କୋଭିଡ୍‌-୧୯ ସ୍ଥିତିରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଏବଂ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ରେକର୍ଡ ପରିପାଣର ଖରିଫ୍‌ ଓ ରବିଧାନ ସଂଗ୍ରହ : ରାଜା ସ୍ୱାଇଁ

– ଗତବର୍ଷ ସମୁଦାୟ ୬୫.୫୦ ଲକ୍ଷ ମେଟ୍ରିକ୍ ଟନ୍‌ ତୁଳନାରେ ଚଳିତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ୍ ଟନ୍‌ ଧାନ ସଂଗ୍ରହ
– ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୨୮୦୫ କୋଟି ୫୭ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତର
ଭୁବନେଶ୍ୱର : କୋଭିଡ-୧୯ ସ୍ଥିତିରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ଖରିଫ ଓ ରବିଧାନ ସଂଗ୍ରହକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ସ୍ୱୟଂକ୍ରିୟ ବ୍ୟବସ୍ଥା ସହିତ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରେକର୍ଡ ପରିପାଣର ଧାନ ସଂଗ୍ରହ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି ନିମନ୍ତେ ଅନ୍‌ଲାଇନ୍‌ରେ ଚାଷୀମାନଙ୍କର ନାମ ପଞ୍ଜିକରଣ ଓ ପି-ପାସ୍‌ ଏବଂ ଆଗୁଆ ଟୋକନ୍‌ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟକୁ ସୁରୁଖୁରୁରେ ସଂପନ୍ନ କରାଯାଇ ପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଗତବର୍ଷ ସମୁଦାୟ ୬୫ ଲକ୍ଷ ୫୦ ହଜାର ୩୮୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ତୁଳନାରେ ଚଳିତ ବର୍ଷ ଖରିଫ୍‌ ଓ ରବିରେ ମୋଟ ୭୦ ଲକ୍ଷ ୫୬ ହଜାର ୫୦୭ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । ସରକାରଙ୍କ ପକ୍ଷରୁ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟ୍ରିକ୍ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରବିଧାନ ସଂଗ୍ରହର ଶେଷ ତାରିଖ ଜୁନ୍‌ ୩୦ ତାରିଖ ମଧ୍ୟରେ ୧୭ ଲକ୍ଷ ୨୫ ହଜାର ୩୨୧ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ । ଗତବର୍ଷ ୧୩ ଲକ୍ଷ ୯୩ ହଜାର ୫୩୯ ଟନ୍‌ ରବିଧାନ ସଂଗ୍ରହ କରାଯାଇଥିଲା । ରାଜ୍ୟର ମୋଟ ୧୭ଟି ଜିଲ୍ଲାର ୨ ଲକ୍ଷ ୫ ହଜାର ୫୫୨ ଜଣ ଚାଷୀ ରବିଧାନ ବିକ୍ରି କରିଥିଲେ । ଧାନ ସଂଗ୍ରହ ବାବଦକୁ ୩୧୨୯ କୋଟି ୯୫ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ରବିଧାନ ସଂଗ୍ରହ କରାଯାଇଥିଲା । ଏଥି ସହିତ ୨୦୧୯-୨୦ ଖରିଫ୍‌ ଧାନ ସଂଗ୍ରହ କ୍ଷେତ୍ରରେ ୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରେକର୍ଡ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଖରିଫ୍‌ ଧାନ ସଂଗ୍ରହ ତୁଳନାରେ ଚଳିତ ବର୍ଷ ୩ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ଗତ ବର୍ଷ ମୋଟ ୫୧ ଲକ୍ଷ ୫୬ ହଜାର ୮୪୩ ମେଟ୍ରିକ୍‌ ଟନ୍‌ ଖରିଫ୍‌ ଧାନ ସଂଗ୍ରହ ହୋଇଥିଲା । ମୂଲ୍ୟ ସହାୟକ ଯୋଜନାରେ ଖରିଫ୍‌ ଧାନ ସଂଗ୍ରହ ବାବଦକୁ ୯୬୭୫ କୋଟି ୬୨ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି । ରାଜ୍ୟର ମୋଟ ୯ ଲକ୍ଷ ୫୬ ହଜାର ୮୬ ଜଣ ଚାଷୀ ଖରିଫ୍‌ ଧାନ ବିକ୍ରି କରିଥିଲେ ।

Comments are closed.