ନଭେମ୍ବର ୧୬ରୁ ରଣଜୀ ଟ୍ରଫି, ଖେଳାଯିବ ୨୧୨୭ଟି ମ୍ୟାଚ୍‌

ନୂଆଦିଲ୍ଲୀ: ୨୦୨୧-୨୨ ଘରୋଇ କ୍ରିକେଟ୍‌ ଋତୁ ଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କାର୍ଯ୍ୟକ୍ରମ ଶନିବାର ଘୋଷଣା କରିଛି। ଏହା ଅନୁସାରେ ସେପ୍ଟେମ୍ବର ୨୧ରୁ ଘରୋଇ କ୍ରିକେଟ୍‌ ଋତୁ ଆରମ୍ଭହୋଇ ୨୦୨୨ ଏପ୍ରିଲ୍‌ ୧୧ରେ ସମାପ୍ତ ହେବ। ଏହି ସିଜିନ୍‌ରେ ପୁରୁଷ ଓ ମହିଳାଙ୍କୁ ମିଶାଇ ସମସ୍ତ ବୟସବର୍ଗରେ ମୋଟ ୨୧୨୭ ମ୍ୟାଚ୍‌ ଖେଳାଯିବ। କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ବାତିଲ ହୋଇଥିବା ରଣଜୀ ଟ୍ରଫି ଚଳିତବର୍ଷ ଖେଳାଯିବ ବୋଲି ଏହି ଖେଳସୂଚୀରୁ ସ୍ପଷ୍ଟହୋଇଛି। ଗତବର୍ଷ ପୁରୁଷ ସିନିୟର ବର୍ଗରେ କେବଳ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦ ଓ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା।

ସେପ୍ଟେମ୍ବର ୨୧ରୁ ସିନିୟର ମହିଳା ଦିନିକିଆ ଲିଗ୍‌ରୁ ଘରୋଇ ସିଜିନ୍‌ ଆରମ୍ଭହେବ। ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭହୋଇ ଫେବୃୟାରୀ ୧୯ ପର୍ଯ୍ୟନ୍ତ ଚାଲିବ। ରଣଜୀରେ ୩୮ ଦଳଙ୍କୁ ୪ଟି ଗ୍ରୁପ୍‌ରେ ରଖାଯିବ। ଏଲିଟ୍‌ ‘ଏ’ ଓ ‘ବି’ ଗ୍ରୁପ୍‌ରେ ୯ଟି ଲେଖାଏଁ ଏବଂ ଏଲିଟ୍‌ ‘ସି’ ଓ ପ୍ଲେଟ୍‌ ଗ୍ରୁପ୍‌ରେ ୧୦ଟି ଲେଖାଏଁ ଦଳ ରହିବେ। ଏଥିରେ ମୋଟ ୧୭୭ଟି ମ୍ୟାଚ୍‌ ଖେଳାଯିବ। ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସମାନ ଗ୍ରୁପ୍‌ ଢାଞ୍ଚାରେ ଅକ୍ଟୋବର ୨୦ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୪୯ଟି ମ୍ୟାଚ୍‌ ଖେଳାଯିବ। ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୨୩ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ମୋଟ ୧୬୯ଟି ମ୍ୟାଚ୍‌ ରହିଛି।

ପୁରୁଷ ବର୍ଗରେ ୨୩ ବର୍ଷରୁ କମ୍ କର୍ଣ୍ଣେଲ ସି.କେ. ନାୟୁଡୁ ଟ୍ରଫି ନଭେମ୍ବର ୧୧ରୁ ଫେବୃୟାରୀ ୧୨ ପର୍ଯ୍ୟନ୍ତ ଚାଲିବ। ୨୩ ବର୍ଷରୁ କମ୍ ଦିନିକିଆ ଫେବୃୟାରୀ ୨୩ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବ। ୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫି ଦିନିକିଆ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ଖେଳାଯିବ। ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଦିନିକିଆ ନଭେମ୍ବର ୩ରୁ ୯ ପର୍ଯ୍ୟନ୍ତ ଖେଳାଯିବ। କୁଚ୍‌ବିହାର ଟ୍ରଫି ନଭେମ୍ବର ୧୪ରୁ ଫେବୃୟାରୀ ୭ ପର୍ଯ୍ୟନ୍ତ ଖେଳାଯିବ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଅକ୍ଟୋବର ୧ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଖେଳାଯିବ। ସିନିୟର ମହିଳା ଦିନିକିଆ ଲିଗ୍‌ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବ। ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ଖେଳାଯିବ। ସିନିୟର ମହିଳା ଟ୍ବେଣ୍ଟି୨୦ ଲିଗ୍‌ ମାର୍ଚ୍ଚ ୧୯ରୁ ଏପ୍ରିଲ୍‌ ୧୧ ପର୍ଯ୍ୟନ୍ତ ଖେଳାଯିବ। ୨୩ ବର୍ଷରୁ କମ୍ ମହିଳା ଟି୨୦ ଲିଗ୍‌ ଜାନୁୟାରୀ ୧୭ରୁ ଏବଂ ମହିଳା ଦିନିକିଆ ଲିଗ୍ ଫେବୃୟାରୀ ୧୧ରୁ ଆରମ୍ଭ ହେବ। ୧୯ ବର୍ଷରୁ କମ୍ ମହିଳା ଦିିନିକିଆ ଲିଗ୍ ଅକ୍ଟୋବର ୧ରୁ, ୧୯ ବର୍ଷରୁ କମ୍ ମହିଳା ଟି୨୦ ଲିଗ୍ ନଭେମ୍ବର ୪ରୁ ଏବଂ ୧୯ ବର୍ଷରୁ କମ୍ ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଡିସେମ୍ବର ୧ରୁ ଖେଳାଯିବ।

Comments are closed.