‘ଓଡ଼ିଶା’କୁ ନେଇ ରାମୁଙ୍କ ଅରୁଚିକର ଟ୍ୱିଟ୍‍: ରାଜ୍ୟରେ ଅସନ୍ତୋଷ, ଟ୍ବିଟରରେ ଝଡ଼

ଭୁବନେଶ୍ୱର: ବଲିଉଡ ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଓଡ଼ିଶା ପ୍ରତି ନିନ୍ଦନୀୟ ଏବଂ ଅରୁଚିକର ଟ୍ୱିଟ୍‌। ଯାହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ଓଡ଼ିଶାର ଅଭିନେତ୍ରୀ ଅପ୍ସରା ରାନୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଟ୍ୱିଟ୍‍କୁ ଫଲୋ କରି ରାମଗୋପାଳ ଲେଖିଛନ୍ତି ଯେ, ମୁଁ ପୂର୍ବରୁ ଓଡ଼ିଶାକୁ ଜାଣିନଥିଲି। ଏମିତିକି ୧୯୯୯ ମହାବାତ୍ୟା ପରେ ଓଡ଼ିଶାକୁ ଜାଣିଲି। ଓଡ଼ିଶା ଅନେକ ମହାବାତ୍ୟା ସୃଷ୍ଟି କରିପାରେ। ଓଡ଼ିଶାକୁ ଶକ୍ତି ମିଳୁ। ଉକ୍ତ ଯୁବତୀ ନିଜ ଟ୍ୱିଟ୍‌ରେ ସେ ଓଡ଼ିଶାର ବୋଲି ଉଲ୍ଲେଖ କରିନାହାନ୍ତି। ତେବେ ଏକ ଜାଗାରେ ସେ ଲେଖିଛନ୍ତି ଯେ, ଓଡ଼ିଶାରେ ମୋ ଠାରୁ ଅଧିକ ପ୍ରତିଭାବାନ ରହିଛନ୍ତି।

ଏନେଇ ରାମଗୋପାଳଙ୍କୁ ଅନେକ ଟ୍ରୋଲ୍‌ କରିଥିବା ଜଣାପଡ଼ିଛି। ଓଡ଼ିଶା ବିରୋଧରେ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଏବଂ ଏହାକୁ ନେଇ ଓଲିଉଡରେ ଅସନ୍ତୋଷ ତେଜିବାରେ ଲାଗିଛି। ନିର୍ଦେଶକ ବସନ୍ତ ସାହୁ କହିଛନ୍ତି, ର୍ପୂବରୁ ମଧ୍ୟ ରାମଗୋପାଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଅଡୁଆ ପରିସ୍ଥିତିରେ ପଡ଼ିଥିଲେ। ପୁଣିଥରେ ବିବାଦରେ ଫସିଛନ୍ତି। ଏଭଳି ମନ୍ତବ୍ୟ ବା ଟ୍ୱିଟ୍‌ କରିବା ପୂର୍ବରୁ ଭାବିବା ଦରକାର। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅଭିନେତା, ସିନେ କଳାକାର ସଂଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ସାରା ଦେଶରେ ଓଡ଼ିଶାକୁ କିଏ ବା ନଜାଣେ। ଶ୍ରୀ ବର୍ମା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅକ୍ଷୟମଣୀୟ ଅପରାଧ। ସିନେ ସମୀକ୍ଷକ ଦିଲୀପ ହାଲି କହିଛନ୍ତି, ଜଣେ ଜାତୀୟସ୍ତରର ନିର୍ଦେଶକ ଏପରି କହିବା ଅରୁଚିକର। ୧୯୯୯ ମହାବାତ୍ୟା ତାଙ୍କ ପାଇଁ ବଡ଼ ହୋଇପାରେ। ଜଣେ ମହିଳା କଳାକାରଙ୍କ ଫଟୋ ପୋଷ୍ଟ କରି ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ତାଙ୍କଠାରୁ ଏଭଳି ଆଶା କରାଯାଇନପାରେ। ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, ଜଣେ ବରିଷ୍ଠ ନିର୍ଦେଶକ ଭାବେ ମୁଁ ଶ୍ରୀ ବର୍ମାଙ୍କୁ ସମ୍ମାନ କରେ। ଓଡ଼ିଶାକୁ ସେ ଜାଣିନଥିବା କହିବା ପରେ ତାଙ୍କୁ ଭୁଲିଯିବାକୁ ଇଚ୍ଛା ହେଉଛି। ନିଜ ଚଳଚ୍ଚିତ୍ର ହେଉ ଅବା କଳାକାରଙ୍କୁ ପ୍ରମୋଟ୍‌ କରିବା ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବା ଠିକ୍‌ , କିନ୍ତୁ କୌଣସି ଜାତି, ଗୋଷ୍ଠୀ ଅବା ଅଞ୍ଚଳକୁ ନେଇ ଏଭଳି କ୍ଷତି ପହଞ୍ଚାଇଲା ଭଳି ପୋଷ୍ଟ କଲେ ତାହା ସବୁବେଳେ ହାନିକାରକ ହୋଇଥାଏ।

Comments are closed.