ରଣଜୀ ଟ୍ରଫି : ବସନ୍ତଙ୍କୁ ୬ ୱିକେଟ ସତ୍ତ୍ବେ ପରାଜୟ ଆଶଙ୍କାରେ ଓଡ଼ିଶା

0

ଭୁବନେଶ୍ୱର : ଚଳିତ ରଣଜୀ ସିଜିନ୍‍ର କ୍ରମାଗତ ୨ୟ ମ୍ୟାଚ୍‍ ଜିତିବା ଦିଗରେ ଅଗ୍ରସର ହେଉଛି ଉତ୍ତର ପ୍ରଦେଶ ଦଳ। କିଟ୍‍ କ୍ରିକେଟ ଷ୍ଟାଡିୟମରେ  ଖେଳା ଯାଉଥିବା ଏହି ମ୍ୟାଚ୍‍ରେ ବ୍ୟାଟ୍‍ସମ୍ୟାନ୍‍ଙ୍କ ଚମତ୍କାର ପ୍ରଦର୍ଶନ ପରେ ଫାଷ୍ଟବୋଲରଙ୍କ ସଫଳତା ବଳରେ ଘରୋଇ ଓଡ଼ିଶା ବିପକ୍ଷରେ ଉତ୍ତର ପ୍ରଦେଶ ବିଜୟ ଦ୍ୱାରରେ ପହଞ୍ଚି ପାରିଛି। ରଣଜୀ ଟ୍ରଫି ଏଲିଟ୍‍ ଗ୍ରୁପ୍‍ ‘ସି’ର ଏହି ମ୍ୟାଚରେ ଏବେ ମାତ୍ର ଗୋଟିଏ ବିଜେତା ନଜର ଆସୁଛି ଏବଂ ଏହା ହେଉଛି ଉତ୍ତର ପ୍ରଦେଶ। ବୁଧବାର ମ୍ୟାଚ୍‍ର ୩ୟ ଦିନ ଶେଷରେ ଓଡ଼ିଶା ୧ ରନ୍‍ ପଛରେ ଥିବା ବେଳେ ଶେଷ ୩ଟି ୨ୟ ଇନିଂସ ୱିକେଟ ବାକିଅଛି। ଏପରି ସ୍ଥିତିକୁ କିଛି ଅଘଟଣ କିମ୍ବା ବର୍ଷା ଓଡ଼ିଶାକୁ ପରାଜୟରୁ ବଞ୍ଚାଇପାରେ। ଏହି ମ୍ୟାଚ୍‍ ସମୟରେ ବର୍ଷାର ପୂର୍ବାନୁମାନ କରା ଯାଇଥିଲେ ହେଁ ଏହା ହୋଇନାହିଁ ସତ; ଓଡ଼ିଶା ଉପରେ ପରାଜୟର କଳାବାଦଲ ନଜର ଆସୁଛି। ପ୍ରଥମ ଇନିଂସରେ ୧୮୧ ରନ୍‍ ପଛରେ ରହିବା ପରେ ଓଡ଼ିଶା ବୁଧବାର ୩ୟ ଦିନର ଖେଳ ଶେଷସୁଦ୍ଧା ୨ୟ ଇନିଂସରେ ମାତ୍ର ୧୮୦ ରନ୍‍କରି ୭ଟି ୱିକେଟ ହରାଇଛି।

