ରେଳଷ୍ଟେସନ୍‌ରେ ଅନଧିକାର ପ୍ରବେଶ ଉପରେ ହେବ କଟକଣା: ଡିଜି

ଭୁବନେଶ୍ବର: ଓଡ଼ିଶାରେ ବାଲାଂଦେଶୀ ଆତଙ୍କବାଦୀ ସଂଗଠନ ଜେଏମ୍‌ବି ସକ୍ରିୟ ଥିବା ନେଇ ଏନ୍‌ଆଇଏ ଡିଜି ସୂଚନା ଦେବା ପରେ ରାଜ୍ୟର ପ୍ରମୁଖ ୫ଟି ରେଳଷ୍ଟେସନ୍‌ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ପୁଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରେଳ ସୁରକ୍ଷା ବୈଠକରେ ଟ୍ରେନ୍‌ ଓ ଯାତ୍ରୀଙ୍କ ସହିତ ରେଳଷ୍ଟେସନ୍‌ର ସୁରକ୍ଷା ବ୍ୟବସ୍ଥାକୁ କିପରି କଡ଼ାକଡ଼ି କରାଯିବା ସେନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହି ବୈଠକରେ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଅଧିକ ସଂଖ୍ୟାରେ ପ୍ଲାଟଫର୍ମ ଓ ବହୁ ଯାତ୍ରୀ ସମାଗମ ହେଉଥିବା ପ୍ରମୁଖ ରେଳଷ୍ଟେସନ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ କଡ଼ାକଡ଼ି କରାଯାଇ ପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। କେନ୍ଦ୍ର ସରକାର କେତେକ ଷ୍ଟେସନକୁ ଚିହ୍ନଟ କରିଛନ୍ତି। ଏସବୁ ରେଳଷ୍ଟେସନ୍‌ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ରେଳବାଇ ଅଧିକାରୀମାନେ ସୂଚନା ଦେଇଥିବା ଜଣାପଡ଼ିଛି। ରେଳଷ୍ଟେସନ୍‌ରେ ଅନଧିକାର ଭାବେ ପ୍ରବେଶ ଉପରେ କଟକଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରେଳଲାଇନ୍‌ କଡ଼ରେ ଥିବା ବସ୍ତି ଏବଂ ଅସାମାଜିକ ରେଳଷ୍ଟେସନ୍‌ରେ ପ୍ରବେଶ କରି ଅପରାଧ ଘଟାଉଛନ୍ତି। ବୁଲା ବିକାଳି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ଅପରାଧିକ କାର୍ଯ୍ୟକଳାପରେ ଅନଧିକାର ପ୍ରବେଶ କରୁଥିବା ବ୍ୟକ୍ତିବିଶେଷ ସମ୍ପୃକ୍ତ ରହୁଥିବାରୁ ସେମାନଙ୍କ ଉପରେ ନଜର ରଖାଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି। ତେଣୁ ଗୁରୁତ୍ବପୂର୍ଣ୍ଣ ରେଳଷ୍ଟେସନ୍‌ର ସବୁ ଅଞ୍ଚଳ ଉପରେ ନଜର ରଖିବା ଲାଗି ସିସିଟିଭି ବ୍ୟବସ୍ଥା, ରେଳଷ୍ଟେସନକୁ ସମ୍ପୂର୍ଣ୍ଣ ଆଲୋକୀକରଣ ଓ ପ୍ରବେଶ ପଥରେ ବ୍ୟାଗେଜ୍‌ ସ୍କାନର ଲଗାଯିବା ନେଇ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଛି।
ରାଜ୍ୟର ନକ୍ସଲ ପ୍ରଭାବିତ ଜିଲାରେ ଅନେକ ରେଳଲାଇନ୍‌ ରହିଛି। ସେସବୁ ରେଳଲାଇନ୍‌ର ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂଚନା ମିଳିଲେ ତୁରନ୍ତ ରେଳଯାତ୍ରା ବନ୍ଦ କରିବା ନଚେତ୍‌ ଗତିପଥରେ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ହୋଇଥିଲା। ଆର୍‌ପିଏଫ୍‌ ଓ ଜିଆର୍‌ପି ମଧ୍ୟରେ ଉତ୍ତମ ସମନ୍ବୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଆର୍‌ପିଏଫ୍ ଓ ଜିଆର୍‌ପି ଅଧିକାରୀମାନେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବା ଲାଗି ହ୍ବାଟସ୍ଆପ୍‌ ଗ୍ରୁପ ଗଠନ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା।
ବୈଠକରେ ଗୁଇନ୍ଦ​ା​ ବିଭାଗର‌ ଅତିରିକ୍ତ ମହାନିର୍ଦେଶକ ଆର୍‌ କେ ଶର୍ମା, ଏସ୍‌ଆଇବିର ଯୁଗ୍ମ ନିର୍ଦେଶକ ଭି ଶର୍ମା, ଆର୍‌ପିଏଫ୍ ଆଇଜି (କଲକାତା) ଏସ୍‌ ସି ପାଢ଼ୀ, ଆର୍‌ପିଏଫ୍ ଆଇଜି (ପୂର୍ବତଟ) ରାଜା ରାମ, ଆର୍‌ପିଏଫ୍ ଆଇଜି (ବିଳାସପୁର) ଆର୍‌ ଏସ୍‌ ଚୌହାନ, ସିଟିଓ (ପୂର୍ବତଟ) ଜେ ପରିଡ଼ା, ରେଳବାଇର ବରିଷ୍ଠ ଅଧିକାରୀ ସି ଭି ନାୟକ, ରାଉରକେଲା ରେଳବାଇ ଏସ୍‌ପି ଟି ପଟେଲ ଓ କଟକ ରେଳବାଇ ଏସ୍‌ପି କେ କେ ଡଙ୍ଗାୟତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.