ରାଜ୍ୟସଭାରେ ୨୨ଟି ଭାରତୀୟ ଭାଷାରେ ମତ ରଖିପାରିବେ ସାଂସଦ

0

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦମାନେ ସମ୍ବିଧାନ ସ୍ୱୀକୃତ ସମସ୍ତ ୨୨ଟି ଭାଷା ମଧ୍ୟରୁ ଯେ କୌଣସି ଭାଷାରେ ସେମାନଙ୍କ ମତ ଉପସ୍ଥାପନ କରିପାରିବେ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟାନାଇଡ଼ୁ ଏ ସଂକ୍ରାନ୍ତରେ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରୁ ଏହି ନିୟମ କାର୍ଯ୍ୟକାରୀ ହେବ।
ଶ୍ରୀ ନାଇଡ଼ୁ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ମାତୃଭାଷାରେ ହିଁ ସଠିକ୍‍ ଭାବେ ଭାବ ଓ ମତ ଉପସ୍ଥାପନ କରିପାରିବେ। ଅନ୍ୟ ଭାଷାରେ କହିଲେ ସେ ନିଜ ମତକୁ ଶତପ୍ରତିଶତ ନ୍ୟାୟ ଦେଇପାରିବେ ନାହିଁ। ତେଣୁ ଆଗାମୀ ଅଧିବେସନରୁ ସଦସ୍ୟମାନେ ନିଜ ନିଜ ମାତୃଭାଷାରେ ହିଁ ଯେପରି ମତ ଉପସ୍ଥାପନ କରି ପାରିବେ ସେଥିପାଇଁ ସମସ୍ତ ସୁବିଧା କରାଯିବ। ଏଥିପାଇଁ ରାଜ୍ୟସଭା ସଚିବାଳୟ ଆଉ ପାଞ୍ଚଟି ଭାଷା କଶ୍ମୀରୀ, ସିନ୍ଧି, କୋଙ୍କଣି, ସାନ୍ତାଳି ଓ ଡୋଗ୍ରୀ ଭାଷାରେ ଅନୁବାଦକ ନିଯୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ଏବେ ରାଜ୍ୟସଭାରେ ଆସାମୀ, ବଙ୍ଗଳା, ଗୁଜରାଟୀ, ହିନ୍ଦି, କନ୍ନଡ଼, ମାଲାୟାଲାମ୍‍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ୍‍, ତେଲୁଗୁ ଓ ଉର୍ଦ୍ଦୁ ଭାଷା ପାଇଁ ଅନୁବାଦକ ନିଯୁକ୍ତ ହୋଇଥିବା ବେଳେ ଲୋକସଭା ପାଇଁ ବୋଡୋ, ମୈଥଳୀ, ମଣିପୁରୀ, ମରାଠୀ ଓ ନେପାଳୀ ଭାଷାର ଅନୁବାଦକ ବ୍ୟବସ୍ଥା କରାଯାଇଛି। ଅବଶ୍ୟ ଅନୁବାଦ ସୁବିଧା ପାଇଁ ସଦସ୍ୟଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ।

Leave A Reply