ଅଗଷ୍ଟ ୯ରେ ରାଜ୍ୟସଭା ଉପସଭାପତି ନିର୍ବାଚନ

0

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷିତ ରାଜ୍ୟସଭା ଉପସଭାପତି ନିର୍ବାଚନ ଅଗଷ୍ଟ ୯ (ଗୁରୁବାର) ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ। ଏ ନେଇ ଅଗଷ୍ଟ ୮ ବୁଧବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ପ୍ରାର୍ôଥପତ୍ର ଦାଖଲ ହେବ ବୋଲି ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସୋମବାର ଗୃହରେ ଘୋଷଣା କରିଛନ୍ତି। ନିର୍ଦ୍ଧାରିତ ସମୟ ପରେ ଦାଖଲ କରାଯାଇଥିବା କୌଣସି ପ୍ରାର୍ଥୀପତ୍ର ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଚ୍ଚସଦନର ଉପସଭାବତି ନିର୍ବାଚନ ଲାଗି ଦିନ ଧାର୍ଯ୍ୟ ହୋଇସାରିଥିଲେ ମଧ୍ୟ ଏଯାବତ୍‍ ଶାସକ ତଥା ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ କରାଯାଇପାରି ନାହିଁ। ତେବେ ଜନତା ଦଳ ୟୁନାଇଟେଡ୍‍ (ଜେଡିୟୁ)ର ରାଜ୍ୟସଭା ସାଂସଦ ହରବନ୍ତଙ୍କୁ ଏନ୍‍ଡିଏ ଏହାର ପ୍ରାର୍ଥୀ କରିବା ବୋଲି କୁହାଯାଉଛି। ହରବନ୍ତ ଜଣେ ବିଶିଷ୍ଟ ସାମ୍ବାଦିକ। ସେ ଦୈନିକ ଖବରକାଗଜ ‘ପ୍ରଭାତ ଖବର’ର ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳଗୁଡିକ ମଧ୍ୟ ପ୍ରାର୍ଥୀ ଚୂଡାନ୍ତ କରିପାରି ନାହାନ୍ତି। ଟିଏମ୍‍ସି ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏଥିରେ ଅନ୍ୟ ବିରୋଧୀ ଦଳଗୁଡିକ ଏଯାବତ୍‍ ସହମତି ପ୍ରକାଶ କରିନାହାନ୍ତି। ଅନ୍ୟପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଯୋଜନାରେ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ ପ୍ରାର୍ଥୀଙ୍କ ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ କରିନାହିଁ। ଟିଏମ୍‍ସି ଯଦି ପ୍ରାର୍ଥୀ ଦେବାକୁ ମନା କରେ ସେଭଳି ସ୍ଥିତିରେ ଶରଦ ପାୱାରଙ୍କ ଏନ୍‍ସିପିର କୌଣସି ସାଂସଦଙ୍କୁ ପ୍ରାର୍ଥିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି।
ଉଲ୍ଲେଖ ଯେ, ରାଜ୍ୟସଭାରେ ଶାସକ ଦଳ ବିଜେପି ନିକଟରେ ବହୁମତ ରହିଛି। ରାଜ୍ୟସଭାର ମୋଟ ୨୪୫ ଆସନ ମଧ୍ୟରୁ ୧୧୫ଟି ଏନ୍‍ଡିଏ ନିକଟରେ ଥିବା ବେଳେ ଏଥିମଧ୍ୟର ୭୩ ଆସନ କେବଳ ବିଜେପିର। ଅନ୍ୟପଟେ ୟୁପିଏ ନିକଟରେ ୧୧୩ ଆସନ ଥିବା ବେଳେ କଂଗ୍ରେସ ନିକଟରେ ୩୦ଟି ଆସନ ରହିଛି। ବଳକା ୧୬ ଜଣ ଅନ୍ୟାନ୍ୟ ସାଂସଦ। ସମ୍ପ୍ରତି ରାଜ୍ୟସଭାର ଗୋଟିଏ ଆସନ ଖାଲି ରହିଛି। ଏହି ମହତ୍ତ୍ୱପୂର୍ଣ୍ଣ ନିର୍ବାଚନରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।
ରାଜ୍ୟସଭାର ମୋଟ ଆସନ ସଂଖ୍ୟା: ୨୪୫
ସଂଖ୍ୟା ଗରିଷ୍ଠତା: ୧୨୫
ଏନ୍‍ଡିଏ: ୧୧୫
ୟୁପିଏ: ୧୧୩
ଅନ୍ୟାନ୍ୟ: ୧୬
ଖାଲି: ୧

Leave A Reply