କପିଳଙ୍କ ଭୂମିକାରେ ରଣବୀର

0

ମୁମ୍ବଇ : ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏହା ଭାରତୀୟ କ୍ରିକେଟ ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହୋଇଆସୁଛି। ଏହି କୃତିତ୍ୱର ପ୍ରାୟ ୩୫ ବର୍ଷ ପରେ ଏହି ଘଟଣାକୁ ଅଧିକ ସ୍ମରଣୀୟ କରିବାକୁ କବୀର ଖାନ୍‍ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ଶୀର୍ଷକ ‘୮୩ ରଖାଯାଇଛି। ଉକ୍ତ ଚଳଚ୍ଚିତ୍ରରେ କପିଳଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡ ତାରକା ରଣବୀର ସିଂହ। କପିଳଙ୍କ ଭଳି ଜଣେ କିମ୍ବଦନ୍ତୀ କ୍ରିକେଟରଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରଣବୀର କହିଛନ୍ତି। ଅତୀତରେ ‘ବାଜିରାଓ ମସ୍ତାନି’, ‘ଗଲିଓଁକି ରାସଲୀଳା ରାମ-ଲୀଲା’ ଓ ‘ପଦ୍ମାବତ୍‍’ ଭଳି ସୁପରହିଟ୍‍ ଚଳଚ୍ଚିତ୍ରରେ ନାୟକ ସାଜିଥିବା ରଣବୀର ଏହି ନୂଆ ଭୂମିକାକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡିଛି। ରଣବୀର ଇତିମଧ୍ୟରେ ଲଣ୍ଡନସ୍ଥିତ ଲର୍ଡସ ଗ୍ରାଉଣ୍ଡ ପରିଦର୍ଶନ କରି ପ୍ରାରମ୍ଭିକ ସୂଚନା ସଂଗ୍ରହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସଚିନ ତେନ୍ଦୁଲକର ମଧ୍ୟ ଅଭିନୟ କରୁଛନ୍ତି। ୨୦୨୦ ଏପ୍ରିଲ ୧୦ରେ ଏହା ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ୧୯୮୩ ଜୁନ ୨୫ରେ ଲର୍ଡସରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ୪୩ ରନରେ ପରାସ୍ତକରି ଭାରତ ଚମ୍ପିଆନ ହୋଇଥିଲା।

Leave A Reply