ଇମ୍ରାନଙ୍କ ‘ଚୀନ-ପ୍ରେମ’କୁ ପିଓକେରେ ବିରୋଧ: ରାଜରାସ୍ତାରେ ମଶାଲ ଶୋଭାଯାତ୍ରା

ମୁଜାଫରାବାଦ: ପାକିସ୍ଥାନ ଓ ଚୀନ ସମ୍ପର୍କ ଅତି ନିବିଡ଼ । ଭାରତ ବିରୋଧରେ ଚୀନ ଲାଗି ପାକିସ୍ଥାନ ଓ ପାକିସ୍ଥାନ ଲାଗି ଚୀନ ପରସ୍ପର ସହ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ଇମ୍ରାନଙ୍କ ଚୀନ ପ୍ରେମ ତ ସବୁଠାରୁ ବଳି ଯାଇଛି । ଏଥିପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ । ମାତ୍ର ପାକିସ୍ଥାନ ଓ ପାକ୍ ଅଧିକୃତ କାଶ୍ମୀରରେ ଚୀନର ଅଧିକ ଦଖଲଅନ୍ଦାଜକୁ ସ୍ଥାନୀୟ ଲୋକମାନେ ପସନ୍ଦ କରୁନାହାନ୍ତି । ସେମାନଙ୍କର ଅସନ୍ତୋଷ ପାକ୍ ଅଧିକୃତ କାଶ୍ମୀରରେ ଦେଖିବାକୁ ମିଳିଛି ।

ପାକ୍ ଅଦିକୃତ କାଶ୍ମୀରର ଲୋକମାନେ ଚୀନ ବିରୋଧରେ ମଶାଲା ଶୋଭାଯାତ୍ରା କହିଛନ୍ତି । ଏହି ସମୟରେ ଲୋକମାନେ ଚୀନ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ଚୀନ କମ୍ପାନୀ ନୀଲମ-ଝେଲମ ନଦୀରେ ଏକ ବଡ଼ ବନ୍ଧ ନିର୍ମାଣ କରିବାକୁ ଯାଉଛି। ଏହା ସ୍ଥାନୀୟ ଲୋକଙ୍କୁ ଉତ୍ତେଜିତ କରିଛି ଏବଂ ଏହା ବିରୋଧରେ ଲୋକମାନେ ରାସ୍ତାକୁ ବାହାରି ଆସିଛନ୍ତି ।


ପିଓକେ ଲୋକଙ୍କ କହିବା କଥା ହେଉଛି ଏହି ଡ଼୍ୟାମ ଯୋଗୁଁ ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏହାକୁ ପାକିସ୍ଥାନ ସରକାର ବନ୍ଦ କରିବା ଆବଶ୍ୟକ । ଜଣେ ସାମାଜିକ କର୍ମୀ ଡ଼ା. ଅମଜାଦ ମିର୍ଜାଙ୍କ କହିବା କଥା ହେଲା ନୀଲମ-ଝେଲମ ନଦୀ ବର୍ତମାନ ଶୁଖିଶୁଖି ଯାଉଛି । ନଦୀରୁ ଏହା ଏକ ନାଳରେ ପରିଣତ ହେଲାଣି । ସ୍ଥାନୀୟ ଲୋକ ପିଇବାକୁ ପାଣି ପାଉ ନାହାନ୍ତି । ଚୀନ-ପାକିସ୍ଥାନ ଅର୍ଥନୈତିକ କରିଡ଼ର ନାମରେ ପାକ୍ ଅଧିକୃତ କାଶ୍ମୀରର ପ୍ରାକୃତିକ ସମ୍ପତିକୁ ନଷ୍ଟ କରିବାକୁ ଯୋଜନା ହୋଇଛି । ଏହାବ୍ୟତୀତ ଚୀନ ବିରୋଧରେ ଏହା ପ୍ରଥମ କାର୍ଯ୍ୟକ୍ରମ ନୁହେଁ । ଏହାପୂର୍ବରୁ ମଧ୍ୟ ଚୀନ ହସ୍ତକ୍ଷେପକୁ ନେଇ ପିଓକେରେ ବାରମ୍ବାର ଆନ୍ଦୋଳନ ହେଉଛି ।

ସୂଚନାଯୋଗ୍ୟ ଯେ ଝେଲମ ନଦୀରେ ଆଜାଦ ପଟ୍ଟନ ଓ କୋହଲା ହାଇଡ଼୍ରୋପାୱାର ପ୍ରକଳ୍ପକୁ ନେଇ ଚୀନ-ପାକିସ୍ଥାନ ମଧ୍ୟରେ ବୁଝାମଣା ହୋଇଛି । ଏଥିରୁ ୭୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ । ଏହି ପ୍ରକଳ୍ପ ୨୦୨୬ରେ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

Comments are closed.