ଦିନ ଦ୍ୱିପହରେ ବିଶ୍ୱ ହିନ୍ଦୁ ମହାସଭା ନେତାଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ବିଶ୍ୱ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ଦିନ ଦ୍ୱିପହରେ ବିଚ୍‍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ରଞ୍ଜିତଙ୍କ ଭାଇ ମଧ୍ୟ ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ରବିବାର ରଞ୍ଜିତ ପ୍ରାତଃ ଭ୍ରମଣରେ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଲଗାତର ଗୁଳି ଚଳାଇଥିଲେ। ଗୁଳି ବାଜିବା କାରଣରୁ ରଞ୍ଜିତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କୁ ସିଡିଆରଆଇ(ସେଣ୍ଟ୍ରାଲ ଡ୍ରଗ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍) ନିକଟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଫେରାର୍‍ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୬ଟି ଟିମ୍‍ ଓ କ୍ରାଇମ୍‍ବ୍ରାଞ୍ଚ ପ୍ରୟାସ ଚଳାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ଯୋଗୀ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛି। ସମାଜବାଦୀ ପାର୍ଟି ଟ୍ୱିଟ୍‍ କରି କହିଛି, “ଲକ୍ଷ୍ନୌରେ ଦିନ ଦ୍ୱପହରେ ହିନ୍ଦୁ ମହାସଭାର ଅଧ୍ୟକ୍ଷଙ୍କ ହତ୍ୟାକୁ ନେଇ ସାଧାରଣ ଜନତା ଭୟଭୀତ ହୋଇ ପଡ଼ିଛନ୍ତି। ଉତ୍ତରପ୍ରଦେଶରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବାରେ ସରକାର ଓ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନିକମ୍ମା ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ”।

Comments are closed.