ଏମଏସଏସ ବିଦ୍ୟାପୀଠର ନୂତନ ଗୃହର ଶିଳାନ୍ୟାସ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠର ନୂତନ ଶ୍ରେଣୀ କକ୍ଷ ନିର୍ମାଣ ପାଇଁ ଶନିବାର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଦ୍ୟାର୍ଥୀଙ୍କୁ ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷାଦାନ ସହିତ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ଦିଗରେ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ରହିଛି। ଏହି ଦାୟିତ୍ୱକୁ ଶିକ୍ଷକମାନେ ନିଷ୍ଠା ଓ ଏକାଗ୍ରତାର ସହ ତୁଲାଇବା ଲାଗି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗତବର୍ଷ ଫଣି ବାତ୍ୟାରେ କ୍ଷତିଗ୍ରସ୍ତ ଏହି ସ୍କୁଲକୁ ସରକାରଙ୍କ ପକ୍ଷରୁ ମିଳିଥିବା ୬ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେବାକୁ ଥିବା ନୂତନ ଶ୍ରେଣୀ କକ୍ଷ ଲାଗି ମନ୍ତ୍ର ଶ୍ରୀ ସ୍ୱାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା, ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ଗନ୍ଧର୍ବସେନ ବେଉରା, ପୂର୍ବତନ ସମିତିସଭ୍ୟ ପ୍ରତାପରୁଦ୍ର ପଟ୍ଟନାୟକ, ସମାଜସେବୀ ହାଡିବନ୍ଧୁ ସ୍ୱାଇଁଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସ୍କାଉଟ ମାଷ୍ଟର ତଥା ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଓ ସ୍କାଉଟର ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.