ ଦଳଗୁଡ଼ିକର ଭୂମିକା ସମ୍ପର୍କରେ ଉପସ୍ଥିତ ନେତାମାନେ ଆଲୋଚନା କରିଥିଲେ ବୋଲି କହି ସେ ସମସ୍ତ କଳ୍ପନାଜଳ୍ପନାକୁ ଲଘୁକ୍ରିୟାରେ ପରିଣତ କରିଦେଇଛନ୍ତି। ପୂର୍ବରୁ ଏହି ବୈଠକ ଶରଦ ପୱାରଙ୍କ ନେତୃତ୍ବରେ ତୃତୀୟ ସାମ୍ମୁଖ୍ୟର ଭିତ୍ତି ପକାଇବ ବୋଲି ଆଲୋଚନା ହେଉଥିଲା; ଯଦିଓ ଏଭଳି ଚର୍ଚ୍ଚା ପଛରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏଭଳି ଆଲୋଚନାକୁ ଖଣ୍ଡନ କରିଥିଲେ। ପୂର୍ବ ଅନୁଭୂତିର ଦୃଷ୍ଟାନ୍ତ ରଖି ସେ ଦେଶରେ ତୃତୀୟ ମେଣ୍ଟ ସଫଳ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ବିଜେପି ବିରୋଧରେ ତୃତୀୟ ମେଣ୍ଟ ସମ୍ଭବ ନୁହେଁ ବୋଲି ସେ କହିଥିଲେ।
ଶରଦ ପୱାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪ଟାରୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ଅନୁଷ୍ଠିତ ବୈଠକରେ ତୃଣମୂଳ କଂଗ୍ରେସ ନେତା ଯଶବନ୍ତ ସିହ୍ନା, ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ସମାଜବାଦୀ ପାର୍ଟି ନେତା ଘନଶ୍ୟାମ ତିୱାରୀ, ଆମ୍‌ ଆଦମୀ ପାର୍ଟି ନେତା ସୁଶୀଲ ଗୁପ୍ତା, ସିପିଆଇ ନେତା ବିନୟ ବିଶ୍ବମ୍‌, ସିପିଆଇ(ଏମ୍‌) ନେତା ନୀଳୋତ୍ପଳ ବସୁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ କଂଗ୍ରେସର ଅଭିଷେକ ମନୁ ସିଂହଭି, କପିଳ ସିବଲ, ମନୀଷ ତିୱାରୀ, ଶତୃଘ୍ନ ସିହ୍ନା ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଯୋଗ ଦେଇ ନ ଥିଲେ। ଅପରପକ୍ଷରେ ଓମାର ଅବଦୁଲ୍ଲା କୌଣସି କାରଣରୁ ଜଲ୍‌ଦି ବୈଠକ ଛାଡ଼ି ଚାଲିଯାଇଥିଲେ। ଅଣରାଜନୈତିକ ବ୍ୟକ୍ତି ଭାବେ ଅବସରପ୍ରାପ୍ତ ବିଚାରପତି ଏ.ପି ଶାହା, ପୂର୍ବତନ ରାଷ୍ଟ୍ରଦୂତ କେ.ସି ସିଂହ ଓ ଗୀତିକାର ଜାଭେଦ ଅଖତର ଉପସ୍ଥିତ ଥିଲେ। ଯଶବନ୍ତ ସିହ୍ନା କହିଥିଲେ ଯେ ୨୦୧୮ରେ ଏକ ରାଜନୈତିକ ବିଚାର ଗୋଷ୍ଠୀ ଭାବେ ପୱାରଙ୍କ ଦ୍ବାରା ରାଷ୍ଟ୍ର ମଞ୍ଚ ଗଠିତ ହୋଇଥିଲା। ମଙ୍ଗଳବାର ଅନୁଷ୍ଠିତ ଏହାର ବୈଠକରେ ବିଭିନ୍ନ ପ୍ରସଙ୍ଗରେ‌ ​ବିଚାର କରାଯାଇଥିଲା। ସମାଜବାଦୀ ପାର୍ଟି ନେତା ଚୌଧୁରୀଙ୍କ କହିବାନୁସାରେ ଦେଶର ସ୍ଥିତି ସମ୍ପର୍କରେ ବିଚାର ବିମର୍ଶ ପାଇଁ ଏହା ଏକ ବିକଳ୍ପ ମଞ୍ଚ। ଏଠାରେ ସାଧାରଣ ନାଗରିକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ଏଠା​‌ରେ ଦରବୃଦ୍ଧି ସହିତ କୃଷକ ଓ ମଧ୍ୟବିତ୍ତଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ଦ୍ବାର ଉନ୍ମୁକ୍ତ ରହିଛି।

Comments are closed.