୧୮ ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ : କରୋନା ଜନିତ ଲକଡାଉନ ଯୋଗୁ ହୋଇପାରି ନଥିବା ରାଜ୍ୟସଭା ନିର୍ବାଚନ ଜୁନ ୧୯ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ଖାଲିଥିବା ୧୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବାକୁ ଥିବା ବେଳେ କଟକଣା ପାଇଁ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ୪ଟି ଲେଖାଏଁ ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୩ଟି ଲେଖାଏଁ ଆସନରେ ନିର୍ବାଚନ ହେବ। ତା’ଛଡା ଝାଡଖଣ୍ଡରେ ୨ଟି ଆସନ ସହ ମଣିପୁର ଓ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଜୁନ ୧୯ରେ ନିର୍ବାଚନ ହେବା ପରେ ସେହି ଦିନ ଭୋଟ ଗଣତି ହେବ। ଏହି ନିର୍ବାଚନ ବେଳେ କୋଭିଡ-୧୯ର କଟକଣା ପାଳନ କରାଯିବ। ସଂପୃକ୍ତ ରାଜ୍ୟର ମୁଖ୍ୟସଚିବ ଏସବୁ ଦେଖିବେ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ୫୫ ରାଜ୍ୟସଭା ଆସନ ଖାଲି ହୋଇଥିଲା। ଯେଉଁଥିରୁ ୩୭ଟି ଆସନରେ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥଲେ। ସେମାନଙ୍କ ଶପଥଗ୍ରହଣ ଉତ୍ସବ ଏ ଯାଏ ହୋଇ ନଥିବା ଜଣାପଡିଛି।

Comments are closed.