କୋଣାର୍କରେ ମାଆ ରାମଚଣ୍ଡୀ

0

ପୁଣ୍ୟତୋୟା କୁଶଭଦ୍ରା ନଦୀ ଓ ପବିତ୍ର ମହୋଦଧିର ସଂଗମସ୍ଥଳରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଶୋଭାର ଗନ୍ତାଘର ମଧ୍ୟରେ ରହିଛି ଅର୍କକ୍ଷେତ୍ରର ରକ୍ଷୟିତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠ। ଅର୍କକ୍ଷେତ୍ରର ଦେବୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ଶ୍ରେଷ୍ଠ ଦେବୀରୂପେ ପୂଜିତା। ମା’ ରାମଚଣ୍ଡୀଙ୍କ ମାହାତ୍ମ୍ୟ ଓ ଅବସ୍ଥିତି ସମ୍ପର୍କରେ ମାଦଳା ପାଞ୍ଜି, ପୁରୁଷୋତ୍ତମ ମାହାତ୍ମ୍ୟ, ଶାରଳା ମହାଭାରତ, ଦାଣ୍ଡି ରାମାୟଣ ଓ ବିଭିନ୍ନ କିମ୍ବଦନ୍ତୀରୁ ସୂଚନା ମିଳେ।
ମାଆଙ୍କ ମନ୍ଦିର ଅତି ପ୍ରାଚୀନ। ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟମନ୍ଦିରର ବହୁ ପୂର୍ବରୁ ମା’ ରାମଚଣ୍ଡୀ ଏଠାରେ ଅବସ୍ଥାପିତ ବୋଲି ଗବେଷକମାନେ ମତ ଦିଅନ୍ତି।
ପାଶ୍ୱର୍ ଦେବତା– ମା’ ରାମଚଣ୍ଡୀଙ୍କ ମନ୍ଦିର ସମ୍ମୁଖ ଓ ବହିଃପାଶ୍ୱର୍ରେ ଅଷ୍ଟଭୁଜା ଦୁର୍ଗା, ବରାହ, ବାମନ ପ୍ରଭୃତି ମୂର୍ତ୍ତି ରହିଛନ୍ତି। ପଶ୍ଚିମ ପାଶ୍ୱର୍ ବେଢ଼ାରେ ପାଶ୍ୱର୍ ଦେବତାରୂପେ ଗୋଟିଏ ବୁଦ୍ଧମୂର୍ତ୍ତି ରହିଛି। ଏଥିରେ ପାଲି ଭାଷାରେ ଏକ ଶିଳାଲେଖ ରହିଛି। ଏହି ଶିଳାଲେଖ ସମ୍ବନ୍ଧରେ ଏଯାବତ୍ କୌଣସି ଗବେଷଣା ହୋଇ ନାହିଁ।
ମାଆଙ୍କ ଦୈନନ୍ଦିନ ପୂଜାନୀତି – ମା’ ରାମଚଣ୍ଡୀ ହେଉଛନ୍ତି ଦଶଭୁଜା ମହିଷମର୍ଦିନୀ ଦୁର୍ଗା। ପୂର୍ବକାଳରେ ମାଆଙ୍କ ପୀଠ ଏକ ପ୍ରସିଦ୍ଧ ତନ୍ତ୍ରପୀଠରୂପେ ଖ୍ୟାତିଲାଭ କରିଥିବା କଥା କେତେକ ଗବେଷକ ମତ ଦିଅନ୍ତି। ମାଆଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ଭୋର ୪ଟାରେ ପହଡ଼ ଖୋଲାହୁଏ। ମାଆଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା ପରେ ସକାଳ ୬ଟାରେ ବଲ୍ଲଭ ଭୋଗ ଓ ପିଠା ଲାଗି କରାଯାଏ। ଏହି ସମୟରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲାରହେ। ମଧ୍ୟାହ୍ନରେ ଅନ୍ନଭୋଗରେ ଖେଚୁଡି, ଅନ୍ନ, ଡାଲି, ମାଛଭଜା, ମାଛ ପୋଡାବଳି, ମାଛ ତରକାରି, ଏଣ୍ଡୁରି ପିଠା, ଖଟା, କ୍ଷିରିଭୋଗ ଲାଗି ହୁଏ। ଏହାପରେ ଦିନ ୧ଟା ପର୍ଯ୍ୟନ୍ତ ପହଡ଼ ପଡ଼େ। ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଲାଗିରହେ। ସନ୍ଧ୍ୟା ୬ଟାରେ ଆଳତି, ୬ଟା୩୦ରେ ସ୍ନାନ ଓ ବାଳଭୋଗ, ରାତ୍ରି ୧୦ଟାରେ ରାତ୍ର ଭୋଗରେ ଦହି ପଖାଳ, କାକରା ଓ ପଣା ଲାଗି କରାଯାଏ। ରାତ୍ରଭୋଗ ଶେଷରେ କଂସାପାତ୍ରରେ ପଇଡ଼ ପାଣିକୁ ମାଆଙ୍କୁ ସମର୍ପଣ କରାଯାଏ। ରାତି ୧୧ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଡ଼େ। ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମୋଟ ୫ଥର ମାଆଙ୍କ ନିକଟରେ ଆଳତି ହୋଇଥାଏ।
ମନ୍ତ୍ର –
ଓଁ ହ୍ରୀଂ ଦୁଂ ଉତ୍ତିଷ୍ଠ ପୁରୁଷୀଂ କିଂ ସ୍ୱପିସି ଭୟମେ ସମୁପସ୍ଥିତଂ ଯଦି ଶକ୍ୟଂ ଅଶକ୍ୟମ୍ ହୁଂ ଦୁଂ ଦୁର୍ଗେ ଭଗବତୀ ସମୟ ସ୍ୱାହା।
ପ୍ରମୁଖ ପର୍ବପର୍ବାଣି – ମାଆଙ୍କ ପ୍ରମୁଖ ପର୍ବ ମଧ୍ୟରେ ରହିଛି ଆଶ୍ୱିନ ମାସର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳପୂଜା,ପୌଷମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଓଢ଼ଣୀ ଷଷ୍ଠୀ, ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଅଷ୍ଟପ୍ରହର ନାମଯଜ୍ଞ, ଚୈତ୍ରମାସ କୃଷ୍ଣ ପ୍ରତିପଦାଠାରୁ ରାମନବମୀ ପର୍ଯ୍ୟନ୍ତ ବାସନ୍ତିକ ପୂଜା ବା ନବପତ୍ରିକା ପୂଜା। ନବପତ୍ରିକାରେ ନଅ ଦିନବ୍ୟାପୀ ଚଣ୍ଡୀପାଠ କରାଯାଏ। ଏତଦ୍‍ବ୍ୟତୀତ ମାଆଙ୍କ ପୀଠରେ ବୈଶାଖ ମାସ ଶେଷ ଗୁରୁବାର ଦିନ ହାଣ୍ଡିଭଙ୍ଗା ଯାତ ପାଳନ କରାଯାଏ, ଯାହାକୁ ମାଆଙ୍କର ଏକ ନିଆରା ପର୍ବ ବୋଲି କୁହାଯାଏ।
ଷୋଳପୂଜାରେ ସ୍ୱତନ୍ତ୍ର ନୀତି – ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ(ମୂଳାଷ୍ଟମୀ)ଠାରୁ ଶୁକ୍ଳପକ୍ଷ ଅଷ୍ଟମୀ(ମହାଷ୍ଟମୀ) ପର୍ଯ୍ୟନ୍ତ ମାଆଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଅନୁଷ୍ଠିତ ହୁଏ। ଷୋଳପୂଜାର ସ୍ୱତନ୍ତ୍ର ନୀତି ସମ୍ପାଦନ ନିମନ୍ତେ ଜଣେ ଅଭିଜ୍ଞ ସେବାୟତ ଓ ଚଣ୍ଡୀପାଠ ନିମନ୍ତେ ଜଣେ ପଣ୍ଡିତ ବ୍ରାହ୍ମଣ ସଂକଳ୍ପ କରିଥାନ୍ତି। ଏମାନଙ୍କୁ ନୀତି ସଂପାଦନରେ ଫୁଲ, ବେଲପତ୍ର ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ ଯୋଗାଇ ଦେଉଥିବା ଜଣେ ମାଳୀ ମହାପାତ୍ର ସେବାୟତ ମଧ୍ୟ ଷୋଳପୂଜା ପାଇଁ ସଂକଳ୍ପ କରି ନିଷ୍ଠାରେ ରୁହନ୍ତି। ଏହି ସମୟରେ ପ୍ରତ୍ୟହ ଷୋଡ଼ଶ ଉପଚାରରେ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ ହୋଇଥାଏ। ଏଣୁ ଦୈନନ୍ଦିନ ପୂଜାନୀତି ଓ ସାହାଣମେଲା