ରାକେଶକୁ ୩ ଦିନିଆ ରିମଣ୍ଡରେ ନେବ ଯାଜପୁର ପୁଲିସ, ଝରାଫୁଲ ମୃତ୍ୟୁ ସହିତ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ରାକେଶ ଠାରୁ ଜାଣିବାକୁ କରିବ ଉଦ୍ୟମ

ବହୁଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଯାଜପୁର ଜିଲା କୋର୍ଟ ପକ୍ଷରୁ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଫଳରେ କୁଆଖିଆ ପୁଲିସ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ରିମାଣ୍ଡରେ ନେବ। ତେବେ ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କୁଆଖିଆ ପୁଲିସ ଆବେଦନ କରିଥିଲା।
ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ରାକେଶକୁ ୫ ଦିନ ରିମାଣ୍ଡରେ ଆଣିବା ପାଇଁ କୁଆଖିଆ ପୁଲିସ ଆବେଦନ କରିଥିଲା। ଆଜି କୁଆଖିଆ ପୁଲିସର ଏହି ରିମାଣ୍ଡ ଆବେଦନର ଶୁଣାଣି କରି ଯାଜପୁର ଜିଲା କୋର୍ଟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି।


ଯାଜପୁର ଜିଲା କୋର୍ଟଙ୍କ ଅନୁମତି ମିଳିଥିବାରୁ ଏବେ କୁଆଖିଆ ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ। ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିବା ନେଇ ସମ୍ଭାବନା ରହିଛି। ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ଝରାଫୁଲ-ରାକେଶ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯାଇଥିଲେ। ବାଟ ଯିବାବେଳେ ଆଉ କିଛି ଖାଇଥିଲେ କି ? ସେହିଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇଥିଲେ କି ? ସେଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କ’ଣ ଘଟିଥିଲା, ଏମିତି ଝରାଫୁଲ ମୃତ୍ୟୁ ସହିତ ଜଡ଼ିତ ଥିବା ଅନେକ ପ୍ରଶ୍ନର ଉତ୍ତର ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ କୁଆଖିଆ ପୁଲିସ। ଆବଶ୍ୟକତା ଅନୁଯାୟୀ କୁଆଖିଆ ପୁଲିସ ରାକେଶକୁ ସେହି ସବୁ ସ୍ଥାନକୁ ନେଇ ସେଠାରେ ସିନ୍ ରି-କ୍ରିଏସନ କରି ସତ ଜାଣିବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଛି।


ସୂଚନା ମୁତାବକ, ରସୁଲପୁର ବ୍ଲକ୍‍ ଅନ୍ତର୍ଗତ କୁଆଖିଆ ଥାନା ଅଞ୍ଚଳରୁ ବୁଧବାର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ରୀଙ୍କ ନିକଟରୁ ପୁଲିସ ଏକ ଏୟାର ବ୍ୟାଗ୍‌ ଜବତ କରିଥିଲା। ଉକ୍ତ ବ୍ୟାଗ୍‌ରୁ ଛାତ୍ରୀଙ୍କ ପରିଚୟପତ୍ର, ଟେଲିଫୋନ୍‌ ନମ୍ବର, ପୋଷାକ ପତ୍ର, ପାଠ୍ୟ ପୁସ୍ତକ ମିଳିଛି। ମିଳିଥିବା ମୋବାଇଲ ନମ୍ବରକୁ ଆଧାରକରି ପୁଲିସ ତା’ର ପରିବାରବର୍ଗଙ୍କୁ ଖବର ଦେଇଥିଲା। ମୃତ ଛାତ୍ରୀ ଜଣଙ୍କ ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ ଦର୍ଶନଶାସ୍ତ୍ର ସମ୍ମାନ ଛାତ୍ରୀ ଝରାଫୁଲ ନାୟକ(୨୦) ବୋଲି ଜଣାପଡିଥିଲା। ଏହି ମାମଲାରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ପୁଲିସ ଭୁବନେଶ୍ବରରୁ ଗିରଫ କରିଥିଲା।
ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଗଣାମଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଝରାଫୁଲର ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ଲାଗି ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଛି। ଗେଷ୍ଟହାଉସ୍‌କୁ ଆସିବା ପୂର୍ବରୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ସେମାନେ ବିରିୟାନି ଖାଇଛନ୍ତି। ଉକ୍ତ ହୋଟେଲ୍‌ର ଟେବୁଲ୍‌ ଉପରେ ଝରାଫୁଲ ହାମୁଡେଇ ବସିଥିଲେ। ସେଥିରୁ ସେ ଅସୁସ୍ଥ ଥିବା ନେଇ ପୁଲିସ ଅନୁମାନ କରୁଛି। ଏପରିକି ଉକ୍ତ ହୋଟେଲ୍‌ରେ ଝରାଫୁଲ କାନ୍ଦୁଥିଲା ଏବଂ ପରେ ବାନ୍ତି କରିଥିବା ନେଇ ରାକେଶ ଦେଇଥିବା ବୟାନ ଏବଂ ହୋଟେଲ୍‌ର କର୍ମଚାରୀଙ୍କୁ ପଚରାଉଚରା ବେଳେ ଜଣାପଡିଛି। ସେମାନେ ଅପରାହ୍ଣ ପ୍ରାୟ ଗୋଟାଏ ପାଖାପାଖି ଉକ୍ତ ହୋଟେଲ୍‌ରୁ ଏକ ସ୍କୁଟିରେ ବାହାରିଥିଲେ। ଉକ୍ତ ହୋଟେଲ୍‌ରୁ ମଧ୍ୟ ସିସିଟିଭି ସଂଗ୍ରହ କରାଯାଇଛି। ସେତେବେଳେ କେବଳ ଦୁହେଁ ଥିଲେ।


ଝରାଫୁଲ ଜାନୁଆରୀ ୨୬ ସକାଳେ ବାଣୀବିହାର ବସ୍‌ଷ୍ଟପ୍‌ରେ ଓହ୍ଲାଇବା ପରେ ଅସୁସ୍ଥ ଏବଂ ପେଟ କାଟୁଥିବା ନେଇ ଘରକୁ ଜଣାଇଥିଲେ। ପ୍ରକୃତରେ ଝିଲି ଅସୁସ୍ଥ ଥିଲେ ନା ପରବର୍ତ୍ତୀ ସମୟରେ ରାକେଶ ସହ ଦେଖାହେବା ପରେ ସେ ଅସୁସ୍ଥ ହୋଇପଡିଥିଲେ ତାହା ଏବେ ପୁଲିସର ତଦନ୍ତ ପରିସରଭୁକ୍ତ ହୋଇଛି। ଝରାଫୁଲଙ୍କୁ ରାକେଶ ମନ୍ଦ ଉଦ୍ଦେଶ୍ୟ ନେଇ କିଛି ଖାଇବାକୁ ଦେଇଥିବା ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁ ସନ୍ଦେହ ଦୂର ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Comments are closed.