ଆଜି ପାରୋଲର ଶେଷ ଦିନ; ରାମ ରହିମଙ୍କ ଡେରାରେ ପାର୍ଟିର ଆୟୋଜନ ​

ଗୁରୁଗ୍ରାମ: ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ଗୁରମିତ ରାମ ରହିମଙ୍କ ୨୧ ଦିନିଆ ପାରୋଲ ଅବଧି ରବିବାର ଶେଷ ହେଉଛି। ସୋମବାର ଦିନ ୧୨ଟା ସମୟରେ କଡ଼ା ସୁରକ୍ଷା ମଧ୍ୟରେ କଣ୍ଡଲୀ-ମାନେସର-ପଲୱଲ(କେଏମପି) ଏକ୍ସପ୍ରେସ ୱେ ରାସ୍ତ ଦେଇ ତାଙ୍କୁ ରୋହତକର ସୁନାରିୟା ଜେଲ୍‌ ନିଆଯିବ। ଅପରପକ୍ଷେ ସବୁଦିନ ଅପେକ୍ଷା ରବିବାର ରାମ ରହିମ ରହୁଥିବା ଡେରାରେ ଲୋକଙ୍କ ଅଧିକ ଯିବା ଆସିବା ଲାଗି ରହିଛି। ଆଜି ରାତିରେ ସେଠାରେ ଏକ ଛୋଟ ପାର୍ଟିର ଆୟୋଜନ କରାଯାଇଛି। ଯେଉଁଥିରେ ସମ୍ପର୍କୀୟ ଓ କିଛି ନିକଟ ବନ୍ଧୁଙ୍କ ସହ ରାମ ରହିମଙ୍କ ଶୁଭ ଚିନ୍ତକମାନେ ସାମିଲ ହେବେ। ରାମ ରହିମ ୨୧ ଦିନ ମଧ୍ୟରେ ତାଙ୍କର ସମସ୍ତ ସମ୍ପର୍କୀୟଙ୍କୁ ଭେଟି ସାରିଛନ୍ତି । ପୁଲିସ ଅଧିକାରୀଙ୍କ କହିବାନୁସାରେ, ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପାର୍ଟି ଆୟୋଜିତ ହେବ ବୋଲି ଜଣାପଡ଼ୁଛି। ଡେରାକୁ ଲୋକଙ୍କ ଯିବା ଆସିବାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ସ୍ଥାନୀୟ ଥାନା ଅଧିକାରୀ ତଥା ଆଖ ପାଖ ପୁଲିସକୁ ସଜାଗ କରାଯାଇଛି। ରବିବାର ହୋଇଥିବାରୁ ନିକଟସ୍ଥ ସଡ଼କରେ ଯାନବାହାନ ଯାତାୟତ କମ୍‌ ଅଛି।

ସୂଚନାଯୋଗ୍ୟ, ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ସର୍ତ୍ତ ପାଳନ କରି ରାମରହିମ ୨୧ ଦିନିଆ ପାରୋଲ ଶେଷ କରିଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ପାରୋଲ ନିୟମର କୌଣସି ପ୍ରକାର ଉଲ୍ଲଂଘନ ନକରି ରାମ ରହିମ ଶୀଘ୍ର ମୁକୁଳିବାର ରାସ୍ତା ପରିଷ୍କାର କରିଛନ୍ତି। ସେ କଳେ ବଳେ କୌଶଳେ ନ୍ୟାୟିକ ବଳ ପ୍ରୟୋଗ କରି ମୁକୁଳିବାକୁ ଚେଷ୍ଟା ଜାରି ରଖିବେ।

Comments are closed.