୨୨ଦିନ ଧରି ନାବାଳିକାଙ୍କୁ ବଳାତ୍କାର; ଅପହରଣ କରି ଫାର୍ମରେ ରଖିଥିଲେ ୨ ଯୁବକ

କଟକ : ଗତିରାଉତ ପାଟଣା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୨ଜଣ ଯୁବକ ଏକ ଘରେ ବନ୍ଦ ରଖି ୨୨ଦିନ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଟି କୌଶଳରେ ଖସି ଆସି ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବସିଥିବା​ବେଳେ ପୁଲିସ ସନ୍ଦେହରେ ପଚରାଉଚରା କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ପୁଲିସ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ମନ୍ଦାକିନୀ ଜେମାଙ୍କ ନିକଟରେ ନାବାଳିକାଙ୍କୁ ହାଜର କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି। ଏ ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ବଳାତ୍କାର ଶିକାର ହୋଇଥିବା ନାବାଳିକାଙ୍କ ଘର ଜଗତସିଂପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରଙ୍କେଇ ଗ୍ରାମରେ। ଏକ ମାସ ତଳେ ସେ ପ୍ରଫେସରପଡ଼ାରେ ରହୁଥିବା ବଡ଼ ଭଉଣୀଙ୍କ ଘରକୁ ଆସିଥିଲେ। ବଡ଼ଭଉଣୀ ଓ ଭିଣୋଇଙ୍କ ଭିତରେ ଝଗଡା ହେବାରୁ ଘରକୁ ଚାଲିଯିବାକୁ ବଡ଼ଭଉଣୀ ଉକ୍ତ ନାବାଳିକାଙ୍କୁ କହିଥିଲେ। ଘରକୁ ଯିବା ପାଇଁ ସେ ଓଏମପି ଛକରେ ବସ୍‍କୁ ଅପେକ୍ଷା କରିଥିଲେ। ଟିକି ଓରଫ ସନ୍ତୋଷ କୁମାର ବେହେରା ସେଠାକୁ ଆସି ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାଦାମବାଡ଼ିରେ ବସରେ ବସାଇ ଦେବେ କହି ଗାଡିରେ ବସାଇ ନେଇ ଯାଇଥିଲେ। ସେଠାରେ ବସରେ ନ ବସାଇ ଘରେ ନେଇ ଛାଡ଼ିଦେବେ କହି ସନ୍ତୋଷ ନାବାଳିକାଙ୍କୁ ନେଇ ବାଇକରେ ଜଗତସିଂପୁର ଅଭିମୁଖେ ବାହାରିଥିଲେ। ବଳପୂର୍ବକ ଗତିରାଉତପାଟଣାର ଏକ ଚିକେନ୍‍ ସେଣ୍ଟରକୁ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେଠାରେ ସନ୍ତୋଷ ଓ ତାଙ୍କ ବନ୍ଧୁ ନାବାଳିକାଙ୍କୁ ଅଟକ ରଖି ୨୨ଦିନ ଧରି ବଳାତ୍କାର କରିବା ସହିତ ଭିଡ଼ିଓ ରେକର୍ଡିଂ କରିଥିଲେ।
ସୋମବାର ନାବାଳିକା ସେଠାରୁ ଖସି ଆସି ଗତିରାଉତପାଟଣା ହନୁମାନ ମନ୍ଦିର ନିକଟରେ ବସିଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାରୁ ଚାଉଳିଆଗଞ୍ଜ ଥାନାଧିକାରୀ ତାପସ ପ୍ରଧାନ ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

Comments are closed.