ନଭେମ୍ବର ୧୯ରୁ ମୁସ୍ତାକ୍‍ ଅଲ୍ଲୀ; ଡିସେମ୍ବର ୧୩ରୁ ରଣଜୀ ଟ୍ରଫି !

ମୁମ୍ବଇ : ଚଳିତବର୍ଷ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିନିୟର ସ୍ତରରେ ଚଳିତ ସିଜିନ୍‍ରେ କେବଳ ୨ଟି ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ- ରଣଜୀ ଟ୍ରଫି ଓ ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟ୍ରଫି ଖେଳାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ସାଧାରଣତଃ ବିସିସିଆଇର ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟସବୁ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଯାଇଥାଏ। ତେବେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ୍‍ର ୧୩ଶ ସଂସ୍କରଣ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯିବା ପରେ ବିସିସିଆଇ ପାଖରେ ବହୁତ କମ୍‍ ସମୟ ରହିଛି। ତେଣୁ ଚଳିତ ସିଜିନ୍‍ରେ ସିନିୟର ସ୍ତରର ଅନ୍ୟ ୩ଟି ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି, ଦେଓଧର ଟ୍ରଫି ଓ ବିଜୟ ହଜାରେ ଟ୍ରଫିକୁ ବାତିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଜାତୀୟ କ୍ରିକେଟ୍‍ ଏକାଡେମୀ (ଏନ୍‍ସିଏ)ର ଅଧ୍ୟକ୍ଷ ରାହୁଲ ଦ୍ରାବିଡ଼ ୨୦୨୦-୨୧ ସିଜିନ୍‍ ପାଇଁ ଘରୋଇ କ୍ରିକେଟ୍‍ର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଅବଶ୍ୟ ଏହା ଚୂଡ଼ାନ୍ତ ନୁହେଁ। ଏହି ଅନୁସାରେ ସିନିୟର ଆନ୍ତଃରାଜ୍ୟ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପରେ ନଭେମ୍ବର ୧୯ରୁ ଆରମ୍ଭ ହୋଇ ଡିସେମ୍ବର ୭ରେ ସରିବ। ପରେ ଡିସେମ୍ବର ୧୩ରୁ ରଣଜୀ ଟ୍ରଫି ଆରମ୍ଭହୋଇ ମାର୍ଚ୍ଚ ୧୦ରେ ସମାପ୍ତ ହେବ। ଚଳିତବର୍ଷ ଇରାନୀ ଟ୍ରଫି ମଧ୍ୟ ଖେଳାଯିବ ନାହିଁ। ଫଳରେ ଗତ ସିଜିନ୍‍ର ରଣଜୀ ଟ୍ରଫି ଚମ୍ପିଆନ୍‍ ସୌରାଷ୍ଟ୍ର ଅବଶିଷ୍ଟ ଭାରତ ବିରୋଧରେ ଇରାନୀ ଟ୍ରଫି ମ୍ୟାଚ୍‍ ଖେଳିବାକୁ ବଞ୍ଚିତ ହେବ। ପୁଣି ୨୦୨୧ ଆଇପିଏଲ୍‍ ପାଇଁ ଚଳିତବର୍ଷ ଡିସେମ୍ବର କିମ୍ବା ପରବର୍ତ୍ତୀ ବର୍ଷ ଜାନୁୟାରୀରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ତେଣୁ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଯୁବ କ୍ରିକେଟର ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଆଇପିଏଲ୍‍ ଦଳରେ ସାମିଲ ହେବାର ପ୍ରୟାସ କରିବେ। ଚଳିତ ସିଜିନ୍‍ରେ ରଣଜୀ ଟ୍ରଫି ଜୋନାଲ ଭିତ୍ତିରେ ଖେଳାଯିବ ବୋଲି ଆଲୋଚନା ହେଉଥିଲେ ହେଁ ଏପରି ହେବନାହିଁ। ଚଳିତ ସିଜିନ୍‍ରେ ମୋଟ ୧୩୬ଟି ରଣଜୀ ଟ୍ରଫି ମ୍ୟାଚ୍‍ ଖେଳାଯିବ। ଗତ ସିଜିନ୍‍ଠାରୁ ଏହା ୩୩ଟି ମ୍ୟାଚ୍‍ କମ୍‍। କମ୍‍ ଯାତାୟାତ ପାଇଁ ପ୍ରତି ଗ୍ରୁପ୍‍ର ମ୍ୟାଚ୍‍ ୨ଟି ସହରର ୪ଟି ଗ୍ରାଉଣ୍ଡରେ ଖେଳାଯିବ। ଗ୍ରୁ୍‍ପ୍‍ ‘ଏ’, ‘ବି’ ଓ ‘ସି’ରେ ୮ଟି ଲେଖାଏଁ ଦଳ ରହିବେ। ଉତ୍ତର ପୂର୍ବାଞ୍ଚଳର ୬ଟି ଦଳ ଗ୍ରୁପ୍‍ ‘ଇ’ରେ ରହିବେ। ବାକି ସମସ୍ତ ଦଳ ଗ୍ରୁପ୍‍ ‘ଡି’ରେ ରହିବେ। ଗ୍ରୁ୍‍ପ୍‍ ‘ଏ’, ‘ବି’ ଓ ‘ସି’ର ପ୍ରଥମ ୨ଟି ଦଳ କ୍ୱାର୍ଟରଫାଇନାଲ ଖେଳିବେ। ଏହି ୩ଟି ଗ୍ରୁପର ୩ୟ ସ୍ଥାନରେ ଥିବା  ଦଳଙ୍କ ମଧ୍ୟରୁ ଯାହାର ରନ୍‌ ପୋସେଣ୍ଟ ସର୍ବାଧିକ ଥିବ ସିଏ  ୭ମ କ୍ବାର୍ଟର ଫାଇନାଲିଷ୍ଟ ହେବ। ଗ୍ରୁପ  ଡି ଓ ଇ ର ପ୍ରଥମ ସ୍ଥାନ ମଧ୍ୟରେ ଥିବା ଦଳ ଗୁଡ଼ିକ ମଧ୍ୟରେ ମୁକାବିଲା ହେବ। ଏହାର ବିଜେତା ୮ମ କ୍ବାର୍ଟର ଫାଇନାଲିଷ୍ଟ୍‌  ହେବ। ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟ୍ରଫିରେ ୩୮ଟି ଦଳକୁ ୬ଟି ଗ୍ରୁପ୍‍ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‍ର ମ୍ୟାଚ୍‍ ଗୋଟିଏ ସହରର ୨ଟି ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ୧୦୯ଟି ମ୍ୟାଚ୍‍ ଖେଳାଯିବ; ଯାହା ଗତ ସିଜିନ୍‍ଠାରୁ ୪୦ କମ୍‍।

