କରୋନା ସଂକ୍ରମଣ ଯୋଗୁଁ ବୌଦ୍ଧର ଗଣପର୍ବ ରାମଳୀଲା ଯାତ୍ରା ବନ୍ଦ

ବୌଦ୍ଧ: ବୌଦ୍ଧ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଦୃଷ୍ଟିରୁ ବେଳେ ପବିତ୍ର ରାମନବମୀଠାରୁ ୧୮ ଦିନ ଧରି ପାଳିତ ହେବାକୁ ଥିବା ରାମଲୀଳା ଯାତ୍ରାକୁ ବନ୍ଦ କରିଦିଆଯାଇଛି। ରାମଲୀଳା ନାଟ୍ୟସଂସଦର କର୍ମକର୍ତ୍ତା ଓ ପ୍ରଶାସନ ମଧ୍ୟରେ ଏନେଇ ଦୀର୍ଘଦିନ ହେଲା ଆଲୋଚନା ଜାରି ରହିଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିଲା। ତେବେ ପ୍ରଶାସନ ପକ୍ଷରୁ ଜିଲାରେ ରାତ୍ରିକାଳୀନ କଫ୍ୟୁ ଜାରି କରାଯିବା ପରେ ଏବଂ ଶନିବାର ଓ ରବିବାର ଦୁଇଦିନ ସଂପୁର୍ଣ୍ଣ ସଟଡାଉନ ଘୋଷଣା କରାଯିବା ପରେ ଏହି ଯାତ୍ରା ଆୟୋଜନ ନେଇ ରହିଥିବା ସମସ୍ତ ସମ୍ଭାବନାର ସମାପ୍ତି ଘଟିଛି। ଲଗାତାର ଦୁଇବର୍ଷ ମହାମାରୀ ଯୋଗୁଁ ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ବନ୍ଦ ରଖାଯାଇଥିବାରୁ ଏହା ଆୟୋଜକ ଓ କଳାକାରମାନଙ୍କ ସମେତ ଜିଲାବାସୀଙ୍କୁ ନିରାଶ କରିଛି।

ତେବେ ସାଧାରଣଲୋକଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜକ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ଯାତ୍ରା ବନ୍ଦ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଠାକୁରଙ୍କ ନିତିକାନ୍ତି ସହିତ ସ୍ୱଳ୍ପ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରାମନବମୀ ପରମ୍ପରା ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ନାଟ୍ୟ ସଂସଦର ସଭାପତି ମୃତ୍ୟୁଂଜୟ ମିଶ୍ର ସୂଚନା ଦେଇଛନ୍ତି। ତେବେ ରାମନବମୀ ଅବସରରେ ମନ୍ଦିର ଓ ପରିସରକୁ ଆଲୋକ ସଜ୍ଜା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ମନ୍ଦିରରେ ଭକ୍ତମାନେ ଅଧିକ ସଂଖ୍ୟାରେ ଗହଳି ନକରିବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି। ବୌଦ୍ଧ ରାମଲୀଳାର ମହାନ ପରମ୍ପରା ଅନୁଯାୟୀ ମୁସଲିମ ଭାଇମାନେ ମଧ୍ୟ ଏହିଦିନ ଜୀବହତ୍ୟା ବନ୍ଦ କରିଥାନ୍ତି। ଫଳରେ ଚଳିତବର୍ଷ ମଧ୍ୟ ସହରରେ ସମସ୍ତ ପ୍ରକାର ମାଛମାଂସ ଦୋକାନ ସଂପୁର୍ଣ୍ଣ ଭାବରେ ବନ୍ଦ ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ତେବେ ଜିଲାର ଗ୍ରାମାଞ୍ଚଳରେ ଆୟୋଜନ ହେଉଥିବା ରାମଲୀଳା ଯାତ୍ରା ନିରାଡମ୍ବର ଭାବରେ ପାଳନ କରାଯିବ ବୋଲି ସୂଚନା ମିଳିଛି।

Comments are closed.