ଓଡ଼ିଶାର ପ୍ରଥମ ଇନିଂସ ସ୍କୋର୍‍ ୨୫୬ ରନ୍‍ ଜବାବରେ ୨ୟ ଦିନ ଖେଳ ଶେଷସୁଦ୍ଧା ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୬୧ ରନ୍‍ କରିଥିଲା । ବୁଧବାର ୩ୟ ଦିନରେ ଉତ୍ତର ପ୍ରଦେଶ ଆଉ ୭୬ ରନ୍‍ ଯୋଗକରି ଶେଷ ୪ଟି ୱିକେଟ ହରାଇଥିଲା। ପୂର୍ବଦିନ ଶତକ ହାସଲକରି ଅପରାଜିତ ରହିଥିବା ଉତ୍ତର ପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥ ଆଉ ୮ ରନ୍‍ ଯୋଗକରି ଆଉଟ ହୋଇ ଯାଇଥିଲେ। ଅକ୍ଷଦୀପ ୨୮୨ ବଲ୍‍ ଖେଳି ଗୋଟିଏ ଛକା ଓ ୨୩ଟି ଚୌକା ସହ ୧୫୯ ରନ୍‍ କରିଥିଲେ। ସୌରଭ କୁମାର ୧୦ ଏବଂ ପରେ ଅଙ୍କିତ ରାଜପୁତ ୧ ରନ୍‍କରି ବିଦାୟ ନେଇଥିଲେ। ୩୮୦ ରନ୍‍ରେ ଉତ୍ତର ପ୍ରଦେଶ ୯ଟି ୱିକେଟ ହରାଇଥିଲେ ହେଁ ଶେଷ ୱିକେଟ ଭାଗିଦାରୀ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଥିଲା। ଦୁଇ ପେସ୍‍ ବୋଲର ଶିବମ୍‍ ମାଭି ଓ ଯଶ ଦୟାଲ ୧୦ମ ୱିକେଟ ପାଇଁ ୫୭ ରନ୍‍ ଯୋଡ଼ିଥିଲେ। ମାଭି ୫ଟି ଚୌକା ସହ ୩୪ ରନ୍‍କରି ଅନ୍ତିମ ବ୍ୟାଟ୍‍ସ ମ୍ୟାନ ଭାବେ ଆଉଟ ହୋଇଥିବା ବେଳେ ଦୟାଲ ୫ଟି ଚୌକା ସହ ୨୫ ରନ୍‍କରି ଅପରାଜିତ ଥିଲେ। ବସନ୍ତ ମହାନ୍ତି ୬୨ ରନ ଦେଇ  ୬ଟି ୱିକେଟ ପାଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୮ଶ ଥର ପାଇଁ ଏକ ଇନିଂସରେ ୫ କିମ୍ବା ଅଧିକ ୱିକେଟ ବସନ୍ତ ନେଇଛନ୍ତି। ରାଜେଶ ମହାନ୍ତି ୨ଟି ୱିକେଟ ପାଇଥିଲେ।
୧୮୧ ରନ୍‍ ପଛରେ ରହିବା ପରେ ଘରୋଇ ଓଡ଼ିଶାର ଏକମାତ୍ର ଲକ୍ଷ୍ୟ ଥିଲା ମ୍ୟାଚ୍‍ ବଞ୍ଚାଇବା। ଅଭିଜ୍ଞ ଓପ୍‍ନର ଅନୁରାଗ ଷଡ଼ଙ୍ଗୀ କ୍ରମାଗତ ୨ୟ ଇନିଂସରେ ବିଫଳ ହୋଇ ୯ ରନ୍‍କରି ବିଦାୟ ନେଇଥିଲେ। ତେବେ ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ସ୍କୋର୍‍କୁ ୭୫ ରନରେ  ପହଞ୍ଚାଇଥିଲେ। ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ଭାରତୀୟ ଦଳର ସଦସ୍ୟ ଶିବମ୍‍ ମାଭି ଅଳ୍ପ ବ୍ୟବଧାନରେ ଦୁହିଁଙ୍କୁ ଆଉଟ କରି ଦେଇଥିଲେ। ସନ୍ଦୀପ ୯ଟି ଚୌକା ସହ ୪୬ ରନ୍‍ କରିଥିଲେ। ପୁଣିଥରେ ଗୋବିନ୍ଦ ସେଟ୍‍ ହୋଇ ଆଉଟ ହୋଇ ଯାଇଥିଲେ। ଏହି ପୂର୍ବତନ ଅଧିନାୟକ ୨୭ ରନ୍‍ କରିଥିଲେ। ଅଧିନାୟକ ବିପ୍ଳବ ସାମନ୍ତରାୟ ୯ ରନ୍‍କରି ବିଦାୟ ନେବା ପରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ି ଯାଇଥିଲା। ଦୀର୍ଘ ସମୟ କ୍ରିଜରେ  ରହିବା ପରେ ଶୁଭ୍ରାଂଶୁ ସେନାପତି ୬ଟି ଚୌକା ସହ ୪୨ ରନ୍‍ କରିଥିଲେ। ଦିନର ଶେଷଆଡ଼କୁ ସୁଜିତ ଲେଙ୍କା ୧୯ ଓ ଦେବବ୍ରତ ପ୍ରଧାନ ୪ ରନ୍‍କରି ବିଦାୟ ନେଇଥିଲେ। ଷ୍ଟମ୍ପ୍‍ ଅପସାରଣ ବେଳକୁ ଶାନ୍ତନୁ ମିଶ୍ର ୧୯ ରନ୍‍କରି କ୍ରିଜ୍‍ରେ ଥିଲେ। ଶିବମ୍‍ ମାଭି ଓ ଅଙ୍କିତ ରାଜପୁତ ୩ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply