ରାମଦେବଙ୍କ କମ୍ପାନୀକୁ ହାଇକୋର୍ଟଙ୍କ ନିର୍ଦେଶ,ଲାଭାଂଶ ଅଞ୍ଚଳବାସୀଙ୍କ ପାଇଁ ଖର୍ଚ୍ଚ କର

0

ନୈନିତାଲ: ଯୋଗଗୁରୁ ରାମଦେବଙ୍କ ପରିଚାଳିତ କମ୍ପାନୀକୁ ଅଦାଲତ ଝଟକା ଲାଗିଛି। ରାମଦେବଙ୍କ ଦିବ୍ୟ ଫାର୍ମାସୀ କମ୍ପାନୀକୁ ଏହାର ଲାଭର କିଛି ଅଂଶ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକାଶ ଦିଗରେ ଖର୍ଚ୍ଚ କରିବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡ (ୟୁବିବି) ଦିବ୍ୟ ଫାର୍ମା କମ୍ପାନୀକୁ ଏହି ନିର୍ଦେଶ ଦେଇଥିବାବେଳେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ତେବେ​‌କମ୍ପାନୀର ପିଟିସନକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ୟୁବିବିର ନିର୍ଦେଶକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି କମ୍ପାନୀ ଏହାର ଲାଭର କିଛି ଅଂଶ ସ୍ଥାନୀୟ କୃଷକ ଓ ଅନ୍ୟ ସମ୍ପ୍ରଦାୟର ବିକାଶ ଦିଗରେ ଖର୍ଚ୍ଚ କରିବା ଦରକାର। ବାୟୋଲୋଜିକାଲ ଡାଇଭର୍ସିଟି ଆଇନ ୨୦୦୨ ଅନୁଯାୟୀ ପ୍ରତ୍ୟେକ କମ୍ପାନୀ ଏହାର ଲାଭାଂଶକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକାଶ ଲାଗି ଖର୍ଚ୍ଚ କରିବାକୁ ବାଧ୍ୟ। ବିଚାରପତି ସୁଧାଂଶୁ ଧୁଲିଆଙ୍କ ପୀଠ କହିଛନ୍ତି ଯେ ଦିବ୍ୟ ଫାର୍ମା କମ୍ପାନୀ ପ୍ରାକୃତିକ ଉତ୍ସ ଓ କୃଷିଜାତ ସାମଗ୍ରୀକୁ କଞ୍ଚାମାଲ ଭାବେ ବ୍ୟବହାର କରୁଛି। ଏହି କଞ୍ଚାମାଲରୁ ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରି କମ୍ପାନୀ ୪୨୧ କୋଟି ଟଙ୍କା ଲାଭ ପାଇଥିବାବେଳେ ଏଥିରୁ ୨କୋଟି ଟଙ୍କା ସ୍ଥାନୀୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରିବାକୁ ୟୁବିବି ନିର୍ଦେଶ ଦେଇଥିଲା। ସ୍ଥାନୀୟବାସୀମାନେ ଦିବ୍ୟ ଫାର୍ମାସୀ ପାଇଁ କଞ୍ଚାମାଲ ପ୍ରସ୍ତୁତ କରିଥାନ୍ତି; ତେଣୁ କମ୍ପାନୀ ସେମାନଙ୍କ ହିତ ଲାଗି କିଛି ଦାନ କରିବା ଦରକାର।

Leave A Reply