ରଣଜୀ ଟ୍ରଫି : ଓଡ଼ିଶା ମାତ୍ର ୨ ରନ୍‌ରେ ପରାସ୍ତ

0

କଟକ : ଜାମ୍‌ସେଦ୍‌ପୁରରେ ଚାଲିଥିବା ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ହାତରୁ ବିଜୟ ଛଡ଼ାଇ ନେଇଛି ଘରୋଇ ଝାଡ଼ଖଣ୍ଡ। ଶେଷ ୱିକେଟ କ୍ରିଜ୍‌ରେ ଥାଇ ଏହି ଏଲିଟ୍ ଗ୍ରୁପ୍ ’ସି’ ମ୍ୟାଚ୍‌କୁ ଜିତିବା ପାଇଁ ଓଡ଼ିଶା ଆଉ ମାତ୍ର ୩ ରନ୍ ଆବଶ୍ୟକ କରୁଥିଲା। ତେବେ ଝାଡ଼ଖଣ୍ଡର ପେସ୍ ବୋଲର ବରୁଣ ଆରୋନ୍ ଓଡ଼ିଶାର ୧୧ନଂ ବ୍ୟାଟ୍‌ସମ୍ୟାନ୍ ଧୀରଜ ସିଂହଙ୍କୁ ବୋଲ୍‌ଡ କରିଦେଇ ଓଡ଼ିଶାକୁ ନିରାଶ କରିଥିଲେ। ୨ୟ ଇନିଂସରେ ୨୬୦ ରନ୍‌ର ପିଛା କରୁଥିବା ଓଡ଼ିଶା ୧୫୪ ରନ୍‌ରେ ୮ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ତେବେ ୧୦ ଓ ୧୧ନଂ ବ୍ୟାଟ୍‌ସମ୍ୟାନ୍‌ଙ୍କ ସହ ମିଶି ଶୁଭ୍ରାଂଶୁ ସେନାପତି ଲଢ଼ିଥିଲେ ଏବଂ ଓଡ଼ିଶାକୁ ସ୍ମରଣୀୟ ବିଜୟ ଦ୍ବାରରେ ପହଞ୍ଚାଇ ଦେଇଥିଲେ। ତେବେ ବିଜୟଠାରୁ ମାତ୍ର ୩ ରନ୍ ଦୂରରେ ରହି ଯାଇଥିଲା ଓଡ଼ିଶା। ଶୁଭ୍ରାଂଶୁ ଅପରାଜିତ ୧୫୭ ରନ୍‌ର ସ୍ମରଣୀୟ ଇନିଂସ ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ମଧ୍ୟ ତାଙ୍କ ପ୍ରୟାସ ବେକାର ହୋଇଛି। ମାତ୍ର ୨ ରନ୍‌ରେ ଜିତି ଝାଡ଼ଖଣ୍ଡ ୬ ପଏଣ୍ଟ ପାଇଛି। ୨୬୦ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ଓଡ଼ିଶା ରବିବାର ୪ର୍ଥ ତଥା ଅନ୍ତିମ ଦିନରେ ୨ୟ ଇନିଂସରେ ୨୫୭ ରନ୍‌ରେ ଅଲ୍ଆଉଟ ହୋଇଯାଇଛି। କ୍ରମାଗତ ୨ୟ ବିଜୟ ପରେ ଏହି ପରାଜୟରୁ ଓଡ଼ିଶା କୌଣସି ପଏଣ୍ଟ ପାଇନାହିଁ। ୫ଟି ମ୍ୟାଚ୍ ପରେ ଓଡ଼ିଶା ୧୩ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଖସିଆସିଛି। ଆସନ୍ତା ୧୪ରୁ ଭୁବନେଶ୍ବରର ବିକାଶ ଗ୍ରାଉଣ୍ଡରେ ଶକ୍ତିଶାଳୀ ରାଜସ୍ଥାନ ଦଳର ମୁକାବିଲା କରିବ ଓଡ଼ିଶା। ରାଜସ୍ଥାନ ୫ଟି ମ୍ୟାଚ୍‌ରୁ ସର୍ବାଧିକ ୨୮ ପଏଣ୍ଟ ପାଇଛି। ୨୬୦ ରନ୍‌ ବିଜୟଲକ୍ଷ୍ୟର ପିଛାକରି ୩ୟ ଦିନ ଶେଷ ସୁଦ୍ଧା ଓଡ଼ିଶା ୮୧ ରନ୍ କରି ୩ଟି ୱିକେଟ ହରାଇଥିଲା। ୪ର୍ଥ ତଥା ଅନ୍ତିମ ଦିନରେ ଓଡ଼ିଶା ୧୧୧ ରନ୍ ସ୍କୋର୍‌ରେ ୪ର୍ଥ ୱିକେଟ ହରାଇଥିଲା। ଅଧିନାୟକ ବିପ୍ଳବ ସାମନ୍ତରାୟ ୨୩ ରନ୍ କରି ଆଉଟ ହେବା ସହ ଶୁଭ୍ରାଂଶୁ ସେନାପତିଙ୍କ ସହ ତାଙ୍କର ୫୩ ରନ୍‌ର ୪ର୍ଥ ୱିକେଟ ଭାଗିଦାରୀ ଭାଙ୍ଗି ଯାଇଥିଲା। ଏହାସହ ୪୩ ରନ୍‌ରେ ଓଡ଼ିଶା ଆଉ ୫ଟି ୱିକେଟ ହରାଇ ପରାଜୟ ଦ୍ବାରରେ ପହଞ୍ଚି ଯାଇଥିଲା। ଅଭିଷେକ ରାଉତ ୩, ସୁଜିତ ଲେଙ୍କା ୨, ସୂର୍ଯ୍ୟକାନ୍ତ ପ୍ରଧାନ ୫ ଓ ରାଜେଶ ମହାନ୍ତି ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୧୫୪ ରନ୍‌ରେ ଓଡ଼ିଶା ୮ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ତେବେ ଶୁଭ୍ରାଂଶୁ ସେନାପତି ଓ ବସନ୍ତ ମହାନ୍ତି ହାର ମାନିନଥିଲେ। ଦୁହେଁ ୧୭ ଓଭର କ୍ରିଜ୍‌ରେ ରହି ୯ମ ୱିକେଟ ପାଇଁ ୩୯ ରନ୍ ଯୋଗ କରିଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍ ଧୀରଜ ସିଂହ ମଧ୍ୟ ହାରନମାନି କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ଗୋଟିଏ ପଟୁ ଶୁଭ୍ରାଂଶୁ ଆକ୍ରମଣାତ୍ମକ ବ୍ୟାଟିଂକରି ଶତକ ପୂରଣ କରିଥିଲେ ଏବଂ ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ଶୁଭ୍ରାଂଶୁ ଓ ଧୀରଜ ୨୪ ଓଭର କ୍ରିଜ୍‌ରେ ରହିଥିଲେ ଏବଂ ଶେଷ ୱିକେଟ ପାଇଁ ୭୪ ରନ୍ ଯୋଗ କରିଥିଲେ। ଧୀରଜ ୪୩ ବଲ୍ ଖେଳିଥିଲେ ଏବଂ ୭ ରନ୍‌କରି ଶେଷ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। ଶୁଭ୍ରାଂଶୁ ସେନାପତି ୩୨୧ ବଲ୍‌ରୁ ୬ଟି ଛକା ଓ ୧୨ଟି ଚୌକା ସହ ୧୫୭ ରନ୍ କରି ଅପରାଜିତ ରହିଥିଲେ। ବାମହାତି ସ୍ପିନର ଅନୁକୂଳ ରାୟ ୪ଟି ଏବଂ ଦୁଇ ପେସ୍ ବୋଲର ରାହୁଲ ଶୁକ୍ଳା ଓ ବରୁଣ ଆରୋନ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଶୁଭ୍ରାଂଶୁ ସେନାପତି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Leave A Reply