ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବେ ମୋଗଲ ସମ୍ରାଟଙ୍କ ବଂଶଜ ୟାକୁବ ହବିବୁଦ୍ଦିନ

ନୂଆଦିଲ୍ଲୀ : ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବା ବେଳେ ଏଥିପାଇଁ ବିଭିନ୍ନ ପଟରୁ ଅନେକ ପ୍ରସ୍ତାବ ଆସିବା ଆରମ୍ଭ ହୋଇସାରିଛି। ବାସ୍ତବରେ କଥା ହେଉଛି ଯେ,  ଶେଷ ମୋଗଲ ସମ୍ରାଟ ବାହାଦୂର ଶାହା ଜାଫରଙ୍କ ବଂଶଜ  ପ୍ରିନ୍ସ ୟାକୁବ ହବିବୁଦ୍ଦିନ ତୁସିର ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଚାହୁଁଛନ୍ତି ରାମ ମନ୍ଦିର ନିର୍ମାଣରେ ସେ ଦେଉଥିବା  ଇଟା ବ୍ୟବହାର କରାଯାଉ।

ଏକ ସାକ୍ଷାତକାରରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ସେ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ। ନିଜ ପ୍ରତିଶ୍ରୁତି ମୁତାବକ ରାମ ମନ୍ଦିର ନିର୍ମାଣ ପାଇଁ ମୋଗଲଙ୍କ ତରଫରୁ ମୁଁ ସୁନା ଇଟା ଉପହାର ସ୍ବରୂପ ପ୍ରଦାନ କରିବାକୁ ଚାହୁଁଛି। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତିର ମୂଲ୍ୟବାନ ସମୟକୁ ଅପେକ୍ଷା କରିଛି। ଏ ବିଷୟରେ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛି। ତାଙ୍କ ଅନୁମତି ମିଳିଲେ ମୁଁ ସୁନା ପ୍ରଦାନ କରିବି। ସେହି ଇଟାର ମୂଲ୍ୟ ପ୍ରାୟ ୧.୮୦ କୋଟି ବୋଲି ସେ କହିଛନ୍ତି। ଯେତେବେଳେ ତାଙ୍କୁ ସେହି ଇଟାର ଫଟୋ ଦେଖାଇବାକୁ କୁହାଗଲା, ସେତେବେଳେ ସେ କହିଥିଲେ ଯେ, ସୁରକ୍ଷା ଦୃଷ୍ଟି କୋଣରୁ ସେ ସେହି ଇଟାକୁ ଲକରରେ ରଖିଛନ୍ତି। ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ସୁଯୋଗ ପାଇବି ସେତେବେଳେ ତାହାକୁ ବାହାରକୁ ଆଣିବି ଏବଂ ସେହି ଦିନ ସୁନା ଇଟା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରିବି।

ଏଠାରେ ସୂଚନାଯୋଗ୍ୟ, ଏହି ମାମଲା କୋର୍ଟରେ ଚାଲିବାବେଳେ ମଧ୍ୟ ସେ ସମାନ ପ୍ରସ୍ତାବ ଦେଇଥିଲେ। ସେତେବେଳେ ସେ ଦାବି କରିଥିଲେ ଯେ ମୋଗଲ ସମ୍ରାଟ ବାବର ୧୫୨୯ ମସିହାରେ ବାବ୍ରି ମସଜିଦ ନିର୍ମାଣ କରିଥିଲେ। ସେ ନିଜେ ହେଉଛନ୍ତି ତାଙ୍କର ବଂଶଧର, ତେଣୁ ସେହି ଜମି ତାଙ୍କୁ ହସ୍ତାନ୍ତର କରାଯାଉ। ମୋଗଲ ବଂଶଧର ଭାବେ ସେ ନିଜକୁ ସେହି ଜମିର ଯୋଗ୍ୟ ଉତ୍ତରାଧିକାରୀ ବୋଲି ଦାବି କରିଥିଲେ। ତାଙ୍କୁ ଏହି ଜମି ମିଳିଲା ପରେ ସେ ନିଜେ ରାମ ମନ୍ଦିର ନିର୍ମାଣ ପାଇଁ ତାହାକୁ ଦାନ କରିବେ ବୋଲି କହିଥିଲେ।

Comments are closed.