ପାଣ୍ଠି ସଂଗ୍ରହ ଅଭିଯାନ ଶେଷ : ରାମ ମନ୍ଦିର ନିର୍ମାଣ ପାଣ୍ଠି ୨୧୦୦ କୋଟି ଟପିଲା

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ଚାଲିଥିବା ପାଣ୍ଠି ସଂଗ୍ରହ ଅଭିଯାନ ଶେଷ ହୋଇଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଜାନୁଆରୀ ୧୫ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ସଂଗ୍ରହ ଅଭିଯାନ ମାଘ ପୂର୍ଣ୍ଣିମା (ଫେବୃଆରୀ ୨୭) ଶନିବାର ଶେଷ ହୋଇଛି। ଏହି ୪୪ଦିନିଆ ପାଣ୍ଠି ସଂଗ୍ରହ ଅଭିଯାନରେ ମନ୍ଦିର ନିର୍ମାଣ ନିମନ୍ତେ ୨୧୦୦ କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ ସଂଗ୍ରହ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ ଶନିବାର ସନ୍ଧ୍ୟା ସୁଦ୍ଧା ପାଣ୍ଠି ସଂଗ୍ରହ ପରିମାଣ ୨୧୦୦ କୋଟି ଟପିଛି। ମନ୍ଦିର ନିର୍ମାଣ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିବାବେଳେ ଏହାଠାରୁ ଅଧିକ ପାଣ୍ଠି ସଂଗ୍ରହ ହୋଇଛି। ତେବେ ଟ୍ରଷ୍ଟ ସଦସ୍ୟ କହିଛନ୍ତି ଯେ ମନ୍ଦିର ନିର୍ମାଣ ଖର୍ଚ୍ଚ ଅଟକଳ ଚୂଡାନ୍ତ ନୁହେଁ। ନଗଦ ଅର୍ଥ ବ୍ୟତୀତ ସୁନା, ରୁପା ଆଦି ଅନ୍ୟାନ ଦାନ ମଧ୍ୟ ମିଳିଛି। ମନ୍ଦିର ନିର୍ମାଣ ପରେ ଅତିରିକ୍ତ ଅର୍ଥରେ ଏକ ସଂସ୍କୃତ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଯୋଜନା କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Comments are closed.