ବିଚାରପତିଙ୍କୁ ଯୌନଶୋଷଣ ମାମଲା ପୀଡ଼ିତାଙ୍କ ପ୍ରଶ୍ନ : ନାତି-ନାତୁଣୀ ଦେଖିଲେଣି କାହିଁକି ଅଦାଲତକୁ ଟାଣୁଛନ୍ତି ?

ଆଜମେର : ନ୍ୟାୟ ବ୍ୟବସ୍ଥାର ଏକ ଅବାଞ୍ଛିତ ଦୃଷ୍ଟାନ୍ତ ରାଜସ୍ଥାନର ଆଜମେରରୁ ମିଳିଛି। କିଶୋରାବସ୍ଥାରେ ଯେଉଁମାନେ ଗଣଧର୍ଷିତା ହୋଇଥିଲେ ସେମାନେ ଏବେ ପରିଣତ ବୟସରେ ଅଦାଲତକୁ ଦୌଡ଼ୁଛନ୍ତି। ସେମାନଙ୍କୁ ତିରିଶି ବର୍ଷ ତଳର ଘଟଣା ବର୍ଣ୍ଣନା କରିବାକୁ ପଡ଼ୁଛି। ପରିତାପର ବିଷୟ ହେଉଛି, ସମ୍ପୃକ୍ତ ମହିଳା ବିବାହ କରି ଏବେ ନାତି-ନାତୁଣୀଙ୍କ ସହିତ ରହୁଥିଲେ ବି ଅଦାଲତ ଅତି ନିର୍ଲଜ ଭାବେ ସେମାନଙ୍କୁ ଜେରା କରୁଛି। ନିକଟରେ ଏହି ଘଟଣା ସାମ୍ନାକୁ ଆସି ନ ଥାଆନ୍ତା; ଯଦି ଜଣେ ପୀଡ଼ିତା ଅଦାଲତରେ ବିଚାରପତି ଓ ଓକିଲ ତଥା ପୁଲିସଙ୍କ ପ୍ରତି କ୍ରୋଧ ପ୍ରକାଶ କରି ନ ଥାଆନ୍ତେ। ‘କାହିଁକି ଆପଣମାନେ ବାରମ୍ବାର ମୋତେ ଅଦାଲତକୁ ଡକାଉଛନ୍ତି। ତିରିଶ ବର୍ଷ ବିତିଗଲାଣି, ମୁଁ ଏବେ ନାତି-ନାତୁଣୀ ଦେଖିଲେଣି, ମୋର ପରିବାର ଅଛି, ପରିବାର ସଦସ୍ୟ କ’ଣ ଭାବୁଥିବେ ? ମୁଁ ସେମାନଙ୍କୁ କି ଉତ୍ତର ଦେବି ? ମୋତେ ଏଥିରୁ ଟିକେ ନିସ୍ତାର ଦିଅନ୍ତୁ…’ ବୋଲି ଜିଲା ଅଦାଲତରେ ସେ ଗର୍ଜନ କରି ନ ଥାଆନ୍ତେ। ତାଙ୍କ ଗର୍ଜନ ଶୁଣି ଅଦାଲତ କିଛି ସମୟ ପାଇଁ ନିରବ ନିସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ନିସ୍ତାର ମିଳି ନାହିଁ। କୈଶୋରରେ ସୃଷ୍ଟି ହୋଇଥିବା ମହିଳାଙ୍କ ମାନସିକ କ୍ଷତକୁ ଅଦାଲତ ଏବେ ସୁଦ୍ଧା ତେଜାଇ ରଖିବା ହିଁ ବିଡ଼ମ୍ବନା।
‘ଆଜମେର ଆତଙ୍କ’ ଭାବେ କୁଖ୍ୟାତ ୧୯୯୨ର ଏହି ଘଟଣା। ଧାର୍ମିକ ଓ ରାଜନୈତିକ ପ୍ରୋତ୍ସାହନ ଯୋଗୁଁ ଅଦ୍ୟାବଧି ଘଟଣା ସତେଜ ରହିଛି। ମାମଲାର ବିଚାର ଶେଷ ହେଉ ନାହିଁ। ଆଜମେର ସରିଫ ଦରଘାର ଦୁଇ ଖାଦିମ (ପୂଜକ ପରିବାର) ଫାରୁକ ଚିସ୍ତି ଓ ନାଫିସ ଚିସ୍ତିଙ୍କ ସହ କିଛି ଯୁବକ ନିୟମିତ ସ୍ଥାନୀୟ ସୋଫିଆ ସ୍କୁଲ ଓ ସାବିତ୍ରୀ ସ୍କୁଲର ଶତାଧିକ ଛାତ୍ରୀଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ଧର୍ଷଣ କରନ୍ତି। ସେମାନଙ୍କ ଫଟୋ ଉଠାଇ ଯୌନଶୋଷ କରନ୍ତି। ଏହା ସମସ୍ତେ ଜାଣିଥିଲେ ମଧ୍ୟ କିଛି କରିପାରନ୍ତି ନାହିଁ। ଏହା ଅତିଶୟ ହେବା ପରେ ପ୍ରତିବାଦର ସ୍ବର ଉଠିଲା ଓ ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଲା; ତେଣୁ କୌଣସି ପୀଡ଼ିତା ସାମ୍ନାକୁ ଆସିବା ପାଇଁ ସାହସ କଲେ ନାହିଁ। ପୁଲିସ ପୀଡ଼ିତାଙ୍କୁ ଖୋଜିଖୋଜି ଆଣି ଅଦାଲତରେ ହାଜର କରିବା ପରେ ଧମକ ପାଇଲା। ଏମିତି ଧମକ ଓ ଲୋକଲଜ୍ଜା ଦୃଷ୍ଟିରୁ କିଛି ପୀଡ଼ିତାଙ୍କର ଅପମୃତ୍ୟୁ ଘଟିଥିଲା। ଏହା ସତ୍ତ୍ବେ ସାହସ ବାନ୍ଧି କୃଷ୍ଣାବାଳା, ସୁଷମାଙ୍କ ଭଳି କେତେଜଣ ସମ୍ମୁଖକୁ ଆସିଥିଲେ; କିନ୍ତୁ କିଛି ମାସ ପରେ କୃଷ୍ଣବାଳା ଅନ୍ତର୍ଦ୍ଧାନ ହୋଇଗଲେ। ସୁଷମା ଏବେ ବି ସେ ସମୟର ଘଟଣା କହିବାକୁ ପଛାଉ ନାହାନ୍ତି। ତାଙ୍କୁ ୧୮ ବର୍ଷ ହୋଇଥିବାବେଳେ କେମିତି ୭/୮ଜଣ ବଳାତ୍କାର କରିଥିଲେ ତାହା ମନେ ପଡ଼ିଲେ ଦେହ ଶିହରି ଉଠେ; ଏବେ ଅଦାଲତକୁ ଆସୁଥିଲାବେଳେ ପିଲାମାନେ ପଚାରୁଛନ୍ତି; କିନ୍ତୁ କିଛି ଉତ୍ତର ଦେଇପାରୁ ନାହାନ୍ତି ବୋଲି ସେ କହନ୍ତି। ସେ​‌େ​‌ତବେଳେ ଏହି କାରଣରୁ ଆଜମେର ଝିଅଙ୍କୁ କେହି ବିବାହ ପାଇଁ ରାଜି ହୋଇ ନ ଥିଲେ; ତଥାପି ତାଙ୍କର ବିବାହ ହୋଇଥିଲା; କିନ୍ତୁ ସ୍ବାମୀ ପୂର୍ବ ଘଟଣା ସମ୍ପର୍କରେ ଜାଣିବା ପରେ ଛାଡ଼ି ଦେଇଥିଲେ। ଏବେ ସେ ମାନସିକ ଚିକିତ୍ସାରେ ବଞ୍ଚିଛନ୍ତି। ପରିଣତ ବୟସରେ କେମିତି ପୀଡ଼ିତାମାନଙ୍କୁ କାଠଗଡ଼ାକୁ ଅାଣିବ ସେ ନେଇ ପୁଲିସ ବି ଚିନ୍ତିତ।
ଦଲବୀର ସିଂହ ନାମକ ଜଣେ ପୁଲିସ ଅଧିକାରୀ ଏହାର ଉନ୍ମୋଚନ ପାଇଁ କରିଥିବା ଉଦ୍ୟମ ମାମଲାକୁ ଏତିକି ବାଟ ଟାଣି ଆଣିଛି। ୧୯୯୨ ସେପ୍ଟେମ୍ବରରେ ପୁଲିସ ୬ଟି ଅଭିଯୋଗପତ୍ର ଦାଖଲ କଲା। ଏଥିରେ ୧୮ ଅଭିଯୁକ୍ତଙ୍କ ନାମ ରହିଥିଲା। ଏମାନଙ୍କ ମଧ୍ୟରୁ କେତେଜଣ କୁଖ୍ୟାତ ମାଦକଦ୍ରବ୍ୟ ଚୋରାଚାଲାଣକାରୀ। ଶତାଧିକ ଧର୍ଷିତାଙ୍କ ମଧ୍ୟରୁ ପୁଲିସ ମାତ୍ର ୧୭ଜଣଙ୍କ ବୟାନ ଲିପିବଦ୍ଧ କରିବାକୁ ସକ୍ଷମ ହୋଇଥିଲା। ସେମାନଙ୍କ ମଧ୍ୟରୁ ମଧ୍ୟ କେତେଜଣ ପରେ ଇଜ୍ଜତ ଦୃଷ୍ଟିରୁ ସ୍ବର ବଦଳାଇଥିଲେ। ପରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା; କିନ୍ତୁ କେହି ନ୍ୟାୟ ପାଇ ନ ଥିଲେ। ଶେଷକୁ ଏହା ପୁଣି ଆଜମେର ପୋକ୍‌ସୋ ଅଦାଲତକୁ ଫେରିଥିଲା; ଯାହା ଅଦ୍ୟାବଧି ଚାଲୁ ରହିଛି। କିଛି ଅଭିଯୁକ୍ତ ଜେଲ୍‌ରେ ଥିବାବେଳେ ଆଉ କିଛି ବାହାରେ ବୁଲୁଛନ୍ତି। ଏବେ ମାତ୍ର ୬ ଜଣଙ୍କ ବିରୋଧରେ ମାମଲା ଚାଲିଛି; କିନ୍ତୁ ସେମାନେ ବି ବାହାରେ। ଅଭିଯୁକ୍ତମାନେ ସମୟକ୍ରମେ ବିଭିନ୍ନ ରାଜନୈତିକ ଦଳର ନେତା ହୋଇଯାଇଛନ୍ତି। ବଡ଼ ବଡ଼ ଗାଡ଼ି ଧରି ସହରରେ ବୁଲୁଛନ୍ତି। ସେମାନଙ୍କ ପ୍ରଭାବ ଓ ଛତ୍ରଛାୟା ତଳେ ଯେମିତି ବହୁଚର୍ଚ୍ଚିତ ଅପରାଧ କାହାଣୀ ଛପିଯାଇଛି।

Comments are closed.