ଓଡିଶାରେ ଲୁଚିଛି ରାଜ୍ୟ ବାହାର ଦୁଷ୍କର୍ମକାରୀ ଶିକ୍ଷକ, ଧରାଇଦେଲେ ସିବିଆଇ କରିବ ପୁରସ୍କୃତ

ଭୁବନେଶ୍ୱର: ପେଶା ହେଲା ଶିକ୍ଷକତା, କିନ୍ତୁ ନିଶା ତାଙ୍କର ନାବାଳିକା ଛାତ୍ରୀଙ୍କୁ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ନଚେତ୍ ଦୁଷ୍କର୍ମ କରିବା। ଅନ୍ୟ ରାଜ୍ୟର ଏମିତି ଜଣେ ଶିକ୍ଷକ ଓଡିଶାରେ ଲୁଚିଥିବା ସିବିଆଇ ସନ୍ଦେହ କରୁଛି। ​‌ତେଣୁ ଏନେଇ ସତର୍କ ରହିବାକୁ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ଏଭଳି ବ୍ୟକ୍ତିଙ୍କ ବିଷୟରେ ଜଣାପଡିଲେ ତୁରନ୍ତ ସୂଚନା ଦେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି। ସୂଚନା ଦେବା ଲୋକର ପରିଚୟ ଗୋପନୀୟ ରଖାଯିବ। ଏଥିସହିତ ତାଙ୍କୁ ପୁରସ୍କୃତ ମଧ୍ୟ କରାଯିବ ବୋଲି ସିବିଆଇ ଘୋଷଣା କରିଛି।

ଅଭିଯୁକ୍ତର ନାମ ହେଲା ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। ସେ ଗୁଜୁରାଟର ସ୍ଥାୟୀ ବାସନ୍ଦା। ସେ ସ୍କୁଲରେ ଚାକିରି କରିବା ସହ ଘରୋଇ ଟ୍ୟୁସନ ମଧ୍ୟ କରନ୍ତି। ସେ ଭଲ ଇଂଲିଶ ପଢାଉ ଥିବାରୁ ଛାତ୍ରଛାତ୍ରୀ ତାଙ୍କ ନିକଟକୁ ଆସିବାକୁ ଆଗ୍ରହ ହୁଅନ୍ତି। ଏହାର ସୁଯୋଗ ନେଇ ସେ ଛାତ୍ରୀଙ୍କୁ ଟାର୍ଗେଟ କରି ପ୍ରଥମେ ନିଜ ଜାଲରେ ଫସାଇ ପରେ ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାଏ। ଯିଏ ନ ମାନିଲା ତାକୁ ଦୁଷ୍କର୍ମ କରେ। ୨୦୧୨ରେ ଗୁଜୁରାଟର ସେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। କିନ୍ତୁ କିଛି ଦିନ ଜେଲ୍‌ରେ ରହିବା ପରେ ଜାମିନରେ ଆସି ଫେରାର ହୋଇଯାଇଥିଲା।

ପରେ ୨୦୧୪ରେ ହରିୟାଣାରେ ଏଭଳି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ତନାଘନା ପରେ ଜଣାପଡିଲା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଗୁଜୁରାଟର ଇଂଲିଶ ଶିକ୍ଷକ ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। କିନ୍ତୁ ଏଥର ପୁଲିସ ତାକୁ ଧରିବାରେ ବିଫଳ ହେଲା। ଗିରଫ ହେବା ଆଗରୁ ସେ ଫେରାର ହୋଇଗଲା। ସେବେଠାରୁ ସିବିଆଇ ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ଓଡ଼ିଶା‌ରେ ସେ ଛଦ୍ମନାମରେ ଲୁଚି ରହିଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ଜଣାପଡିଲା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି।

କୌଣସି ଘରୋଇ ବିଦ୍ୟାଳୟର ବା କୋଚିଂ ସେଣ୍ଟରରେ ସେ ଇଂରାଜୀ ଶିକ୍ଷକ ଭାବରେ ରହି ନିଜର ମନ୍ଦ ଉଦ୍ୟେଶକୁ ପୂରଣ କରୁଥାଇପାରେ ବୋଲି ସିବିଆଇ ସନ୍ଦେହ କରୁଛି। ସିବିଆଇ ଠାରୁ ଚିଠି ପାଇଲା ପରେ ଗଣଶିକ୍ଷା ବିଭାଗ ସମସ୍ତ ଜିଲାର ଶିକ୍ଷାଧିକାରୀଙ୍କୁ ସତର୍କ କରାଇଛନ୍ତି। ଯଦି ଏଭଳି ଶିକ୍ଷକ ରାଜ୍ୟରେ ଥାଆନ୍ତି ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.