ଜୁଲାଇ ୫ରେ ୩ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ବର : ଓଡ଼ିଶାର ସମୁଦାୟ ୩ଟି ଆସନ ସମେତ ବିହାରର ଗୋଟିଏ ଏବଂ ଗୁଜୁରାଟର ଦୁଇଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଲୋକସଭା ନିର୍ବାଚନ ପରେ ଖାଲି ପଡ଼ିଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ମଧ୍ୟରୁ ଭାରତୀୟ ନିର୍ବାଚନ ଆୟୋଗ ୩ଟି ଆସନ ପାଇଁ ଉପନିର୍ବାଚନ ତିଥି ଘୋଷଣା କରିଛନ୍ତି। ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଓଡ଼ିଶା ରାଜ୍ୟ ବିଧାନସଭାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପକେଶରୀ ଦେବ ନିର୍ବାଚିତ ହେବାପରେ ରାଜ୍ୟସଭାରେ ଖାଲି ପଡ଼ିଥିବା ଏହି ୩ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ ଚଳିତ ମାସ ଜୁନ୍‌s ୧୮ରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଜୁନ ୨୫ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ, ଜୁନ ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଆବଶ୍ୟକ ପଡ଼ିଲେ ଜୁଲାଇ ୫ରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଏବଂ ସଂଧ୍ୟା ୫ଟାରେ ଭୋଟ ଗଣତି ଅନୁଷ୍ଠିତ ହେବ। ଜୁଲାଇ ୯ ସୁଦ୍ଧା ରାଜ୍ୟସଭା ଉପନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ତେବେ ପ୍ରତ୍ୟେକ ଖାଲି ସାଂସଦ ପଦ ପାଇଁ ଅଲଗା ଭାବେ ଉପନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ଚଳିତ ମାସ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବିଜ୍ଞପ୍ତି ପ୍ରକାଶ କରିବେ। ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ନିର୍ବାଚନ ହେବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇ ଥିବାବେଳେ ସିଇଓଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଏହା ଚୂଡ଼ାନ୍ତ ହୋଇଯିବ।
ପ୍ରକାଶ ଯେ ଅଚ୍ୟୁତାନନ୍ଦ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ୩ ଅପ୍ରେଲ ୨୦୨୪ ଓ ପ୍ରତାପ କେଶରୀ ଦେବଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ବାକି ରହିଥିଲା। ଅନୁଭବ ମହାନ୍ତିଙ୍କ ବକେୟା କାର୍ଯ୍ୟକାଳ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇ ନାହିଁ। ଉଭୟ ସୌମ୍ୟରଞ୍ଜନ ଖଣ୍ଡପଡ଼ା ଓ ପ୍ରତାପଦେବ ଆଳି ବିଧାନସଭା ଆସନରୁ ନିକଟରେ ନିର୍ବାଚିତ ହୋଇଛନ୍ତି। ଅଚ୍ୟୁତ କନ୍ଧମାଳ ଓ ଅନୁଭବ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତି ସାଂସଦ ହୋଇଛନ୍ତି। ତେବେ ୨ ନବନିର୍ବାଚିତ ବିଧାୟକ ଓ ୨ ସାଂସଦ ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ୩ଟି ଆସନ ଲାଗି ଉପନିର୍ବାଚନ କରାଯିବ। ପ୍ରତାପ ଦେବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁଲାଇ ପହିଲା ୨୦୨୨ରେ ଶେଷ ହୋଇଥାନ୍ତା। ତାଙ୍କର ଆଉ ୩ ବର୍ଷ କାର୍ଯ୍ୟକାଳ ଥିଲା। ସେହିଭଳି ସୌମ୍ୟରଞ୍ଜନ ଓ ଅଚ୍ୟୁତଙ୍କ ରାଜ୍ୟସଭା କାର୍ଯ୍ୟକାଳ ୩ ଏପ୍ରିଲ ୨୦୨୪ରେ ଶେଷ ହୋଇଥାନ୍ତା ଅର୍ଥାତ୍ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥିଲା। ଏହି ୩ଟି ପଦରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିବାବେଳେ ଅନୁଭବଙ୍କ ବାକିଆ କାର୍ଯ୍ୟକାଳ ଲାଗି ଉପନିର୍ବାଚନ ଲାଗି କୌଣସି ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ, ବିଜେଡିର ଅନୁଭବ ମହାନ୍ତି, ନରେନ୍ଦ୍ରକୁମାର ସ୍ବାଇଁ, ସରୋଜିନୀ ହେମ୍ବ୍ରମ୍‌ ଓ ଅନଙ୍ଗଉଦୟ ସିଂହଦେଓ ସମେତ କଂଗ୍ରେସର ରଞ୍ଜୀବ ବିଶ୍ବାଳଙ୍କର କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୦ରେ ଶେଷ ହେଉଛି। ସେହିଭଳି ବିଜେଡିର ପ୍ରସନ୍ନକୁମାର ଆଚାର୍ଯ୍ୟ, ଏନ.ଭାସ୍କର ରାଓ, ବିଷ୍ଣୁଚରଣ ଦାସଙ୍କର ଜୁଲାଇ ପହିଲା ୨୦୨୨ରେ ଏବଂ ୩ ଏପ୍ରିଲ ୨୦୨୪ରେ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ। ୨ ଏପ୍ରିଲ ୨୦୨୦ରେ ଓଡ଼ିଶାର ୪ଟି ରାଜ୍ୟସଭା ପଦ ଖାଲି ହେଉଥିବାରୁ ଏକକାଳୀନ ଏହିସବୁ ଆସନ ଲାଗି ଭୋଟ କରାଯାଇପାରେ।
ସୂଚନାଯୋଗ୍ୟ, ସଂପ୍ରତି ଓଡ଼ିଶାରେ ଶାସକ ବିଜେଡି ପାଖରେ ଯେତିକି ବିଧାୟକ ରହିଛନ୍ତି ତାହାକୁ ଦେଖିଲେ ଦଳ ୩ଟି ଯାକ ରାଜ୍ୟସଭା ଆସନରେ ବିଜୟୀ ହେବା ସହଜ ହେବ।
ଓଡ଼ିଶା ବିଧାନସଭାରେ ସମୁଦାୟ ୧୪୬ଟି ଆସନ ମଧ୍ୟରୁ ବିଜେଡିର ୧୧୧, ବିଜେପିର ୨୩, କଂଗ୍ରେସର ୯, ଜଣେ ଲେଖାଏଁ ସିପିଏମ୍ ଓ ସ୍ୱାଧୀନ ବିଧାୟକ ଅଛନ୍ତି। ଆସନ ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ରାଜ୍ୟସଭା ଆସନରେ ଦଳୀୟ ମନୋନୀତ ପ୍ରାର୍ଥୀଙ୍କୁ ଜିତାଇବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ ନାହିଁ। ପ୍ରଥମ ପସନ୍ଦ ଭୋଟ ୪୯ ଥିବାବେଳେ ବିଜେଡି ଦ୍ୱିତୀୟ ପସନ୍ଦର ଭୋଟରେ ନିଜର ତୃତୀୟ ପ୍ରାର୍ଥୀଙ୍କୁ ସହଜରେ ଜିତାଇ ପାରିବ। ତୃତୀୟ ପ୍ରାର୍ଥୀ ପାଇଁ ବିଜେପି କିମ୍ବା କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ। ତେବେ ବିଜେଡିକୁ ଯେତେସଂଖ୍ୟାରେ ଅନ୍ୟଦଳରୁ ନେତା ଆସିଛନ୍ତି ଓ ଖୋଦ୍ ବିଜେଡିରେ ଯେଭଳି ପୁରୁଣା ଓ ନୂଆନେତାଙ୍କ ସଂଖ୍ୟା ବଢିଛି ସମସ୍ତଙ୍କୁ ରାଜ୍ୟସଭା ଜରିଆରେ ଥଇଥାନ କରାଯିବା ସମ୍ଭବ ନୁହେଁ। କେତେକଙ୍କୁ ରାଜ୍ୟସଭାକୁ ପଠାଯିବା ନେଇ ପୂର୍ବରୁ ଆଶ୍ବାସନା ଦିଆଯାଇଥିବାରୁ ସେହି ଦୃଷ୍ଟିରୁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବା ସ୍ବାଭାବିକ। ତେବେ ଦଳର ସୁପ୍ରିମୋ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବତନ ଭୁବନେଶ୍ବର ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ଭୁବନେଶ୍ବର ଲୋକସଭା ଆସନର ପରାଜିତ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ହୋଇଆସୁଛି।

Comments are closed.