ଗୋଆ ଜଙ୍ଗଲରେ ଆଲୋକ ପ୍ରଦାନ କରୁଥିବା ଦୁର୍ଲ୍ଲଭ ଛତୁ ; ରାତିରେ ଚମକୁଛି ପାହାଡ଼

ଆପଣ ଭିନ୍ନ ପ୍ରକାରର ଛତୁ (ମସରୁମ) ଦେଖି ଥିବେ ଓ ଖାଇଥିବେ। ମାତ୍ର ଆଲୋକ ପ୍ରଦାନ କରୁଥିବା ଛତୁ ବିଷୟରେ ଜାଣିଛନ୍ତି କି ଶୁଣିଛନ୍ତି କି? ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଆଲୋକ ପ୍ରଦାନ କରୁଥିବା ଛତୁ ମଧ୍ୟ ଅଛି। ଏହାକୁ ବାୟୋ-ଲ୍ୟୁମାଇସେଣ୍ଟ କୁହାଯାଏ। ଗୋଆର ଜଙ୍ଗଲରେ ଏହି ଦୁର୍ଲ୍ଲଭ ଆଲୋକ ପ୍ରଦାନ କରୁଥିବା ଛତୁ ଦେଖାଯାଇଛି। ରାତିର ଅନ୍ଧାରରେ ଏହା ହାଲକା ନୀଳ-ସବୁଜ ରଙ୍ଗର ଆଲୋକରେ ଚମକୁଥିବା ଦେଖାଯାଉଛି।
ଆଲୋକ ପ୍ରଦାନ କରୁଥିବା ଏହି ଛତୁ ଗୋଆର ମାଡ଼େ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଛି। ଏହି ଅଭୟାରଣ୍ୟ ଗୋଆର ପଶ୍ଚିମ ଘାଟରେ ଅବସ୍ଥିତ। ଦିନ ସମୟରେ ଏହି ଛତୁ ସାଧାରଣ ଛତୁ ଭଳି ଦେଖାଯାଏ, ମାତ୍ର ରାତି ହେଲେ ଏଥିରେ ଆପଣା ଛାଏଁ ଆଲୋକ ବାହାରିଥାଏ।
ବନ୍ୟ ଜୀବ ବିଶେଷଜ୍ଞଙ୍କ ମତରେ ଛତୁର ଏହି ପ୍ରଜାତିକୁ ମାଇସେନା ଜେନସ୍‍ କୁହାଯାଏ ଯାହା ରାତିରେ ହାଲକା ଆଲୋକ ପ୍ରଦାନ କରିଥାଏ। ଏହି ଛତୁ ରାତିରେ ଆଲୋକ ପ୍ରଦାନ କରିବାର କାରଣ ଏଥିରେ ଥିବା ବିଜାଣୁ କୀଟଙ୍କ ଦ୍ୱାରା ଜଙ୍ଗଲରେ ଅନ୍ୟ ସ୍ଥାନରେ ବିସ୍ତରିତ ହୋଇଯାଏ ଓ ଏହି ଛତୁ ସଂଖ୍ୟା ବୃଦ୍ଧି ହେଉ।
ଆଲୋକ ପ୍ରଦାନ କରୁଥିବା ଏହି ଛତୁ ନିଜର ବଂଶ ବିସ୍ତାର ପାଇଁ କୀଟଙ୍କ ଦ୍ୱାରା ଜଙ୍ଗଲରେ ବିସ୍ତାରିତ ହୋଇ ଯାଆନ୍ତି। ଏହା ଗଛରର କିଛି ଉପରି ଭାଗ, ଭୂମିରୁ ଆବଶ୍ୟକୀୟ ଆର୍ଦ୍ରତା ନେଇ ସୃଷ୍ଟି ହୋଇଥାଆନ୍ତି। ଏହା ଏକ ପ୍ରକାର କବକ। ଆଲୋକ ପ୍ରଦାନ କରୁଥିବା ଛତୁଙ୍କର ୫୦ଟି ପ୍ରଜାତି ବିଷୟରେ ଜଣାପଡ଼ିଛି। ଗୋଆରେ ମିଳୁଥିବା ଛତୁ କେବଳ ବର୍ଷା ସମୟରେ ହିଁ ଦେଖାଯାଆନ୍ତି।
ଏହି ଛତୁମାନଙ୍କୁ ଜଙ୍ଗଲରେ ବିସ୍ତାରିତ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆର୍ଦ୍ରତାର ଆବଶ୍ୟକ ହୋଇଥାଏ। ଏହାସହ ତାପମାତ୍ରା ୨୧ ଡ଼ିଗ୍ରୀ ସେଲସିୟସ ଠାରୁ ୨୭ ଡ଼ିଗ୍ରୀ ସେଲସିୟସ ହେବା ଆବଶ୍ୟକ। ଏହାସହ ଏହି ଛତୁ ପାଇବାକୁ ହେଲେ ରାତି ସମୟରେ ହିଁ ଜଙ୍ଗଲକୁ ଯିବାକୁ ପଡ଼ିଥାଏ।
ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ରାତିରେ ଜଙ୍ଗଲରେ ବୁଲିବା ସମୟରେ ଏଭଳି ଛତୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବୈଜ୍ଞାନିକ ମାନେ ଜଙ୍ଗଲ ଯାଇ ଏହାର ଫଟୋ ଉଠାଇବା ସହ ଗବେଷଣା ଆରମ୍ଭ କରିଥିଲେ।

Comments are closed.