ବିକାଶର ଅଢୁଆଳରେ ପୁରାତନ ଐତିହ୍ୟ ଚଉଷଠୀ ଯୋଗିନୀ ପୀଠ ରାଣୀପୁର ଝରିଆଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା ପରେ ବି ଦିଆଯାଉନି ସୁରକ୍ଷା, ବିକାଶ ପାଇଁ ନିଆଯାଉନି ପଦକ୍ଷେପ

ବଙ୍ଗୋମୁଣ୍ଡା :ବିଶ୍ୱସ୍ତରରେ ଓଡ଼ିଶାର ପରିଚୟ ଶ୍ରୀମନ୍ଦିର। ପୁରୀ ଓ ଶ୍ରୀମନ୍ଦିରର ରୂପରେଖ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ରାଜ୍ୟ ସରକାର। ଯାହାର ପ୍ରତିଫଳନ ଧୀରେ ଧୀରେ ଦେଖିବାକୁ ମିଳୁଛି। ସେହିପରି ଲିଙ୍ଗରାଜ ମନ୍ଦିର ସହ ରାଜ୍ୟର ପ୍ରମୁଖ ମନ୍ଦିର ସହ ପୀଠଗୁଡ଼ିକର ବିକାଶ ପାଇଁ ପ୍ରାଧାନ୍ୟତା ଦେଉଛନ୍ତି ରାଜ୍ୟ ସରକାର। ପଶ୍ଚିମ ଓଡ଼ିଶାର ଐତିହ୍ୟକୁ ଦୃଷ୍ଟିଦେଲେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ସହ ରାଜ୍ୟ ପ୍ରଶାସନର ଛାମୁଆ ଅଧିକାରୀ ବରଗଡ ଜିଲା ନରସିଂହ ନାଥ ମନ୍ଦିର ସହ ବଲାଙ୍ଗିର ଜିଲାର ଅନ୍ୟତମ ଦେବସ୍ଥଳ ହରିଶଙ୍କର ଗସ୍ତ କରି ଏହାର ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଜିଲାର ଅନ୍ୟତମ ଐତିହ୍ୟ ତଥା ଦେଶର ଅନ୍ୟତମ ପ୍ରମୁଖ ଚଉଷଠୀ ଯୋଗିନୀ ପୀଠ ରାଣୀପୁର ଝରିଆଲ ଆଡକୁ ଆଡ ଆଖିରେ ବି ଅନେଇ ନାହାନ୍ତି। କିଛି ବର୍ଷ ପୂର୍ବେ କେନ୍ଦ୍ର ସରକାର ଚଉଷଠୀ ଯୋଗିନୀ ପୀଠର ବିକାଶ ହାତକୁ ନେଇଥିବା ଘୋଷଣା କରିଥିଲେ। କିନ୍ତୁ ପୀଠର ଉନ୍ନୟନ ଇଞ୍ଚେ ବି ଆଗେଇ ନାହିଁ। କେନ୍ଦ୍ର ସରକାରଙ୍କ ଅବହେଳା ପରେ ରାଜ୍ୟ ସରକାରଙ୍କ ପାତର ଅନ୍ତରର ଶିକାର ଯୋଗିନୀ ପୀଠ ହୋଇଥିବା ସମାଲୋଚନା ହେଉଛି। ଆଉ ଏହାର ବିକାଶକୁ ନେଇ ସ୍ଥାନୀୟ ଲୋକେ ଯେଉଁ ଆଶା ରଖିଥିଲେ ତାହା ମଉଳି ଯାଇଛି।


ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହ୍ୟ ଚଉଷଠୀ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଏହାର ଆଶାନୁରୂପ ବିକାଶ ହୋଇପାରୁନାହିଁ। ସରକାର ଓ ପ୍ରଶାସନର ଉଦାସୀନତା ଯୋଗୁଁ ବହୁ ପୁରାତନ ଐତିହ୍ୟ ଯୋଗିନୀ ପୀଠ ବିକାଶର ଅଢୁଆଳରେ ରହିଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରି ୧୫ରେ ବଲାଙ୍ଗିର ରେଳ ଷ୍ଟେସନରେ ବିଭିନ୍ନ ପ୍ରକଳ୍ପର ଉନ୍ନୟନ ପାଇଁ ଘୋଷଣା କରିଥିବା ବେଳେ ଏହି ତାଲିକାରେ ରହିଥିଲା ଚଉଷଠୀ ଯୋଗିନୀ ପୀଠ। ଏହାକୁ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା ପରେ ମଧ୍ୟ ଏହାର ସୁରକ୍ଷା କି ବିକାଶ ପ୍ରତି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିକାଶର ଆଶା ମଉଳି ଯାଉଛି। ନିକଟରେ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଷ କ୍ରିଷ୍ଣା ପ୍ରମୁଖ ପଶ୍ଚିମ ମୁହାଁ ହେଇଥିଲେ। ପର୍ଯ୍ୟାୟକ୍ରମେ ସେମାନେ ସମଲେଶ୍ୱରୀ ମନ୍ଦିର ସହ ନରସିଂହ ନାଥ ସହ ହରିଶଙ୍କର ମନ୍ଦିରର ପରିଦର୍ଶନ କରିଥିଲେ।
ଦେଶର ୪ଟି ଯୋଗିନୀ ମଧ୍ୟରୁ ଅନ୍ୟତମ ପୀଠ ରାଣୀପୁର ଝରିଆଲ ଉପରେ ବି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ। ଚଉଷଠୀ ଯୋଗିନୀ ପୀଠର ବିକାଶ ଆଶା ଲୋକଙ୍କ ମଧ୍ୟରେ ଦେଖା ଦେଇଥିଲା। କିନ୍ତୁ ସମଲେଶ୍ୱରୀ, ନରସିଂହ ନାଥ ସହ ହରିଶଙ୍କର ଦର୍ଶନ ପରେ ରାଣୀପୁର ଝରିଆଲ ଚଉଷଠୀ ଯୋଗିନୀ ପୀଠ ଉପରେ କୃପାଦୃଷ୍ଟି ପଡିବ ବୋଲି ଅନେକ ମତ ରଖୁଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହି ପୀଠ ନେଇ କୌଣସି ସକରାତ୍ମକ ଆଲୋଚନା କି ବିକାଶ ପାଇଁ ପଦୁଟିଏ ବି କଥା ବାହାରୁ ନଥିବାରୁ ବିକାଶ ପ୍ରକ୍ରିୟାରୁ ଏହି ପୀଠ ବାଦ୍‌ପଡ଼ିବା ଆଶଙ୍କା ଦେଖା ଦେଲାଣି।


ଐତିହାସିକ ଗୁରୁତ୍ୱ ବହନ କରୁଥିବା ସର୍ବଧର୍ମ ସମନ୍ୱୟର ଏହି ଚଉଷଠୀ ଯୋଗିନୀ ପୀଠ ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଭିନ୍ନ। ଏହାର ଅବସ୍ଥିତି ସହ ପୀଠର ଗାରିମା ସର୍ବାଦୃତ। ହେଲେ କେନ୍ଦ୍ର ସରକାରଙ୍କ ଘୋଷଣା ଭଳି ଏହାର ବିକାଶକୁ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। କ୍ରମାଗତ ଭାବେ ଅବହେଳାର ଶିକାର ହେଉଥିବା ଯୋଗିନୀ ପୀଠକୁ ଦୃଷ୍ଟି ଦେଲେ ଏହାର ଐତିହ୍ୟ ସଂରକ୍ଷିତ ହୋଇପାରିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। କିନ୍ତୁ କାହିଁକି କେଜାଣି ଚଉଷଠୀ ଯୋଗିନୀ ପୀଠ ସବୁବେଳେ ଚର୍ଚ୍ଚାର ଆଢୁଆଳରେ ରହିଯାଇଛି। ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପଶ୍ଚିମ ଓଡିଶା ଗ୍ରସ୍ତ ପରେ କିଛିଟା ନିରାଶ ହୋଇଥିଲେ ବି ବିକାଶ ଆଶା ଛାଡି ନାହାନ୍ତି ଚଉଷଠୀ ଯୋଗିନୀ ପୀଠର ମାହାତ୍ମ ଜାଣିଥିବା ଲୋକେ। ରାଣୀପୁର ଝରିଆଲର ସୁରକ୍ଷା ସହ ବିକାଶ ପ୍ରତି ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଲୋକଙ୍କ ମନର ଆଶା ମଉଲିଛି ସତ ହେଲେ ମରି ନାହିଁ। ସରକାର ଏହି ଚଉଷଠୀ ଯୋଗିନୀପୀଠକୁ ଅଣଦେଖା ନକରି ଦୃଷ୍ଟି ଦେଲେ ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ୱତନ୍ତ୍ର ହେବ ବୋଲି ପୀଠ ଉପରେ ଗବେଷଣା କରୁଥିବା ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Comments are closed.