ଅଯୋଧ୍ୟା ଜମି ବିବାଦ: ୨୯ରୁ ଆରମ୍ଭ ହେବ ଶୁଣାଣି

0

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସଜିଦ୍‍ ଜମି ବିବାଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଇସମାଇଲ ଫାରୁକୀ ମାମଲାରେ ସୁପ୍ରିମକୋର୍ଟ ୧୯୯୪ରେ ଦେଇଥିବା ରାୟକୁ ଗୁରୁବାର ବଳବତ୍ତର ରଖିବା ସହିତ ଏହି ମାମଲା ବୃହତ୍ତର ଖଣ୍ଡପୀଠକୁ ଯିବନାହିଁ ବୋଲି କହିଛନ୍ତି। ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ହିଁ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠର ଦୁଇ ଜଣ ସଦସ୍ୟଙ୍କ ରାୟ ଗୋଟିଏ ପକ୍ଷରେ ଯାଇଥିବା ବେଳେ ଅନ୍ୟ ଜଣଙ୍କ ରାୟ ବିପକ୍ଷରେ ଯାଇଥିଲା। ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ବିଚାରପତି ଅଶୋକ ଭୂଷଣ ବୃହତ୍ତର ଖଣ୍ଡପୀଠରେ ୧୯୯୪ ମାମଲାର ପୁନର୍ବିଚାର ଅନାବଶ୍ୟକ ବୋଲି କହିଥିବା ବେଳେ ଜଷ୍ଟିସ୍‍ ଏନ୍‍ ଏ ନଜୀର ରାୟର ପୁନବିର୍ଚାର ସପକ୍ଷରେ ମତ ଦେଇଥିଲେ। ମତାଧିକ୍ୟ ଆଧାରରେ ରାୟ ଗୃହୀତ ହୋଇଥିବାରୁ ଆସନ୍ତା ୨୯ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହେବ।
ଜଷ୍ଟିସ ଭୂଷଣ ତାଙ୍କ ରାୟରେ ୧୯୯୪ରେ ପ୍ରଦତ୍ତ ରାୟକୁ ବୁଝିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ରାୟରେ କେବଳ ମସଜିଦ୍‍ରେ ନମାଜ ପାଠ କରିବା ଇସଲାମର ଆଭ୍ୟନ୍ତରୀଣ ନୀତି ବୋଲି ଦର୍ଶାଯାଇ ନାହିଁ।
ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କ ରାୟରେ ଉକ୍ତ ମାମଲାକୁ ବଡ଼ ବେଞ୍ଚକୁ ପଠାଇବାର ଆବଶ୍ୟକତାକୁ ଖଣ୍ଡନ କରିଛନ୍ତି। ୧୯୯୪ ରାୟ ଜମି ଅଧିଗ୍ରହଣ ସମ୍ପର୍କିତ ମାମଲା ଉପରେ ପ୍ରଦାନ କରାଯାଇ ଥିଲା। ତେଣୁ ଏହି ରାୟକୁ ନମାଜ ପାଠ ସହ ଯୋଡ଼ା ଯାଇପାରିବନି ବୋଲି ସେ କହିଛନ୍ତି।
ତେବେ ଉଭୟ ବିଚାରପତିଙ୍କ ରାୟ ବିରୋଧରେ ବିଚାରପତି ନଜୀର କହିଥିଲେ ଯେ ୨୦୧୦ରେ ଆଲ୍ଲାହାବାଦ୍‍ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଯେଉଁ ରାୟ ପ୍ରକାଶ ପାଇ ଥିଲା, ତାହା ୧୯୯୪ରାୟର ଆଧାରରେ ହିଁ ପ୍ରକାଶ ପାଇଥିଲା। ତେଣୁ ଏହି ମାମଲା ବୃହତ୍ତର ଼ ଖଣ୍ଡପୀଠରେ ବିଚାର ହେବାର ଆବଶ୍ୟକତା ରହିଛି।
୧୯୯୪ରେ ସୁପ୍ରିମ କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଇସମାଇଲ ଫାରୁକିଙ୍କ ଆବେଦନକୁ ଗ୍ରହଣ କରି ରାମ ଜନ୍ମଭୂମିରେ ସ୍ଥିତାବସ୍ଥାକୁ ବଜାୟ ରଖିଥିଲେ। କୋର୍ଟ ଏହି ରାୟ ପ୍ରଦାନ କରିବା ପ୍ରଚ୍ଛଦରେ ହିନ୍ଦୁ ଧର୍ମାବଲମ୍ବୀ ସେଠାରେ ପୂଜାପାଠ କରିପାରିବେ। ଏହା ସହ କୋର୍ଟ ଇସଲାମରେ ମସଜିଦ୍‍ରେ କେବଳ ନମାଜ ପାଠ କରିବା ଜରୁରୀ ନୁହେଁ ବୋଲି ଉଲ୍ଲେଖ ଥିବା ଦର୍ଶାଇ ଥିଲେ। ୨୦୧୦ରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ରାମ ଜନ୍ମଭୂମୀ ବିବାଦ ମାମଲାର ବିଚାର କରି ବାବରି ମସଜିଦ୍‍ ଅଞ୍ଚଳର ଏକ ତୃତୀୟାଂଶ ମୁସଲିମ, ଏକ ତୃତୀୟାଂଶ ହିନ୍ଦୁ ଓ ଏକ ତୃତୀୟାଂଶ ରାମ ଲାଲାଙ୍କୁ ପ୍ରଦାନ କରିଥିଲେ।

Leave A Reply