କଂଗ୍ରେସରେ ‘ରାମ-ରାମ’: ପ୍ରିୟଙ୍କାଙ୍କ ୨୧ ଧାଡ଼ିରେ ୨୩ ଥର ’ରାମ’, ଗେରୁଆ ଧାରଣ କଲେ କମଳନାଥ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ନିମନ୍ତେ ଆଉ ମାତ୍ର କେଇ ଘଣ୍ଟା ବାକି । ସାରା ଅଯୋଧ୍ୟା ଏବେ ରାମମୟ ଓ ରାମମଗ୍ନ। ଏତିକି ବେଳେ କଂଗ୍ରେସ ବି ପ୍ରଭୁ ରାମଙ୍କୁ ସ୍ମରଣ କରିବାରେ ଆଦୌ ହେଳା କରିନାହିଁ । ଗୋପନରେ ନୁହେଁ, କଂଗ୍ରେସ ଖୋଲାଖୋଲି ଭାବରେ ରାମନାମ ଜପ  ଆରମ୍ଭ କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଏକ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ୨୧ ଧାଡ଼ିରେ ୨୭୦ଟି ଶବ୍ଦ ରହିଛି । ଏଥିରେ ୨୩ ଥର ରାମ ନାମ ଲେଖାଯାଇଛି । ପ୍ରିୟଙ୍କା ଏହି ଟ୍ବିଟରେ ନିଜେ ଦସ୍ତଖତ କରିଛନ୍ତି ।

ପ୍ରିୟଙ୍କା ଏହି ଟ୍ବିଟରେ ଲେଖିଛନ୍ତି ରାମ ସମସ୍ତଙ୍କଠାରେ ଅଛନ୍ତି, ରାମ ସମସ୍ତଙ୍କର । ରାମ କବୀରଙ୍କର ଥିଲେ, ତୁଳସୀ ଦାସଙ୍କର ଥିଲେ ଓ ରୈଦାସଙ୍କର ମଧ୍ୟ ଥିଲେ । ଗାନ୍ଧୀଙ୍କ ରଘୁପତି ରାଘବ ରାଜା ରାମ ସମସ୍ତଙ୍କୁ ସଦବୁଦ୍ଧି ଦେବେ । ପ୍ରିୟଙ୍କାଙ୍କର ଏହି ଟ୍ବିଟକୁ ନେଇ ରାଜନୀତି ଦାନା ବାନ୍ଧିଛି । ପ୍ରିୟଙ୍କାଙ୍କ ଏହି ଟ୍ବିଟ୍ ରାମ ରଙ୍ଗରେ ରଙ୍ଗୀନ ହୋଇ ଯାଇଛି ବୋଲି କେହି କେହି କହିବା ଆରମ୍ଭ କରିଛନ୍ତି ।

ଗେରୁଆ ବସ୍ତ୍ରରେ ସୁନ୍ଦରକାଣ୍ଡ ପାଠ କଲେ କମଳନାଥ, ଅଯୋଧ୍ୟା ପଠାଇବେ ରୁପା ଇଟା 

କେବଳ ପ୍ରିୟଙ୍କା ନୁହନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଳନାଥ ନିଜ ଟ୍ବିଟର ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଛନ୍ତି । ଦେହରେ ଗେରୁଆ ବସ୍ତ୍ର ପିନ୍ଧି ମୁଣ୍ଡରେ ତ୍ରିଧାର ତିଳକ ଲଗାଇ ପୁରା ଗେରୁଆମୟ ହୋଇ ଯାଇଛନ୍ତି କମଳନାଥ । ସେ ରାମମନ୍ଦିର ନିର୍ମାଣ ନିମନ୍ତେ ସୁନ୍ଦରାକାଣ୍ଡ ପାଠ କରିଛନ୍ତି । କହିଛନ୍ତି ରାମମନ୍ଦିର ନିର୍ମାଣ ସ୍ବାଗତଯୋଗ୍ୟ । ୧୯୮୫ରେ ରାଜୀବ ଗାନ୍ଧୀ ଏହାର ପ୍ରାରମ୍ଭ କରିଥିଲେ, ୧୯୮୯ରେ ଏହାର ଶିଳାନ୍ୟାସ କରାଯାଇଥିଲା । ରାଜୀବ ଗାନ୍ଧୀଙ୍କ ଯୋଗୁଁ ରାମମନ୍ଦିର ସ୍ବପ୍ନ ଆଜି ସଫଳ ହେଲା । ଆଜି ରାଜୀବ ଗାନ୍ଧୀ ଥିଲେ ଏ ସବୁ ଦେଖିଥାଆନ୍ତେ ।

ଭାରତର ସଂସ୍କୃତି ସମସ୍ତଙ୍କୁ ଏକାଠି କରିଥାଏ । ଏହା ଆମର ପରିଚୟ । ଆମେ ଯେତେବେଳେ ଯାହା କରୁଥାଉ, ତାହା ବିଜେପି ପେଟରେ ଯନ୍ତ୍ରଣା ସୃଷ୍ଟି କରିଥାଏ । କ’ଣ ଧର୍ମ ଉପରେ ତାଙ୍କର ଏକଛତ୍ର ଅଧିକାର ଅଛି ନା ସେମା​‌ନେ ଧର୍ମର ଏଜେନ୍ସି ନେଇଛନ୍ତି ? ସେ ଏ କଥା ମଧ୍ୟ କହିଛନ୍ତି ଯେ ଅଯୋଧ୍ୟା ରାମମନ୍ଦିର ନିମନ୍ତେ ସେ ୧୧ଟି ଚାନ୍ଦି ଇଟା ଅଯୋଧ୍ୟା ପଠାଇବେ । ଆସନ୍ତାକାଲି ଏକ ଐତିହାସିକ ଦିନ ଓ ଏହାକୁ ସାରା ଦେଶ ପ୍ରତୀକ୍ଷା କରିଛି ।

ସୁରଜେୱାଲା ମନେ ପକାଇଲେ ରାମଙ୍କ ମର୍ଯ୍ୟାଦା

କଂଗ୍ରେସ ପ୍ରବକ୍ତା ରଦୀପ ସୁରଜେୱାଲା ମଧ୍ୟ ରାମଙ୍କ ପ୍ରସଙ୍ଗରେ ଚୁପ୍ ରହିନାହାନ୍ତି । ସେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସେ କୌଣସି ରାଜନୈତିକ ବୟାନ ଦେବାକୁ ଚାହୁଁ ନାହାନ୍ତି । ମାତ୍ର ଏ କଥା ନିଶ୍ଚିତ କୁହାଯିବାର ଆବଶ୍ୟକତା ଅଛି ଯେ ରାଜନୀତିର ଧର୍ମ ରହିବା ଆବଶ୍ୟକ, ମାତ୍ର ଧର୍ମର ରାଜନୀତିକରଣ ହେବା ଅନୁଚିତ୍ । ଏହା ହିଁ ଶ୍ରୀରାମଙ୍କ ମର୍ଯ୍ୟଦା ।

Comments are closed.