କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ

0

ରାଉରକେଲା : ରାଉରକେଲାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ରେଲୱେ ପୁଲିସ ଏକ ମାମଲା ରୁଜୁ କରିଛି। ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ​‌ ଭର୍ତ୍ତି କରାଯାଇଛି। ଛାତ୍ରୀ ଜଣଙ୍କୁ କିଛି ଛାତ୍ର ଅପହରଣ କରି ନେଇ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗଣବଳାତ୍କାର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ଘର ଝାରସୁଗୁଡା ଜିଲାରେ ବୋଲି ଜଣାପଡିଛି। ଗତ ଡିସେମ୍ବର ୩୦ତାରିଖ ଦିନ ହଷ୍ଟେଲରୁ ଘର ଝାରସୁଗୁଡା ଯିବା ପାଇଁ ରାଉରକେଲା ସେଷ୍ଟନରେ ପହଞ୍ଚିଥିଲେ। ଷ୍ଟେସନରେ ଜଣେ ଯୁବକ ତାଙ୍କୁ ଭାଇର ସାଙ୍ଗ ବୋଲି ପରିଚୟ ଦେଇଥିଲେ। ପରେ ତାଙ୍କ ସହ ମିଶି ଝାରସୁଗୁଡା ଯିବା କହି ଅନ୍ୟ ଏକ ଟ୍ରେନରେ ଝାଡଖଣ୍ଡ ନେଇଯାଇଥିଲା। କିନ୍ତୁ ଟ୍ରେନ୍‌ଟି ଅଲଗା ରୁଟ୍‌ରେ ଯିବାରୁ ଛାତ୍ରୀ ଟିକେ ସନ୍ଦେହ ପ୍ରକାଶ କରିଥିଲେ। ମାତ୍ର ଟ୍ରେନ୍‌ ବୁଲିକି ଆସିବ କହି ଉକ୍ତ ଯୁବକ ତାଙ୍କୁ ବୁଝାଇ ଦେଇଥିଲେ। ଏହା ପରେ ଟ୍ରେନ୍‌ ଝାଡଖଣ୍ଡର ଲୋଟାପାହାଡ ଷ୍ଟେସନ୍‌ରେ ଅଟକିଥିଲା । ସେଠାରୁ ବସ୍‌ରେ ଯୁବକ ଜଣକ ତାଙ୍କୁ ଏକ ଘରକୁ ନେଇଯାଇଥିଲା । ସେଠାରେ ଅନ୍ୟ ୫ଜଣ ଯୁବକ ଉକ୍ତ ଛାତ୍ରୀଙ୍କୁ ୨ଦିନ ଧରି ଅତି ଅମାନୁଷିକ ଭାବେ ଗଣବଳାତ୍କାର କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି ।

ଅନ୍ୟପଟରେ ଛାତ୍ରୀ ଜଣଙ୍କ କାହାକୁ କିଛି ନ ଜଣାଇ ପଳାଇ ଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ରାଉରକେଲା ସେକ୍ଟର-୩ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପରେ ଛାତ୍ରୀ ଜଣକ ତାଙ୍କର ସାଙ୍ଗ ସହ ଝାଡଖଣ୍ଡ ଯାଇଛନ୍ତି ବୋଲି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ଥାନାରୁ ନିଖୋଜ ଅଭିଯୋଗ ହଟାଇ ଦେଇଥିଲେ । କୌଣସିମତେ ଛାତ୍ରୀ ଜଣଙ୍କ ସେଠାରୁ ଖସି ଆସି ରାଉକେଲାରେ ପହଞ୍ଚିବା ପରେ ସମସ୍ତ ଘଟଣା ବିଷୟରେ ଜଣାପଡିଥିଲା। ତାଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆରଜିଏଚ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

Leave A Reply