ଡିସେମ୍ବରରୁ ରଣଜୀ ଖେଳାଯିବା ନେଇ ଯୋଜନା

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ୨୦୨୧-୨୨

ସେପ୍ଟେମ୍ବରରୁ ଘରୋଇ ପ୍ରତିଯୋଗିତା ଆରମ୍ଭ ଲକ୍ଷ୍ୟ,-ଚଳିତ ବର୍ଷ ଖେଳାଯିବନାହିଁ ଦୁଲିପ ଓ ଇରାନୀ ଟ୍ରଫି

ନୂଆଦିଲ୍ଲୀ  : ଦି ବୋର୍ଡ ଅଫ କ୍ରିକେଟ କ​‌େ​‌ଣ୍ଟ୍ରାଲ ଇନ୍‌ ଇଣ୍ଡିଆ (ବିସିସିଆଇ) ୨୦୨୧-୨୨ ଘରୋଇ କ୍ରିକେଟ ସମ୍ଭାବ୍ୟ କାର୍ୟ୍ୟସୂଚୀ ଘୋଷଣା କରିଛି। ସର୍ବୋଚ୍ଚ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆସନ୍ତା ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବା ନେଇ ବିସିସିଆଇ ଯୋଜନା ରଖିଛି। ଏ ନେଇ ଶୁକ୍ରବାର ଆୟୋଜିତ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଆଲୋଚନା କରାଯାଇଛି। କରୋନା ମହାମାରୀ ପାଇଁ ୮୬ ବର୍ଷ ପରେ ପ୍ରଥମ ଥର ପାଇଁ ୨୦୨୦-୨୧ ରଣଜୀ ଟ୍ରଫି ଆୟୋଜିତ ହୋଇପାରିନଥିଲା। ଫଳରେ ୨୦୨୧-୨୨ ମସିହାରେ ଏହାକୁ ଆୟୋଜନ ନେଇ ଏବେଠାରୁ ବିସିସିଆଇ ଯୋଜନା ଆରମ୍ଭ କରିଛି। ଘରୋଇ କ୍ରିକେଟ ପ୍ରତିଯୋଗିତା ସେପ୍ଟେମ୍ବରରୁ ଆରମ୍ଭ କରିବା ନେଇ ବିସିସିଆଇ ଲକ୍ଷ୍ୟ ରଖିଛି। ଅକ୍ଟୋବରରେ ଭାରତରେ ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ ଆୟୋଜିତ ହେବ। ଟ୍ବେଣ୍ଟି୨୦ ବିଶ୍ବକପ ପରେ ଆଇପିଏଲ -୨୦୨୨ ପାଇଁ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର -ଅକ୍ଟୋବରରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି୨୦ ଖେଳାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ଓ ୨୩ ବର୍ଷରୁ କମ୍‌ ପୁରୁଷ କ୍ରିକେଟ ନଭେମ୍ବରରେ ଆୟୋଜନ ନେଇ ଯୋଜନା କରାଯାଇଛି। ସି.କେ ନାଇଡୁ ଟ୍ରଫି ଦିନିକିଆ ଓ ୧୯ ବର୍ଷରୁ କମ୍‌ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅକ୍ଟୋବରରେ ବିନୁ ମଙ୍କଡ ଟ୍ରଫି ଦିନିକିଆ, ନଭେମ୍ବରରେ ୧୯ ବର୍ଷରୁ କମ୍‌ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଓ ନଭେମ୍ବରରୁ ୨୦୨୨ ଜାନୁଆରୀ ମଧ୍ୟରେ କୁଚବିହାର ଟ୍ରଫି ଓ ୧୬ ବର୍ଷରୁ କମ୍‌ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବିସିସିଆଇ ଚିନ୍ତା କରିଛି। ସେହିପରି ଚଳିତ ୨୦୨୦-୨୧ ବର୍ଷ ଲାଗି ରଣଜୀ ଟ୍ରଫି ଆୟୋଜିତ ହୋଇନଥିବାରୁ ଇରାନୀ ଟ୍ରଫି ଓ ଦୁଲିପ ଟ୍ରଫିକୁ ଚଳିତ ବର୍ଷ ଲାଗି ବାତିଲ କରିଦିଆଯାଇଛି। କରୋନା ମହାମାରୀ ମଧ୍ୟରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି୨୦, ବିଜୟ ହଜାରେ ଟ୍ରଫି , ସିନିୟର ମହିଳା ଦିନିକିଆ କ୍ରିକେଟ ଓ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜର୍ସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବାବେଳେ ରଣଜୀ ଟ୍ରଫି ସମେତ କୁଚବିହାର ଟ୍ରଫି, ବିନୁ ମଙ୍କଡ ଟ୍ରଫି ଦିନିକିଆ କ୍ରିକେଟ, ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆଦି ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବପର ହୋଇନଥିଲା। ୨୦୨୦-୨୧ ସିଜିନରେ ଏକାଧିକ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିବାରୁ ୨୦୨୧-୨୨ ସିଜିନରେ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବିସିସିଆଇ ଆଶାବାଦୀ ରହିଛି।

Comments are closed.