ରମାଦେବୀ ଅଧ୍ୟାପିକାଙ୍କୁ କରୋନା, ଆସନ୍ତାକାଲି ଛାତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପିକା କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀମାନେ ଆତଙ୍କିତ ହୋଇପଡିଛନ୍ତି। ସମ୍ପୃକ୍ତ ଅଧ୍ୟାପିକା ଗତକାଲି ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ପରୀକ୍ଷା ଓ ସଙ୍ଗରୋଧ କରିବା ଆବଶ୍ୟକ ହୋଇପଡିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରୀ ଓ କର୍ମଚାରୀଙ୍କର ଆସନ୍ତାକାଲି କରୋନା ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏ ପର୍ଯ୍ୟନ୍ତ କେହି କରୋନା ପଜିଟିଭ ଚିହ୍ନଟ ହୋଇନଥିବା କୁଳପତି କହିଛନ୍ତି। ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଉଥିବାରୁ କାର୍ଯ୍ୟକ୍ରମ ସହ ଜଡିତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଗଣମାଧ୍ୟମ ବ୍ୟକ୍ତି ଓ ପୁଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ଏ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ କରୋନା ନାହିଁ ତେଣୁ ଏବେ ସ୍କୁଲ ବନ୍ଦ ହେବାର ସମ୍ଭାବନା ନାହିଁ କିନ୍ତୁ ଏବେ ରାଜ୍ୟର କେଉଁ ବିଶ୍ୱବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି ଓ ସେଠାରେ କରୋନା ପରୀକ୍ଷା ଆରମ୍ଭ ହୋଇଛି କି ନାହିଁ ଏବଂ ନିର୍ଦ୍ଦେଶାବଳୀ ପାଳନ କରାଯାଉଛି କି ନାହିଁ, ସେ ସମ୍ପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Comments are closed.