ରଣଜୀ: ସହଜ ଗ୍ରୁପ୍‍; ଉତ୍ସାହିତ ଓଡ଼ିଶା ଦଳ

0

କଟକ : ନଭେମ୍ବର ୧ରୁ ଓଡ଼ିଶାର ସିନିୟର କ୍ରିକେଟ ଦଳ ଦେଶର ପ୍ରମୁଖ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଗତବର୍ଷ ପରି ଏଥର ମଧ୍ୟ ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ତେବେ ଫରକ ଏହା ଯେ ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ସହଜ ଗ୍ରୁପ୍‍ ମିଳିଛି। ଗତବର୍ଷ ତୁଳନାରେ ଓଡ଼ିଶାର ପ୍ରତିପକ୍ଷମାନେ ସେପରି ଶକ୍ତିଶାଳୀ ନୁହନ୍ତି। ତଥାପି କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ। ତେଣୁ ଫଳାଫଳ ନେଇ ଭବିଷ୍ୟବାଣୀ କରିବା ସହଜ ନୁହେଁ। ତଥାପି ଗତବର୍ଷର ପ୍ରଦର୍ଶନକୁ ଦେଖି କହିହେବ ଯେ ଏହି ଗ୍ରୁପ୍‍ରୁ ନକ୍‍ଆଉଟ ଖେଳିବା ଓଡ଼ିଶା ପାଇଁ ସେପରି ସହଜ ହେବନାହିଁ। ୨୦୧୬-୧୭ ସିଜିନ୍‍ ପରି ପ୍ରଦର୍ଶନ କଲେ ଓଡ଼ିଶା ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିପାରିବ। ତେବେ ଚଳିତବର୍ଷ ସହଜ ଗ୍ରୁପ୍‍କୁ ନେଇ ଓଡ଼ିଶା ଦଳ ଉତ୍ସାହିତ।
ରଣଜୀ ଟ୍ରଫିର ଚଳିତ ସିଜିନ୍‍ର ପ୍ରଥମ ୨ଟି ମ୍ୟାଚ୍‍ (ନଭେମ୍ବର ୧ରୁ ୪; ୧୨ରୁ ୧୫) ଓଡ଼ିଶା ଘରୋଇ ପଡ଼ିଆରେ ଖେଳିବ; ତାହା ପୁଣି ଗୋଟିଏ ଗ୍ରାଉଣ୍ଡରେ। ଭୁବନେଶ୍ୱରର କିଟ୍‍ ଗ୍ରାଉଣ୍ଡରେ ହରିୟାଣା ଓ ଉତ୍ତର ପ୍ରଦେଶ ବିପକ୍ଷରେ ଓଡ଼ିଶା ଏହି ୨ଟି ମ୍ୟାଚ୍‍ ଖେଳିବ। ଏହି ୨ଟି ମ୍ୟାଚ୍‍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ (ଓସିଏ) ଦଳ ଘୋଷଣା କରିସାରିଛି। ଚଳିତ ସିଜିନ୍‍ରେ ପୁଣି ନେତୃତ୍ୱର ଭାର ପଡ଼ିଛି ବରିଷ୍ଠ ଅଲ୍‍ରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କ ଉପରେ। ଦଳରେ ୩ ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବାମହାତି ସ୍ପିନର ପପ୍ପୁ ରାୟ, ବ୍ୟାଟିଂ ଅଲ୍‍ରାଉଣ୍ଡର ଅଭିଷେକ ରାଉତ ଓ ପେସ୍‍ ବୋଲର ରାଜେଶ ମହାନ୍ତି। ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିବା ଯୋଗୁଁ ପପ୍ପୁ ପୁରସ୍କୃତ ହୋଇଛନ୍ତି। ପୁଣି ଦେଓଧର ଟ୍ରଫି ପାଇଁ ଭାରତ ‘ସି’ ଦଳରେ ପପ୍ପୁ ସ୍ଥାନ ପାଇଛନ୍ତି। ପୁଣି ନିକଟରେ ୧୯ ବର୍ଷରୁ କମ୍‍ ଏସିଆ କପ୍‍ରେ ଭାରତୀୟ ଦଳରେ ଥିବା ପେସ୍‍ ବୋଲର ରାଜେଶ ମହାନ୍ତି ସିନିିୟର ଦଳ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି। ରାଜସ୍ଥାନ ରୟାଲ୍‍ସ ପାଇଁ ଆଇପିଏଲ୍‍ ଖେଳିଥିବା ତଥା ମହାରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳିଥିବା ଅଭିଷେକ ରାଉତ ୨ଟି ସିଜିନ୍‍ ଓଡ଼ିଶା ଲାଗି ବିଜୟ ହଜାରେ ଟ୍ରଫି ଖେଳିବା ପରେ ରଣଜୀ ଦଳରେ ସ୍ଥାନ ପାଇଛନ୍ତି। ଦଳର ବ୍ୟାଟିଂ ମୁଖ୍ୟତଃ ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି ଓ ଅନୁରାଗ ଷଡ଼ଙ୍ଗୀଙ୍କ ଉପରେ ନିର୍ଭରଶୀଳ। ୩ ଯୁବ ବ୍ୟାଟ୍‍ସମ୍ୟାନ୍‍ ସନ୍ଦୀପ ପଟ୍ଟନାୟକ, ରଣଜିତ ସିଂହ ଓ ଶାନ୍ତନୁ ମିଶ୍ରଙ୍କଠାରୁ ଦଳ ଭଲ ପ୍ରଦର୍ଶନର ଆଶାରଖିଛି। ଗତବର୍ଷ ଶୁଭ୍ରାଂଶୁ ୪ ଶହରୁ ଅଧିକ, ଗୋବିନ୍ଦ ଓ ବିପ୍ଳବ ୩ ଶହରୁ ଅଧିକ ଏବଂ ରାଜେଶ ଧୁପର ଓ ଶାନ୍ତନୁ ୨ ଶହରୁ ଅଧିକ ରନ୍‍ କରିଥିଲେ। ତେବେ ପ୍ରଥମ ୨ଟି ମ୍ୟାଚ୍‍ ପାଇଁ ଧୁପର ଦଳରେ ସ୍ଥାନ ପାଇନାହାନ୍ତି। ଗତବର୍ଷ ବୋଲର ଦଳକୁ ନିରାଶ କରିଥିବା ବେଳେ ଏଥର ସେମାନଙ୍କଠାରୁ ଉନ୍ନତ ପ୍ରଦର୍ଶନର ଆଶାରଖିଛି ଓଡ଼ିଶା। ଗତବର୍ଷ ସୂର୍ଯ୍ୟକାନ୍ତ ପ୍ରଧାନ ୧୪ଟି, ବସନ୍ତ ମହାନ୍ତି ୧୨ଟି ଓ ଗୋବିନ୍ଦ ପୋଦ୍ଦାର ୧୧ଟି ୱିକେଟ ନେଇଥିଲେ।
