ବଳାତ୍କାରୀଙ୍କୁ ଖସାଇ ଦେବାକୁ ପୁଲିସ୍‍ର ଉଦ୍ୟମ ଅଭିଯୋଗ, ପୀଡିତା ପରିବାର ଏସପିଙ୍କ ଦ୍ୱାରସ୍ତ

ଫୁଲବାଣୀ : ପ୍ରକୃତ ବଳାତ୍କାରୀମାନଙ୍କୁ ଗିରଫ କରିବା ବଦଳରେ ଅନ୍ୟମାନଙ୍କୁ ଗିରଫ କରି ଅଭିଯୁକ୍ତମାନଙ୍କୁ ଖସାଇ ଦେବାର ଉଦ୍ୟମ କରୁଥିବା ନେଇ ପୁଲିସ୍‍ ବିରୋଧରେ ସଙ୍ଗିନ୍‍ ଅଭିଯୋଗ ହୋଇଛି। ଏନେଇ ବଳାତ୍କାରର ଶିକାର ହୋଇଥିବା ପୀଡିତାଙ୍କ ପରିବାର ଆଜି ଏସପିଙ୍କ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଦାରିଙ୍ଗିବାଡି ଥାନା ସିଅଙ୍ଗାବାଲି ପଂଚାୟତ ଅନ୍ତର୍ଗତ ପଂଚୁପାଲି ଗ୍ରାମର ଜଣେ ଯୁବତୀ ଗତ ୧୨ ତାରିଖରେ ଜମିରେ ଧାନ କାଟିବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ବଳାତ୍କାର କରିଥିଲେ। ଏନେଇ ଯୁବତୀ ପରିବାର ଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ପିତା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ। ବାରମ୍ବାର ଅନୁରୋଧ ପରେ ମଧ୍ୟ ଥାନାଧିକାରୀ ମାମଲା ରୁଜୁ ନକରିବାରୁ ପରିବାର ଲୋକେ ଏସପିଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ପରେ ପୁଲିସ୍‍ ୧୫ ତାରିଖରେ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ନେଇଥିଲେ ଏବଂ କିଛି ଜଣଙ୍କୁ ଟିଆଇ ପ୍ୟାରେଡ କରାଇଥିଲେ। ପୀଡିତା ସେମାନଙ୍କ ମଧ୍ୟରୁ ଭ୍ରମରବାଡି ପଂଚାୟତ ଅନ୍ତର୍ଗତ ଡଲାବାଡିର ଭକ୍ତ ପ୍ରଧାନ ଓ ଶାସିଗାଡା ଗ୍ରାମର ସୁଦର୍ଶନ ପ୍ରଧାନଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲେ। ହେଲେ ପୁଲିସ୍‍ ସେହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଅନ୍ୟ ଦୁଇ ଜଣ ରାଇକିଆ ଥାନା ଅନ୍ତର୍ଗତ କରଡା ପଂଚାୟତ ଡକରାବାଡି ଗ୍ରାମର ସଦାଶିବ ପ୍ରଧାନ ଓ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିଆଙ୍ଗବାଲି ପଂଚାୟତର ମାର୍ଦିପ ଗ୍ରାମର ସୁନିତ୍‍ ପ୍ରଧାନଙ୍କୁ ଗିରଫ କରିଛି। ପୁଲିସ୍‍ ଜାଣି ଶୁଣି ଅନ୍ୟ ୨ ଜଣଙ୍କୁ ଗିରଫ କରି ପ୍ରକୃତ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ପ୍ରୟାସ କରୁଥିବା ପରିବାର ଲୋକେ ଅଭିଯୋଗ କରି ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏସପିଙ୍କୁ ଅନୁରୋଧ କରିଛନ୍ତି। ଏସପିଙ୍କ ଅନୁପସ୍ଥିତିରେ ପୀଡିତା ଓ ପରିବାର ଲୋକେ ଏସପି କାର୍ଯ୍ୟାଳୟର ମହିଳା ସେଲ୍‌ଫରେ ଅଭିଯୋଗ ଦେଇଛନ୍ତି। ମହିଳା ସେଲ୍‌ଫ ଅଧିକାରୀ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିବା ପୀଡିତାଙ୍କ ପିତା ପ୍ରକାଶ କରିଛନ୍ତି।

Comments are closed.