କଂଗ୍ରେସ ଭବନ ଗଣ୍ଡଗୋଳ ତଦନ୍ତ କରିବ ରଞ୍ଜୀବ ବିଶ୍ବାଳ କମିଟି

କମିଟିରେ ରଞ୍ଜୀବ ଅଧ୍ୟକ୍ଷ; ମାନସ ଚୌଧୁରୀ, ବିଶ୍ୱରଞ୍ଜନ ଦାସ ଓ ସଂଗ୍ରାମ ଜେନା ସଦସ୍ୟ

ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ତାଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାର ଘଟିଥିବା ଗଣ୍ଡଗୋଳର ତଦନ୍ତ କରିବ ରଞ୍ଜିବ ବିଶ୍ବାଳ କମିଟି । ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ମାନସ ଚୌଧୁରୀ, ବିଶ୍ୱରଞ୍ଜନ ଦାସ ଓ ସଂଗ୍ରାମ ଜେନା କମିଟିରେ ସଦସ୍ୟ ଅଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କମିଟି ୪ଦିନ ମଧ୍ୟରେ ରିପୋର୍ଟ ଦେବ ।

ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା ଆଜି କଂଗ୍ରେସ ଭବନକୁ ଦାୟିତ୍ବ ନେବାକୁ ଆସିବାବେଳେ ଅନ୍ୟ ଏକ ଗୋଷ୍ଠୀ ତାହାକୁ ବିରୋଧ କରିଥିଲେ ଓ ଫାଟକରେ ତାଲା ପକାଇ ଦେଇଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗଣ୍ଡଗୋଳରେ ସମ୍ପୃକ୍ତ ଯୁବ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହା ସହ  ଯଦି ସମସ୍ତଙ୍କୁ ବସାଇ ଯୁବ କଂଗ୍ରେସ ସଭାପତି ଚୟନ ନିଷ୍ପତ୍ତି ହୋଇଥାନ୍ତା ତା’ହେଲେ ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ନିରଞ୍ଜନ ମତ ଦେଇଛନ୍ତି।

Comments are closed.