ବଳାତ୍କାରକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଶୋଭାଯାତ୍ରା

0

ନୂଆଦିଲ୍ଲୀ : କଠୁଆ ଏବଂ ଉନ୍ନାଓ ମାମଲାକୁ ନେଇ ଦେଶ ତମାମ ପ୍ରତିକ୍ରିୟା ଥମି ନାହିଁ। ରବିବାର ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ଲକ୍ଷ୍ନୌ, ଗୋଆ, ତିରୁବନ୍ତପୁରମ ଭଳି ଦେଶର ପ୍ରମୁଖ ମହାନଗରୀମାନକରେ ପ୍ରବଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଛାତ୍ର ଓ ଯୁବ ସମାଜଠାରୁ ଆରମ୍ଭକରି ବିଭିନ୍ନ ବର୍ଗର ଜନତା ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀର ସଂସଦ ଭବନ ରାସ୍ତାରେ ଛାତ୍ରଛାତ୍ରୀ ‘ନଟ୍‌ ଇନ୍‌ ମାଇଁ ନେମ୍‌’ ଅଭିଯାନ ନାମରେ ଦେଶରେ ବାଳିକାଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଦାବି କରାଯାଇଛି। ମୁମ୍ବଇରେ ଅନୁଷ୍ଠିତ ଶୋଭାଯାତ୍ରାରେ ବଲିଉଡ ବ୍ୟକ୍ତିତ୍ୱ ଅମୀର ଖାଁ, ତାଙ୍କ ପତ୍ନୀ କିରଣ ରାଓ, ଗାୟକ ବିଶାଲ ଦାଦଲାନି, ନିର୍ମାତା ସାବା ଦିୱାନଙ୍କ ସହ ସାମାଜିକ କର୍ମୀ ତଥା ପୂର୍ବତନ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କୁଳପତି ରୂପରେଖା ବର୍ମା, ଦୀପକ କବିର, ଅବସରପ୍ରାପ୍ତ ପ୍ରଶାସକ ଅମିତାଭ ପାଣ୍ଡେ, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପ୍ରମୁଖ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିକ୍ଷୋଭକାରୀମାନେ ଦେଶରେ କ୍ରମବର୍ଦ୍ଧିଷ୍ଣୁ ବଳାତ୍କାର ଓ ହତ୍ୟା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି। କଠୁଆ ଓ ଉନ୍ନାଓ ମାମଲାରେ ଶାସକ ଦଳ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇଥିବାରୁ ସେମାନେ ବିଭିନ୍ନ ପ୍ଲାକାର୍ଡ ଓ ପୋଷ୍ଟର ମାଧ୍ୟମରେ ଏହାର ନିନ୍ଦା କରିଛନ୍ତି। ଦେଶରେ ବଳାତ୍କାର ମାମଲା ସରକାରୀ ତଥ୍ୟ ଅନୁସାରେ ୨୦୧୨ରେ ୨୫ହଜାର ଥିଲାବେଳେ ୨୦୧୬ରେ ଏହା ୪୦ହଜାରକୁ ପହଞ୍ଚିଛି; ତେଣୁ ଦେଶକୁ ବଳାତ୍କାରମୁକ୍ତ କରିବା ପାଇଁ ସମୟ ଆସିଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

Leave A Reply