ସମୟ ସାରଣୀରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ସାଧାରଣ ଦିନରେ ସକାଳ ୭ ଓ ଦିନ ୧ଟାରେ ସାହାଣମେଲା ପରିବର୍ତ୍ତେ ଷୋଳପୂଜା ସମୟରେ ସକାଳ ୯ଟା ଓ ଅପରାହ୍ଣ ୩ଟାରେ ସାହାଣମେଲା ରୁହେ। ମୂଳାଷ୍ଟମୀ ତିଥିରେ ଜଳାଧିବାସ, ସହସ୍ର କୁମ୍ଭାଭିଷେକ ଓ ବ୍ରହ୍ମାବରଣ ନୀତି ସମ୍ପନ୍ନ ହୋଇଥାଏ। ମାଆଙ୍କୁ ପ୍ରତ୍ୟହ ସ୍ୱତନ୍ତ୍ର ବେଶକରାଯାଇଥାଏ। ମାଆଙ୍କ ବେଶରେ ମୁଖ୍ୟତଃ ନାଲି ମନ୍ଦାର ଓ ପଦ୍ମଫୁଲର ବହୁଳ ବ୍ୟବହାର କରାଯାଇଥାଏ। ଷୋଳପୂଜାର ବିଭିନ୍ନ ଦିବସରେ ମାଆଙ୍କୁ ମହାକାଳୀ, ତାରା, ବନଦୁର୍ଗା, ବଗଳାମୁଖୀ, ଭୈରବୀ, ଭୁବନେଶ୍ୱରୀ, ଷୋଡ଼ଶୀ, ଲକ୍ଷ୍ମୀ, ମାତଙ୍ଗିନୀ, ଜୟଦୁର୍ଗା, ମହିଷମର୍ଦିନୀ ଓ ମହା କାତ୍ୟାୟନୀ ବେଶରେ ସଜ୍ଜିତ କରାଯାଇଥାଏ। ସକାଳେ ଓ ସନ୍ଧ୍ୟାରେ ଦୁଇବେଳା ଚଣ୍ଡୀପାଠ କରାଯାଏ। ସକାଳ ୯ଟାରେ ଖେଚୁଡ଼ି ଧୂପ ଓ ରାତି ୯ଟାରେ ବାଳଧୂପ ପରେ ଚଣ୍ଡୀପାଠ ହୁଏ।
ବଳିପ୍ରଥା – ପରମ୍ପରା ଅନୁଯାୟୀ ମହାଷ୍ଟମୀ ରାତି ୩ଟାରେ ପାଞ୍ଚ ପା’ ଘିଅ ସହିତ ୧୦୮ ବେଲପତ୍ର ହୋମାଗ୍ନିରେ ପୋଡ଼ା ହେବା ପରେ(ଆହୁତି) ସ୍ଥାନୀୟ ଜମିଦାରଙ୍କ ପ୍ରଦତ୍ତ ଏକ ମେଷକୁ ବଳି ପକାଇ ତାର ରକ୍ତକୁ ମାଆଙ୍କୁ ସମର୍ପଣ କରାଯାଇଥାଏ। ମହାଷ୍ଟମୀ ରାତି ୧୨ଟା ପରେ ମାଆଙ୍କର ମହା କାତ୍ୟାୟନୀ ବେଶ କରାଯିବା ପରେ ବଳି ନିମନ୍ତେ ହୋମାଦି କର୍ମ ସମ୍ପାଦିତ ହୋଇ ପଶୁବଳି ନୀତି ସମ୍ପନ୍ନ ହୁଏ।
ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ – ମା’ଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ ଏକ ଅନନ୍ୟ ପରମ୍ପରା। ବୈଶାଖ ମାସ ଶେଷ ଗୁରୁବାର ଏହି ନିଆରା ପର୍ବ ପାଳନ କରାଯାଇଥାଏ। ମାଆଙ୍କୁ ଏହି ଦିନ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥାଏ। ବର୍ଷରେ ଏକମାତ୍ର ଏହି ଗୋଟିଏ ଦିନ ମାଆଙ୍କ ନିକଟରେ ଆମିଷ ଭୋଗ କରାଯାଏ ନାହିଁ। ମାଆଙ୍କ ପୀଠ ସଂଲଗ୍ନ ଖାଲକଟାପାଟଣା ଓ ଟିକନା ଗ୍ରାମର କୁଳବଧୂମାନେ ଏହି ପର୍ବରେ ସାମିଲି ହୋଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ତଥା ଅନ୍ୟାନ୍ୟ ବିପତ୍ତିରୁ ରକ୍ଷା ନିମନ୍ତେ ମାଆଙ୍କ ନିକଟରେ କୁଳବଧୂମାନେ ଏହି ପର୍ବ ପାଳନ ଅବସରରେ ପ୍ରାର୍ଥନା କରିଥାନ୍ତି।
ସୌଜନ୍ୟ – ସତ୍ୟବାଦୀ ଡ଼େସ୍କ

Leave A Reply