କ୍ଷତିପୂରଣ ଦେଇ ଖସିବାକୁ ଚେଷ୍ଟା କରୁଥିବା ନାବାଳିକାର ବଳାତ୍କାରୀ ଗିରଫ

0

ହାଇଦ୍ରାବାଦ: ନାବାଳିକାଙ୍କ ବଳାତ୍କାର ଘଟଣା ରୋକିବା ଉଦ୍ଦେଶ୍ୟରେ ଏଭଳି ଧର୍ତ୍ତବ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାର ପ୍ରାବଧାନ ରହିଛି; କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଯୋଗୁ ସମାଜରୁ ଏହି ଅପରାଧର ମୂଳୋତ୍ପାଟନ ସମ୍ଭବ ମନେ ହେଉନାହିଁ। ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭବତୀ କରାଇବା ଭଳି ଏକ ଜଘନ୍ୟ ଅପରାଧକୁ ଚପାଇ ଦେବାର ଉଦ୍ୟମ କରି ତେଲେଙ୍ଗାନାସ୍ଥିତ ଏକ ଗ୍ରାମର ୫ ଜଣ ଲୋକ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ପୋକ୍‍ସୋ ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ଭେଙ୍କଟୈୟା ମହବୁବନଗର ଜିଲା ଅନ୍ତର୍ଗତ ନାରାୟଣପେଟ୍‍ ଗ୍ରାମର ଜଣେ ଚାଷୀ। ୧୭ ବର୍ଷ ବୟସ୍କା ପୀଡ଼ିତା ମାତାପିତାଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ତାଙ୍କ କ୍ଷେତରେ କାମ କରନ୍ତି। ବିବାହ ପ୍ରଲୋଭନ ଦେଇ ଭେଙ୍କଟୈୟା ନାବାଳିକାଙ୍କୁ ବଳାତ୍କାର କରିଥିଲା। ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣାପଡିବା ପରେ କିଛି ଗ୍ରାମବାସୀ ମଧ୍ୟସ୍ଥତା କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ।  ଏ ନେଇ ଅଗଷ୍ଟ ୧ ତାରିଖରେ ସେମାନେ ଏକ ବୈଠକ ଡକାଇଥିଲେ। ସେଠାରେ ପୀଡ଼ିତାଙ୍କୁ ଭେଙ୍କଟୈୟା ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ବୋଲି ସ୍ଥିର ହୋଇଥିଲା। ଘଟଣାକୁ ଚପାଇବା ନେଇ ପୀଡ଼ିତାଙ୍କ ପରିବାର ଲୋକଙ୍କଠାରୁ ଲିଖିତ ରାଜିନାମା ନିଆଯାଇଥିଲା; କିନ୍ତୁ ସ୍ଥାନୀୟ ପୁଲିସ କୌଣସି ସୂତ୍ରରୁ ଏ ବିଷୟରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଭେଙ୍କଟୈୟା ସମେତ ୫ ଜଣଙ୍କୁ ଗିରଫ କରିଥିଲା।

Leave A Reply