ଚାକିରି ପ୍ରଲୋଭନ ଦେଖାଇ ଯୌନ ଶୋଷଣ; ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ଏହାପରେ ଠକିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲାର ଉଦଳା ଅଞ୍ଚଳରେ ଏବଂ ବାରିପଦା ଟାଉନ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ନାମ ସତ୍ୟେନ୍ଦୁ ଜେନା ବୋଲି ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ ଉଦଳା ନିକଟସ୍ଥ ଦୁଗ୍ଧା ଗ୍ରାମର ସତ୍ୟେନ୍ଦୁ ଜେନାଙ୍କ ସହ କୌଣସି ସମୟରେ ପୀଡ଼ିତାଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ସତ୍ୟେନ୍ଦୁ ପୀଡ଼ିତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ପାରିଥିଲା । ଯୁବତୀଜଣକ ଚାକିରି ଖୋଜୁଥିବା ଜାଣି ସତ୍ୟେନ୍ଦୁ ତାଙ୍କୁ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ସମ୍ପୃକ୍ତ ଯୁବତୀଙ୍କୁ ସାଥୀରେ ଧରି ପୁରୀ ଯାଇଥିଲା ଓ ଏକ ହୋଟେଲରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । କେବଳ ସେତିକି ନୁହେଁ, ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ମଧ୍ୟ ସେ ଭିଡ଼ିଓ କରି ନେଇଥିଲା । ଏ ସମ୍ପର୍କରେ କାହାକୁ ଜଣାଇଲେ ଭିଡ଼ିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା ।

ଏ ସମ୍ପର୍କରେ ସଂପୃକ୍ତ ଯୁବତୀ ଗୁରୁବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସତ୍ୟେନ୍ଦୁକୁ ଗିରଫ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ଡ଼ାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Comments are closed.