ଏମିତି ଦିଶିବ ରାମ ମନ୍ଦିର: ଦେଖନ୍ତୁ ମନ୍ଦିର ଓ ଏହାର ପରିସରର ପରିକଳ୍ପନା

୩ ଏକରରେ ମନ୍ଦିର, ୬୭ ଏକର ଜମିରେ ମ୍ୟୁଜିୟମ ସହ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୧୯୮୯ରେ ରାମମନ୍ଦିର ଓ ଏହାର ପରିସର ନିର୍ମାଣ ନିମନ୍ତେ ପ୍ରସ୍ତୁତ କରିଥିଲା ନୂଆ ମଡ଼େଲ 

ଅଯୋଧ୍ୟାରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ମନ୍ଦିରର ଭୂମିପୂଜା କରିବେ । ଏହା ପୂର୍ବରୁ ମଙ୍ଗଳବାର ରାମମନ୍ଦିର ମଡ଼େଲ ସାମ୍ନାକୁ ଆସିଛି । ୧୬୧ ଫୁଟ ଉଚ୍ଚ ରାମମନ୍ଦିରରେ ୫ ମଣ୍ଡପ ଶିଖର ଓ ଏକ ମୁଖ୍ୟ ଶିଖର ରହିବ । କୁହାଯାଉଛି ଯେ ପ୍ରତ୍ୟେକ କୋଣରୁ ମନ୍ଦିର ସ୍ପଷ୍ଟ ଭାବରେ ପରିଲକ୍ଷିତ ହେବା ପରି ଢ଼ାଞ୍ଚା ପ୍ରସ୍ତୁତ କରାଯାଇଛି । ୧୯୮୯ରେ ଏହି ମଡ଼େଲ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାମାନ୍ୟ ପରିବର୍ତନ କରିଛି। ଏହି ମନ୍ଦିର ନିର୍ମାଣ ନିମନ୍ତେ ୪୨ ମାସ ଧାର୍ଯ୍ୟ ହୋଇଛି ।

ରାମମନ୍ଦିର ନକ୍ସା ପ୍ରସ୍ତୁତ କରିଥିବା ମୁଖ୍ୟ ସ୍ଥପତି ସୋମପୁରାଙ୍କ ପୁଅ ନିଖିଳ ସୋମପୁରାଙ୍କ ସୂଚନା ଅନୁସାରେ ମନ୍ଦିର ନିକଟରେ ୭୦ ଏକର ଜମି ରହିଛି । ମାତ୍ର ଏହାମଧ୍ୟରୁ ୩ ଏକର ଜମିରେ ମନ୍ଦିର ନିର୍ମାଣ ହେବ । ଅବଶି​ଷ୍ଟ ଜମିରେ ମନ୍ଦିର ପରିସର ନିର୍ମାଣ ହେବ ।

ରାମମନ୍ଦିର ନିର୍ମାଣ ନିମନ୍ତେ ୧୨ରୁ ୧୪ ଫୁଟ ଉଚ୍ଚତାର ପ୍ଲାଟଫର୍ମ ନିର୍ମାଣ ହେବ । ମନ୍ଦିରରେ ଦୈନିକ ୧ ଲକ୍ଷ ଭକ୍ତଙ୍କ ଯାତାୟତ କରିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ମନ୍ଦିର ଢ଼ାଞ୍ଚାରେ ସାମାନ୍ୟ ପରିବର୍ତନ କରାଯାଇଛି । ମନ୍ଦିରକୁ ନାଗର ଣୈଳୀରେ ନିର୍ମାଣ କରାଯାଇଛି । ଏଥିରେ ସିମେଣ୍ଟ ବ୍ୟବହାର କରାଯିବ ନାହିଁ । ପ୍ରଥମେ ମନ୍ଦିରର ଦୁଇଟି ଚୂଡ଼ା ନିର୍ମାଣ ପାଇଁ ଯୋଜନା ହୋଇଥିଲା । ମୂଳ ମଡ଼େଲକୁ ବିନା ପରିବର୍ତନ କରି ୫ଟି ଚୂଡ଼ା କରାଯିବ ବୋଲି ସ୍ଥିର ହୋଇଛି । ଗର୍ଭଗୃହର ୨୦୦ ଫୁଟ ନିମ୍ନ ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇଛି । ଯେଉଁ ସ୍ଥାନରେ ମନ୍ଦିର ଭାର ସହନକ୍ଷମ ମାଟି ଦୁର୍ବଳ ଜଣାଯିବ ସେଇଠାରୁ ମନ୍ଦିରର ନିଅଁ ପର୍ଯ୍ୟନ୍ତ ପ୍ଳାଟଫର୍ମ ନିର୍ମାଣ ହେବ ।

ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବସିବା, ପ୍ରାର୍ଥନା କରିବା ନିମନ୍ତେ ମଣ୍ଡପ ନିର୍ମାଣ ହେବ । ମନ୍ଦିରରେ ସିଂହଦ୍ବାର, ରଙ୍ଗମଣ୍ଡପ, ନୃତ୍ୟମଣ୍ଡଳ, ପୂଜା କକ୍ଷ ଓ ଗର୍ଭଗୃହ ଉପରେ ୫ଟି ଚୂଡ଼ା ରହିବ । ଶିଳାପୂଜା ପରେ ମେସିନ ସହାୟତାରେ ନିଅଁ ଖୋଳା ପ୍ରକ୍ରିୟା ଆରମ୍ଭ ହେବ । ଏହି ମନ୍ଦିରରେ ୩୧୮ଟି ଖମ୍ବ ରହିବ ଏବଂ ସାରା ମନ୍ଦିର ଏହି ଖମ୍ବ ଉପରେ ଠିଆ ହେବ । ମନ୍ଦିର ନିମନ୍ତେ ପାଖାପାଖି ୧.୭୫ ଲକ୍ଷ ଘନ ମିଟର ପଥର ଆବଶ୍ୟକ ହେବ । କାରସେବକପୁରମରୁ ମନ୍ଦିର ନିମନ୍ତେ ପଥର ଅଣାଯିବ ଏବଂ ଏଥିରେ ପ୍ରଥମ ମହଲା ନିର୍ମାଣ ହେବ । ଅବଶିଷ୍ଟ ଦୁଇ ମହଲା ନିମନ୍ତେ ପଥର ପରବର୍ତୀ ପର୍ଯ୍ୟାୟରେ ଅଣାଯିବ । ମନ୍ଦିରର ନିଅଁର ପ୍ଲାଟଫର୍ମ ନିର୍ମାଣ ନିମନ୍ତେ ୩ରୁ ୪ ମାସ ଲାଗିବ ବୋଲି ଆକଳନ କରାଯାଇଛି ।

ରାମମନ୍ଦିର ପରିସରରେ ନକ୍ଷତ୍ର ବାଟିକା ନିର୍ମାଣ ହେବ । ଏହା ଗୋଟିଏ ଗୋଟିଏ ନକ୍ଷତ୍ର ସହ ସଂଯୋଗ ହେବ । ଏହା ନାଗର ଣୈଳୀରେ ଅଷ୍ଟକୋଣୀୟ ମନ୍ଦିର ନିର୍ମାଣ ହେବ । ଏଥିରେ ଭଗବାନ ରାମଙ୍କ ମୂର୍ତି ଓ ରାମଙ୍କ ଦରବାର ନିର୍ମାଣ ହେବ । ମୁଖ୍ୟ ମନ୍ଦିର ଆଗ ଓ ପଛ ପାଖରେ ସୀତା, ଲକ୍ଷ୍ମଣ, ଭରତ ଓ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ । ମନ୍ଦିର ନିର୍ମାଣ ନିମନ୍ତେ ରାମ ଜନ୍ମଭୂମି ଟ୍ରଷ୍ଟ ଓ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ପଥର ଆମଦାନୀ ଓ ଏହାର ଖୋଦେଇ କାମ ୧୯୯୦ ମସିହାରୁ ଆରମ୍ଭ ହୋଇଛି ।

ରାମମନ୍ଦିର ସମ୍ପୂର୍ଣ୍ଣ ୭୦ ଏକର ଜମିରେ ପରିବ୍ୟାପ୍ତ ହେବ । ଏଥିରେ ମନ୍ଦିର ଓ କରିଡ଼ର ନିମନ୍ତେ ୩ ଏକର ଜମି ରହିଛି । ଅବଶିଷ୍ଟ ୬୭ ଏକର ଜମିରେ ଅନ୍ୟାନ୍ୟ ମନ୍ଦିର ଏବଂ ଥିମ୍ ଗୃହ ନିର୍ମାଣ ହେବ । ସମ୍ପୂର୍ଣ୍ଣ ପରିସରରେ ବୃକ୍ଷରୋପଣ କରାଯିବ ।

Comments are closed.