ରମାଦେବୀ ଭିତ୍ତିଭୂମି ପରଖିଲେ ଉଚ୍ଚଶିକ୍ଷା ସଚିବ

ଫେବୃଆରୀରେ ଲୋକାର୍ପଣ ହେବ ୪ ଅଟ୍ଟାଳିକା

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମି ପରଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଆସନ୍ତା ମାସରେ ବିଶ୍ବବିଦ୍ୟାଳୟର ୪ ଅଟ୍ଟାଳିକା ଲୋକାର୍ପଣ ହେବାକୁ ଥିବାରୁ ସେ ସ୍ଥିତି ପରଖିଛନ୍ତି। ଉଦ୍‌ଘାଟନ ହେବାକୁ ଥିବା ୪ ଅଟ୍ଟାଳିକାରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଯାଇଛି। ସଚିବଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତାବିତ ଦ୍ବିତୀୟ କ୍ୟାମ୍ପସକୁ ନେଇ ଆଲୋଚନା ହୋଇଛି। ତେବେ ଦ୍ବିତୀୟ କ୍ୟାମ୍ପସ୍‌ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବାବେଳେ ଏହା ପୁଣି ଝୁଲି ରହିଛି।
ସୂଚନା ଅନୁଯାୟୀ ଆସନ୍ତା ୮ ତାରିଖରେ କବି କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ୪ ଅଟ୍ଟାଳିକା ଲୋକାର୍ପଣ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଲୋକାର୍ପିତ ହେବାକୁ ଥିବା ପାଠାଗାର ନାମ ମଧ୍ୟ କୁନ୍ତଳା କୁମାରୀ ସାବତ ପାଠାଗାର ରଖାଯାଇଛି। ସେହିପରି କଳା ଓ ବିଜ୍ଞାନ ବ୍ଲକ୍‌ ସହ ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ପ୍ରସ୍ତୁତ ହୋଇ ରହିଛି। ଏହି ୪ ଅଟ୍ଟାଳିକା ବୁଲି ସ୍ଥିତି ପରଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର।
ଏହି ଅବସରରେ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ୍‌ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପୂର୍ବରୁ ବିଶ୍ବବିଦ୍ୟାଳୟ ପାଇଁ ଏହି କ୍ୟାମ୍ପସ୍‌ ପାଇଁ ଚିହ୍ନଟ ଜମି ଦୂର ଥିବା ମତପ୍ରକାଶ ପାଇଥିଲା। ଏବର କ୍ୟାମ୍ପସ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ସରିବା ପରେ ଦ୍ବିତୀୟ କ୍ୟାମ୍ପସ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଥିଲା। ଅନ୍ୟପକ୍ଷରେ ସିପିଡବ୍ଲ୍ୟୁଡି ପକ୍ଷରୁ ନିର୍ମାଣାଧୀନ ଅଟ୍ଟାଳିକା କାମକୁ ନେଇ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାମ କିଭଳି ତୁରନ୍ତ ସରିବ ସେନେଇ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଥିଲେ।
ସେହିପରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ୧୨(ବି) ସାର୍ଟିଫିକେସନ୍‌ ପାଇଁ ଏକ ଟିମ୍‌ ମଧ୍ୟ ଆସନ୍ତା ଫେବୃଆରୀରେ ବିଶ୍ବବିଦ୍ୟାଳୟ ଗସ୍ତରେ ଆସିବେ। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୀର୍ଘ ଦିନ ଧରି ଅସଜଡ଼ା ଥିବା ଭିତ୍ତିଭୂମିକୁ ସଜାଡ଼ିବାକୁ ପ୍ରୟାସ କରାଯାଉଛି।

Comments are closed.