ରଣଜୀ ଟ୍ରଫି ସହ ଅନ୍ୟ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ: ଯାହା ଆଶଙ୍କା କରା ଯାଉଥିଲା; ଶେଷରେ ତାହା ହିଁ ହୋଇଛି। ଦେଶରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରମୁଖ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ସହ ସି.କେ. ନାୟୁଡୁ ଟ୍ରଫି ଓ ମହିଳା ଟ୍ବେଣ୍ଟି୨୦ ଲିଗ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ମଙ୍ଗଳବାର ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା କରାଯାଇଛି। ଚଳିତବର୍ଷ ରଣଜୀ ଟ୍ରଫି ଜାନୁଆରୀ ୧୩ରୁ ଆରମ୍ଭ ହେବାର ଥିଲା। ଚଳିତମାସ ଆରମ୍ଭ ହେବାର ଥିବା ୨୫ ବର୍ଷରୁ କମ୍ ଆନ୍ତଃରାଜ୍ୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସିକେ ନାୟୁଡୁ ଟ୍ରଫି ଏବଂ ଫେବୃଆରୀରେ ଆରମ୍ଭ ହେବାକୁ ଥିବା ମହିଳା ଟ୍ବେଣ୍ଟି୨୦ ଲିଗ୍‌ ମଧ୍ୟ ସ୍ଥଗିତ ରହିଛି।
ଏକ ପ୍ରେସ୍ ବିବୃତ୍ତିରେ ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି, ଖେଳାଳି, ସପୋର୍ଟ ଷ୍ଟାଫ୍, ମ୍ୟାଚ୍‌ ଅଧିକାରୀ ଏବଂ ମ୍ୟାଚ୍‌ ଆୟୋଜନ ସହ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ନିରାପତ୍ତା ସହ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। ତେଣୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରଣଜୀ ଟ୍ରଫି ସହ ୩ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛୁ। ବିସିସିଆଇ ପରିସ୍ଥିତିର ଆକଳନ କରିବ ଏବଂ ଟୁର୍ଣ୍ଣାମେଣ୍ଟ କେବେ ଆରମ୍ଭ କରାଯିବ; ତା’ର ନିଷ୍ପତ୍ତି ପରେ ନେବ। ସ୍ବାସ୍ଥ୍ୟକର୍ମୀ, ରାଜ୍ୟ କ୍ରିକେଟ୍‌ ସଂଘ, ଖେଳାଳି, ସପୋର୍ଟ ଷ୍ଟାଫ୍, ମ୍ୟାଚ୍‌ ଅଧିକାରୀ ଏବଂ ଅନ୍ୟ ସେବା ପ୍ରଦାନକାରୀଙ୍କୁ ବିସିସିଆଇ ବହୁତ କୃତଜ୍ଞତା ଜଣାଉଛି।

ସେମନେ ୨୦୨୧-୨୨ ଘରୋଇ କ୍ରିକେଟ୍‌ ଋତୁରେ ୧୧ଟି ଟୁର୍ଣ୍ଣାମେଣ୍ଟର ୭୦୦ରୁ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଦୃଢ଼ତାର ସହ ଅଣ୍ଟା ଭିଡ଼ିଥିଲେ। ଦେଶର ଏକମାତ୍ର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଜାନୁଆରୀ ୧୩ରୁ ୬ଟି ସହର- ମୁମ୍ବଇ, ବେଙ୍ଗାଲୁରୁ, କଲକାତା, ଅହମ୍ମଦାବାଦ, ତିରୁୱନନ୍ତପୁରମ୍ ଓ ଚେନ୍ନଇରେ ଖେଳାଯିବାର ଥିଲା। ଗତ ସପ୍ତାହରେ ବିସିସିଆଇ ୧୬ ବର୍ଷରୁ କମ୍ ଆନ୍ତଃରାଜ୍ୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିକୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲା। ଦିନକ ତଳେ ଜଣା ପଡ଼ିଥିଲା ଯେ ବଙ୍ଗଳା ରଣଜୀ ଟ୍ରଫି ଦଳର ୬ ଜଣ ଖେଳାଳି ଏବଂ ଏହାର ସହକାରୀ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିଲେ। ମୁମ୍ବଇ ଦଳର ଶିବମ୍ ଦୁବେ ଏବଂ ଦଳର ଜଣେ ସପୋର୍ଟ ଷ୍ଟାଫ୍ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ରଣଜୀ ଟ୍ରଫିର ୮୫ ବର୍ଷ ଇତିହାସରେ ଗତବର୍ଷ ଏହାକୁ କରୋନା ସଂକ୍ରମଣ ପାଇଁ ବାତିଲ କରା ଯାଇଥିଲା। ଚଳିତବର୍ଷ ଏହାକୁ ସ୍ଥଗିତ ରଖା ଯାଇଥିବା ବେଳେ ଆଗକୁ ଏହା ଖେଳାଯିବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ।

Comments are closed.