ରାଜ୍ୟସଭା ନିର୍ବାଚନ : କାହା ଭାଗ୍ୟରେ ଦିଲ୍ଲୀ ଲଡୁ ?

ଆଶା-ଆଶଙ୍କାରେ ଆଶାୟୀ, ପ୍ରତୀକ୍ଷାରେ ପ୍ରତିଶ୍ରୁତିପ୍ରାପ୍ତ ନେତା

ଭୁବନେଶ୍ୱର : ଓଡ଼ିଶାରୁ ରାଜ୍ୟସଭା ପାଇଁ ୪ଟି ଆସନ ଖାଲିହେବାକୁ ଯାଉଥିବାବେଳେ ଏଥିପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରୁ ଖାଲି ପଡ଼ୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁନ୍‌ ୧୦ରେ ନିର୍ବାଚନ ଏବଂ କଟକ ମେୟର ପଦ ପାଇବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ସୁବାସ ସିଂହଙ୍କ ସ୍ଥାନରେ ଜୁନ୍‌ ୧୩ରେ ଉପନିର୍ବାଚନ ହେବ। ବିଧାନସଭାରେ ପ୍ରମୁଖ ବିରୋଧୀ ବିଜେପି ଓ ଅନ୍ୟତମ ବିରୋଧୀ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ଏବେ ସମସ୍ତଙ୍କ ଆଖି ବିଜୁ ଜନତା ଦଳ ଉପରେ। ବିଜେଡିରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ରାଜନୈତିକ ମହଲରେ ଚାଲିଛି ରୋଚକ ଚର୍ଚ୍ଚା। ଦିଲ୍ଲୀ ଲଡ଼ୁ ଆଶାରେ ଦଳର ବରିଷ୍ଠଙ୍କଠାରୁ ଯୁବ ନେତାଙ୍କ ପର୍ଯ୍ୟନ୍ତ ଅନେକ ଆଶାୟୀ ଅଛନ୍ତି। ତେବେ କାହା ପଛରେ ମୁଖିଆଙ୍କ ଆଶୀର୍ବାଦ ରହିବ ସେନେଇ ଦଳର ବରିଷ୍ଠ ନେତା ବି ସଂଶୟରେ।
ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ତିନି ରାଜ୍ୟସଭା ଆସନ ପାଇଁ ଚଳିତ ମାସ ୩୧ ସୁଦ୍ଧା ନାମାଙ୍କନପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ସେହିଦିନ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ହେଉଛି। ବିଜେଡି ପ୍ରାର୍ଥୀ ହୁଏତ ଏହା ପୂର୍ବରୁ ନାମାଙ୍କନ ଦାଖଲ କରିପାରନ୍ତି। ଜୁନ୍‌ ୩ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ଥିବାବେଳେ ଏହି ଦିନ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ହେବ।
ଯଦି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କେହି ପ୍ରତିଦ୍ୱନ୍ଦ୍ୱୀ ନରହନ୍ତି ବା ଅନ୍ୟ କେହି ନାମାଙ୍କନ ଦାଖଲ ନକରନ୍ତି ସେ କ୍ଷେତ୍ରରେ ଆଉ ନିର୍ବାଚନର ଆବଶ୍ୟକତା ପଡ଼ି ନପାରେ। ସେ କ୍ଷେତ୍ରରେ ନାମାଙ୍କନପତ୍ର ପ୍ରତ୍ୟାହାର ଅବଧି ବିତିଯିବା ପରେ ପରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରେ। ସେହିପରି ସୁବାସଙ୍କ ସ୍ଥାନରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ଜୁନ୍‌ ୧୩ରେ ହେବ। ଏ କ୍ଷେତ୍ରରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିପକ୍ଷରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନରହିଲେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ଉପରୋକ୍ତ ଧାରାରେ ହୋଇପାରେ।
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ଏବେ ବିଜେଡିର ବିଧାୟକ ସଂଖ୍ୟା ୧୧୩ ଥିବାବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍‌) ଓ ସ୍ୱାଧୀନ ଭାବେ ଜଣେ ଲେଖାଏଁ ବିଧାୟକ ଅଛନ୍ତି। ଆବଶ୍ୟକସଂଖ୍ୟକ ଭୋଟ୍‌ ନଥିବାରୁ ବିରୋଧୀ ଶିବିରରେ କୌଣସି ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା କରାଯିବା ସମ୍ଭାବନା କ୍ଷୀଣ। ତେଣୁ ବିଜେଡି ୪ଟି ଆସନରେ ଜିତିବା ଏକପ୍ରକାର ନିଶ୍ଚିତ । ଅବଶ୍ୟ ଦଳ ଅନ୍ୟ କୌଣସି ରଣନୀତି ଆପଣାଇଲେ କଥା ଭିନ୍ନ ମୋଡ଼ ନେଇପାରେ।
ବିଜେଡିର ଏହି ୪ଟି ଆସନ କେଉଁମାନଙ୍କ ଭାଗ୍ୟରେ ପଡ଼ିବ? ଦଳୀୟ ଅନୁଶାସନ ଆଧାରରେ ଦଳ ଓ ଏହାର ନେତାଙ୍କ ପ୍ରତି ଆନୁଗତ୍ୟ ଏବଂ ଦକ୍ଷ ନେତୃତ୍ୱ ଥିବା ବ୍ୟକ୍ତିଙ୍କୁ ବିଜେଡି ସୁପ୍ରିମୋ ରାଜ୍ୟସଭାକୁ ପଠାଇବାକୁ ପ୍ରାଥମିକତା ଦେବେ। ବିଦାୟ ନେବାକୁ ଯାଉଥିବା ତିନି ସାଂସଦଙ୍କ ମଧ୍ୟରୁ ରାଜ୍ୟସଭାରେ ଯୁବ ନେତା ଭାବେ ସସ୍ମିତ ପାତ୍ର ଓ ବରିଷ୍ଠ ନେତା ଭାବେ ଦଳର ଉପସଭାପତି ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କର ରାଜ୍ୟସଭାରେ ବେଶ୍‌ ଦବଦବା ରହିଛି। ରାଜ୍ୟ ପ୍ରସଙ୍ଗରେ ବା କେନ୍ଦ୍ରର କୌଣସି ରାଜ୍ୟ ସ୍ୱାର୍ଥବିରୋଧୀ ପ୍ରସଙ୍ଗରେ ଏମାନେ ବିଜେଡିର ସ୍ୱରକୁ ଶାଣିତ କରାଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ହୁଏତ ଏମାନଙ୍କ ମଧ୍ୟରୁ କାହାରିକୁ ପୁନର୍ବାର ରାଜ୍ୟସଭା ପାଇଁ ମନୋନୀତ କରାଯିବା ବିଚିତ୍ର ନୁହେଁ। କିନ୍ତୁ ଦଳ ଯଦି ନୂଆ ମୁହଁ ବିଷୟ ଚିନ୍ତା କରୁଥାଏ ଓ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନ୍ୟ ଦଳର କିଛି ବରିଷ୍ଠ ନେତା ବିଜେଡିରେ ମିଶିଥିବାରୁ ପୁରୁଣାଙ୍କ ପାଳି ହୁଏତ ପଡ଼ି ନପାରେ। ଏହି କ୍ରମରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ମାଝିଙ୍କ ନାମ ବି ଶୁଣିବାକୁ ମିଳୁଛି । କିନ୍ତୁ ଦିଲ୍ଲୀରେ ବିଜେଡିର ସ୍ୱରକୁ ଠିକଣା ଢଙ୍ଗରେ ଉପସ୍ଥାପନ କରିବାର ଦକ୍ଷତା ରଖୁଥିବା ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ବହୁଦିନରୁ ପ୍ରତିଶ୍ରୁତି ପାଇ ଅପେକ୍ଷାରେ ଅଛନ୍ତି ଦଳର ବରିଷ୍ଠ ନେତା ଡ. ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ଆଉ କିଛି; କିନ୍ତୁ ଏବେ ପାଣିପାଗ ବଦଳିଥିବାରୁ ଏବଂ ବିରୋଧୀ ଶିବିରରୁ କିଛି ପ୍ରଭାବୀ ନେତା ବିଜେଡିରେ ମିଶିଥିବାରୁ ପୂର୍ବ ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ ବି ସନ୍ଦେହ ରହିଛି। ଏ କ୍ଷେତ୍ରରେ ରାଜ୍ୟସଭା ନହେଲେ ବି କିଛି ନେତାଙ୍କୁ ଅନ୍ୟ କୌଣସି ପଦ‌େ‌ର ଥଇଥାନ ପାଇଁ ବ୍ୟବସ୍ଥା ହେଉଛି। ଦଳ ପ୍ରତି ଆନୁଗତ୍ୟ , ଉତ୍ସର୍ଗୀକୃତ ଅବଦାନ, ସାଙ୍ଗଠନିକ ସ୍ତରରେ ବିଶେଷ ଦକ୍ଷତା ଥିବା ନେତାଙ୍କୁ ବି ଥଇଥାନ ପାଇଁ ଆଶ୍ୱାସନା ଦିଆଯାଇଛି। ବିଜେଡି ମହିଳାଙ୍କ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେଉଛି। ରାଜ୍ୟସଭାରେ ଏବେ ଥିବା ୬ଜଣ ସାଂସଦଙ୍କ ମଧ୍ୟରୁ ବିଜେପିରୁ ବିଜେଡି ସମର୍ଥନରେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଛାଡ଼ିଦେଲେ ବାକି ୫ଜଣଙ୍କ ମଧ୍ୟରୁ ମାତ୍ର ଜଣେ ହେଉଛନ୍ତି ମହିଳା। ସେ ଦୃଷ୍ଟିରୁ କୌଣସି ଦକ୍ଷ ନେତ୍ରୀଙ୍କ କଥା ବି ଦଳ ବିଚାରକୁ ନେଇପାରେ। ଦଳରେ ଏବେ ସକ୍ରିୟ ଥିବା ଅବସରପ୍ରାପ୍ତ କିଛି ପ୍ରଶାସନିକ ଅଧିକାରୀଙ୍କ ଭାଗ୍ୟ ଖୋଲିବାର ବି ସମ୍ଭାବନା ରହିଛି। ଦଳର ସୁପ୍ରି‌େ‌ମାଙ୍କ ନିଷ୍ପତ୍ତି ସମ୍ପର୍କରେ ଦଳର କୌଣସି ବରିଷ୍ଠ ନେତାଙ୍କ ଆକଳନ କାମ ଦିଏ ନାହିଁ। ତେଣୁ ରାଜ୍ୟସଭା ପ୍ରାର୍ଥୀ ମନୋନୟନ କ୍ଷେତ୍ରରେ ମୁଖିଆଙ୍କ ଘୋଷଣା ଅପ୍ରତ୍ୟାଶିତ ହୋଇପାରେ। କାରଣ କିଛି ବର୍ଷ ପୂର୍ବରୁ ଆଦୌ ଦୌଡ଼ ବା ଚର୍ଚ୍ଚାରେ ନଥିବା ନେତା ବି ରାଜ୍ୟସଭା ସାଂସଦ ପଦ ମଣ୍ଡନ କରିସାରିଛନ୍ତି। ଅବଶ୍ୟ ଏବେ ଦୁଇ ଦୁଇଟି ନିର୍ବାଚନରେ ଜିତିବା ପରେ ବିଜେଡି ଅଧିକ ଆତ୍ମବିଶ୍ୱାସୀ ହୋଇଛି। ତଥାପି ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ବାକି ଥିବାରୁ ବର୍ତ୍ତମାନ ଦଳର ସୁପ୍ରିମୋ କୌଣସି ବର୍ଗର ନେତାଙ୍କୁ କେବେ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାର୍ହି।

Comments are closed.