ଦାରିଂବାଡ଼ି: କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଥାନାରେ ଅଟକ

ଫୁଲବାଣୀ: କନ୍ଧମାଳ ଜିଲାର ଦାରିଂବାଡ଼ି ଅଞ୍ଚଳର ଏକ କ୍ବାରେଣ୍ଟାଇନ୍ ସେଣ୍ଟରରେ ‘ସଙ୍ଗରୋଧ’ରେ ଥିବା ଜଣେ ଯୁବତୀଙ୍କୁ ସେଠାରେ ରହିଥିବା ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା  ଅଭିଯୋଗ ହୋଇଛି । ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିଛି ।

ଦାରିଂବାଡ଼ି ଅଞ୍ଚଳର ଡ଼. ବି.ଆର୍.ଆମ୍ବେଦକର କଲେଜ ଛାତ୍ରାବାସରେ ପ୍ରବାସୀଙ୍କ ନିମନ୍ତେ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ଏଠାରେ ତାମିଲନାଡୁ, ବେଙ୍ଗାଲୁରୁ, ମହାରାଷ୍ଟ୍ର ଇତ୍ୟାଦି ସ୍ଥାନରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ‘ସଙ୍ଗରୋଧ’ରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୯ ଜଣ ଯୁବକ, ଜଣେ ୫ ବର୍ଷର ଶିଶୁ ଏବଂ ୯ ଜଣ ଯୁବତୀ ରହିଛନ୍ତି । ଅଧିକାଂଶ ଲୋକଙ୍କ ଘର ନିକଟବର୍ତୀ ଅଞ୍ଚଳରେ ।

ଅଭିଯୋଗ ଅନୁସାରେ ଏଠାରେ ସଙ୍ଗରୋଧରେ ରହିଥିବା ଜଣେ ଯୁବତୀ ଶୌଚ ହେବାକୁ ଯାଇଥିବାବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମାତ୍ର କୌଣସି ପ୍ରକାରେ ଯୁବତୀ ନିଜକୁ ସୁରକ୍ଷିତ ରଖି ସେଠାରୁ ଦୌଡ଼ି ପଳାଇ ଆସି ଅନ୍ୟମାନଙ୍କୁ କହିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ସମ୍ପୃକ୍ତ ଯୁବକକୁ ଥାନାକୁ ଆଣିଛି । ତା ଘର ବ୍ରାହ୍ମଣୀଗାଁ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Comments are closed.