ରାସନ କାର୍ଡ ପାଇଁ ଅଟୋ ଚାଳକ ଓ ମାଲିକ ସଂଘର ଦାବି

ଦେବଗଡ : ଅଟୋ ଚାଳକମାନଙ୍କୁ ରାସନ କାର୍ଡ ପ୍ରଦାନ ନିମନ୍ତେ ଆଜି ବାମଣ୍ଡା ଅଟୋଚାଳକ ଓ ଅଟୋ ମାଲିକ ସଂଘ ପକ୍ଷରୁ ଜିଲା ଯୋଗାଣ ଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ଣରେ ବାମଣ୍ଡା ଅଟୋଚାଳକ ଓ ଅଟୋ ମାଲିକ ସଂଘର ସଭାପତି ସୁଧିର କୁମାର ବ୍ରହ୍ମା, ସଦସ୍ୟ ଦୟାଶଙ୍କର ଦ୍ୱିବେଦୀ, ବାଦଲ କୁମାର ବ୍ରିନେଦ,ବିଜୟ କୁମାର ଦେହୁରୀ ଓ ବିଶ୍ୱକେଶନ ପ୍ରଧାନ ପ୍ରମୁଖ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ପାଢୀଙ୍କୁ ଏ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସଂଘର ଅଭିଯୋଗ ଅନୁଯାୟୀ, କରୋନା ଭୁତାଣୂ ସଂକ୍ରମଣ ରୋକିବା ନିମନ୍ତେ ସରକାର ଲକଡାଉନ ଘୋଷଣା କରିଥିବା ପରିପ୍ରେକ୍ଷୀରେ କଟକଣାକୁ ମାନି ପଞ୍ଜିକୃତ ଅଟୋ ମାଲିକମାନେ ଅଟୋ ଚଳାଇନପାରି ଘର ବାଟରେ ଛିଡା କରି ରଖିଛନ୍ତି। ଫଳରେ ସେମାନଙ୍କୁ ଘୋର ଆର୍ଥୀକ ଶଙ୍କଟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏଥିସହ ଋଣ କରି ଅଟୋ କିଣିଥିବା ଅଟୋ ମାଲିକ/ଚାଳକମାନଙ୍କୁ ମାସିକିଆ କିସ୍ତି ଦେବାକୁ ପଡୁଥିବାରୁ ସେମାନଙ୍କର ଚୂଲି ଜଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏଣୁ ପରିସ୍ଥିତି ଅନୁଧ୍ୟାନ କରିବାସହ ରାସନ କାର୍ଡ ପାଇନଥିବା ଅଟୋ ଚାଲକମାନଙ୍କୁ କୌଣସି ମତେ ରାସନ କାର୍ଡ ପ୍ରଦାନ କରିବାକୁ ଉକ୍ତ ସ୍ମାରକପତ୍ର ଜରିଆରେ ନିବେଦନ କରାଯାଇଛି।

Comments are closed.