+୨ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ରମାଦେବୀରେ ଅଶାନ୍ତି; ବୁଝାସୁଝା ପରେ ହଟିଲା ରାସ୍ତାରୋକ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାକୁ ବିରୋଧ କରି ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି। ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ଦୁଇ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଉତ୍ତେଜନାମୂଳକ ପରିସ୍ଥିତକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ସଜାଗ ରହିଥିଲା। ଘଟଣାସ୍ଥଳରେ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ, ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ହେବା ପରେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାର ପ୍ରତିବାଦରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପରୀକ୍ଷା ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଗତ ସୋମବାର କଟକ ଓ ଭୁବନେଶ୍ବରରେ ଅନେକ କଲେଜ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିଲେ। କଟକର କିଛି ଛାତ୍ରଛାତ୍ରୀ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହର୍ଷି କଲେଜ, ଏକାମ୍ର କଲେଜର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।

Comments are closed.