ତେବେ ଜୁନିୟର କ୍ରିକେଟ୍‍ରେ ସମସ୍ତ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ଜୋନାଲ ସ୍ତରରେ ଖେଳାଯିବ। ଅର୍ଥାତ୍‍ ଓଡ଼ିଶା ଦଳ କେବଳ ପୂର୍ବାଞ୍ଚଳ ଦଳଙ୍କ ବିରୋଧରେ ଲିଗ୍‍ ମ୍ୟାଚ୍‍ ଖେଳିବ। ଦ୍ରାବିଡ଼ ପ୍ରସ୍ତୁତ କରୁଥିବା କାର୍ଯ୍ୟସୂଚୀ ଅନୁସାରେ; ୨୩ ବର୍ଷରୁ କମ୍‍ ସିକେ ନାୟୁଡୁ ଟ୍ରଫିର ଜୋନାଲ ଲିଗ୍‍ ମ୍ୟାଚ୍‍ ଡିସେମ୍ବର ୧୫ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳାଯିବ। ୧୯ ବର୍ଷରୁ କମ୍‍ କୁଚ୍‍ବିହାର ଟ୍ରଫି ନଭେମ୍ବର ୧ରୁ ଜାନୁୟାରୀ ୨୨ ପର୍ଯ୍ୟନ୍ତ ଖେଳାଯିବ। ୧୬ ବର୍ଷରୁ କମ୍‍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ନଭେମ୍ବର ୧ରୁ ଜାନୁୟାରୀ ୭ ପର୍ଯ୍ୟନ୍ତ ଖେଳାଯିବ। ଅନ୍ୟପକ୍ଷରେ ମହିଳା କ୍ରିକେଟ୍‍ରେ କୌଣସି କାଣ୍ଟଛାଣ୍ଟ ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ସିନିୟର ମହିଳା ଟ୍ୱେଣ୍ଟି୨୦ ଲିଗ୍‍ ନଭେମ୍ବର ୧ରୁ ୨୦ ମଧ୍ୟରେ, ସିନିୟର ମହିଳା ଦିନିକିଅ।। ଲିଗ୍‍ ୨୦୨୧ ମାର୍ଚ୍ଚ ୧୭ରୁ ଏପ୍ରିଲ ୧୨ ମଧ୍ୟରେ, ୨୩ ବର୍ଷରୁ କମ୍‍ ମହିଳା ଦିନିକିଆ ଲିଗ୍‍ ନଭେମ୍ବର ୩୦ରୁ ଡିସେମ୍ବର ୨୩ ମଧ୍ୟରେ, ୨୩ ବର୍ଷରୁ କମ୍‍ ମହିଳା ଟ୍ୱେଣ୍ଟି୨୦ ଲିଗ୍‍ ୨୦୨୧ ଜାନୁୟାରୀ ୨୧ରୁ ଫେବୃୟାରୀ ୧୫ ମଧ୍ୟରେ, ୧୯ ବର୍ଷରୁ କମ୍‍ ମହିଳା ଦିନିକିଆ ଲିଗ୍‍ ଡିସେମ୍ବର ୨୯ରୁ ଜାନୁୟାରୀ ୨୧ ମଧ୍ୟରେ ଏବଂ ୧୯ ବର୍ଷରୁ କମ୍‍ ମହିଳା ଟ୍ୱେଣ୍ଟି୨୦ ଲିଗ୍‍ ୨୦୨୧ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଖେଳାଯିବ।

Comments are closed.