ଗତବର୍ଷ ଓଡ଼ିଶା ୭ଟି ଦଳ ଥିବା ଗ୍ରୁପ୍‍ରେ ୪ଟି ଡ୍ର ଓ ୨ଟି ପରାଜୟ ସହ ୬ଟି ମ୍ୟାଚ୍‍ରୁ ମୋଟ ୬ ପଏଣ୍ଟ ପାଇ ୬ଷ୍ଠ ସ୍ଥାନରେ ରହିଥିଲା। ଏଥର ଓଡ଼ିଶା ଥିବା ଗ୍ରୁପ୍‍ରେ ୧୦ଟି ଦଳ ରହିଛନ୍ତି। ଓଡ଼ିଶାକୁ ଛାଡ଼ି ଅନ୍ୟ ୯ଟି ଦଳ ହେଲେ ହରିୟାଣା, ଉତ୍ତର ପ୍ରଦେଶ, ଆସାମ, ତ୍ରିପୁରା, ଝାଡ଼ଖଣ୍ଡ, ରାଜସ୍ଥାନ, ଜମ୍ମୁକାଶ୍ମୀର, ସର୍ଭିସେସ୍‍ ଓ ଗୋଆ। ପୂର୍ବାଞ୍ଚଳର ୩ଟି ଦଳଙ୍କ ମଧ୍ୟରୁ ଝାଡ଼ଖଣ୍ଡକୁ ଛାଡ଼ି ଆସାମ ଓ ତ୍ରିପୁରା ବିପକ୍ଷରେ ଓଡ଼ିଶା ଭଲ ପ୍ରଦର୍ଶନ କରିପାରେ। ଚଳିବର୍ଷ ବିଜୟ ହଜାରେ ଟ୍ରଫିର ସେମିଫାଇନାଲ ଖେଳିଥିବା ଝାଡ଼ଖଣ୍ଡ ନିଜ ଗ୍ରାଉଣ୍ଡରେ ଓଡ଼ିଶା ଦଳର ମୁକାବିଲା କରିବାର ଥିବାରୁ ଏହାର ପଲ୍ଲା ଭାରିରହିବ। ସର୍ଭିସେସ୍‍ ଓ ଗୋଆ ଦଳକୁ ଅସୁବିଧାରେ ପକାଇବାର କ୍ଷମତା ଓଡ଼ିଶା ଦଳର ରହିଛି। ତେବେ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ହରିୟାଣା ବିପକ୍ଷରେ ପ୍ରଦର୍ଶନ ହିଁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ।
ନକ୍‍ଆଉଟ ଖେଳିବାକୁ ହେଲେ ଓଡ଼ିଶାକୁ ଅତିକମ୍‍ରେ ୪ଟି ମ୍ୟାଚ୍‍ ଜିତିବାକୁ ପଡ଼ିବ। ଏଥିପାଇଁ ଓଡ଼ିଶା ବୋଲରଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ଯଦି ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ପପ୍ପୁ ରାୟ ଭଲ ବୋଲିଂକରନ୍ତି; ଏହା ସମ୍ଭବ ହୋଇପାରିବ। ଓଡ଼ିଶା ପାଇଁ ଏହା ଉତ୍ସାହର କଥା ଯେ ଏହା ୯ଟିରୁ ୫ଟି ମ୍ୟାଚ୍‍ ଘରୋଇ ପଡ଼ିଆରେ ଖେଳିବ। ହରିୟାଣା ଓ ୟୁପି ବିପକ୍ଷରେ ଓଡ଼ିଶା କିଟ୍‍ ଗ୍ରାଉଣ୍ଡରେ ଖେଳିବାର ଥିବା ବେଳେ ରାଜସ୍ଥାନ ଓ ଗୋଆ ବିପକ୍ଷରେ ଏହା ଭୁବନେଶ୍ୱରର ବିକାଶ ଗ୍ରାଉଣ୍ଡରେ ଖେଳିବ ଏବଂ ଡ୍ରିମ୍‍ସ ଗ୍ରାଉଣ୍ଡରେ ତ୍ରିପୁରା ବିପକ୍ଷରେ ଓଡ଼ିଶା ଖେଳିବ। ତେବେ କିଟ୍‍ ଗ୍ରାଉଣ୍ଡରେ ଓଡ଼ିଶା ଖେଳିବାକୁ ଯାଉଥିବା ପ୍ରଥମ ୨ଟି ମ୍ୟାଚ୍‍ ଏହା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ୨ଟି ମ୍ୟାଚ୍‍ରେ ଭଲ ପ୍ରଦର୍ଶନ ପୂରା ସିଜିନ୍‍ ଲାଗି ଓଡ଼ିଶା ଦଳକୁ ଉତ୍ସାହିତ କରିବ।

Leave A Reply