ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ : ବିରୋଧ କରିବାରୁ ଛାତରୁ ଠେଲିଦେଲେ ହୋଟେଲ ମାଲିକ

ନୀଳଗିରି : କାମ ଅନୁସନ୍ଧାନରେ ଆସିଥିବା ଜଣେ ଯୁବତୀଙ୍କୁ ଜଣେ ହୋଟେଲ ମାଲିକ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ଧରି ଗଣବଳାତ୍କାର କରାଯିବା ଘଟଣା ସମ୍ପ୍ରତି ସାଧାରଣରେ ହଟଚମଟ ସୃଷ୍ଟି କରିଛି। ଅସହାୟର ସୁଯୋଗରେ ଯୁବତୀଙ୍କୁ ହୋଟେଲର ଏକ ରୁଦ୍ଧ କୋଠରୀରେ ରଖାଯାଇ ଜଣକ ପରେ ଜଣେ ଗଣ ବଳାତ୍କାର କରି ଚାଲିଥିଲେ। କିନ୍ତୁ ଏହି ଅନୈତିକ କାର୍ଯ୍ୟକୁ ବିରୋଧ କରିବାରୁ ସମ୍ପୃକ୍ତା ଯୁବତୀଙ୍କୁ ଅତି ଅମାନୁଷିକଭାବେ ଦୁଇ ମହଲା କୋଠାରୁ ଠେଲିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ।
ସୂଚନା ଅନୁସାରେ, କଟକ ଜିଲା ବାଙ୍କି ଥାନା ଅଧୀନ ଭୋଇସାହି ଅଞ୍ଚଳର ଜଣେ ଯୁବତୀ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ସହ କାମଧନ୍ଦା ସନ୍ଧାନରେ ଘରୁ ବାହାରି ଆସିଥିଲେ। ସମ୍ପର୍କୀୟ ଭଉଣୀ ଜଣକ ଲୁଗା କାମରେ ନିୟୋଜିତ କରାଇଦେବା ପାଇଁ କହି ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱରରେ ଥିବା ଏକ ହୋଟେଲକୁ ନେଇ ଆସିଥିଲେ। ଗତ ମାର୍ଚ୍ଚ ୨୦ ତାରିଖରୁ ଦୁଇ ଭଉଣୀ ଘରୁ ବାହାରି ଆସିଥିଲେ ହେଁ ସେମାନଙ୍କ ଫୋନ ନ ଲାଗିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ ହେଁ ସେମାନଙ୍କର କୌଣସି ଖୋଜ ଖବର ମିଳିପାରିନଥିଲା। ପରେ ୪ରୁ୫ଦିନ ପୂର୍ବରୁ କଟକ ବଡ଼ ମେଡିକାଲରେ ଦୁଇଗୋଡ଼ ହରାଇ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସାଧୀନଥିବା ଯୁବତୀଙ୍କ ଛାତିଥରା କଥା ଶୁଣି ପରିବାର ଲୋକେ ତଟସ୍ଥ ହୋଇ ଉଠିଥିଲେ। ଉକ୍ତ ହୋଟେଲରେ କାମ ପାଇଁ ସାଙ୍ଗରେ ଆସିଥିବା ସମ୍ପର୍କୀୟ ଭଉଣୀ ତାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ହୋଟେଲ ମାଲିକ ପପୁ ଏବଂ ତାଙ୍କ ସହଯୋଗୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପୀଡିତାଙ୍କୁ ବାଧ୍ୟ କରିଥିଲେ। ଯୁବତୀ ଜଣକ ଉକ୍ତ କାର୍ଯ୍ୟରେ ଲିପ୍ତ ନରହିବାକୁ ଯେତେ ଗୋଡ଼ ହାତ ଧରିଥିଲେ ହେଁ କାମାନ୍ଧମାନେ ତାଙ୍କର କୌଣସି ଗୁହାରି ଶୁଣିନଥିଲେ। ଜଣକ ପରେ ଜଣେ ଦୀର୍ଘ ୨ମାସ ଧରି ସମ୍ପୃକ୍ତା ଯୁବତୀଙ୍କୁ ବଳାତ୍କାର କରି ଚାଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୁକ୍ତ ହୋଟେଲ ମାଲିକ ଏବଂ ସହଯୋଗୀଙ୍କ କବଳରୁ ବଞ୍ଚିବା ପାଇଁ ଯୁବତୀ ଜଣକ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ଦେଖି ସମ୍ପୃକ୍ତ ହୋଟେଲ ମାଲିକ, ସମ୍ପର୍କୀୟ ଭଉଣୀ ଓ ସହଯୋଗୀମାନେ ତାଙ୍କୁ ଦୁଇ ମହଲା କୋଠା ଉପରୁ ତଳକୁ ଠେଲି ଦେଇଥିଲେ। ଫଳରେ ଯୁବତୀ ଜଣକ ଦୁଇଗୋଡ଼ ହରାଇଥିବା ଜଣାପଡିଛି। ସଂଜ୍ଞାହୀନ ଅବସ୍ଥାରେ ହୋଟେଲ ମାଲିକ ଏବଂ ତାଙ୍କ ସହଯୋଗୀ ପ୍ରଥମେ ନୀଳଗିରି, ପରେ ବାଲେଶ୍ୱର ଓ କଟକ ଏସସିବିରେ ଭର୍ତ୍ତି କରି ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଏଭଳି ବର୍ବରକାଣ୍ଡ ସମ୍ପର୍କରେ ଖବର ପାଇ ଏକ ସ୍ୱେଛାସେବୀ ସଂଗଠନ ଜରିଆରେ ପୀଡ଼ିତାଙ୍କ ପରିବାର କଟକ ଜିଲା ବାଙ୍କି ଥାନାରେ ଅଭିଯୋଗ କରିଛନ୍ତି। ସେଠାକାର ପୁଲିସ ୨/୩ଦିନ ହେବ ନୀଳଗିରି ପୁଲିସ ସହଯୋଗରେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି।

Comments are closed.