ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ; କେଉଁ ଦଳ କାହାକୁ କରିବେ ସମର୍ଥନ

0

ନୂଆଦିଲ୍ଲୀ: ଗୁରୁବାର ସକାଳ ୧୧ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିପକ୍ଷ ଦଳର ପ୍ରତ୍ୟାଶୀ ଭାବେ କଂଗ୍ରେସ ବରିଷ୍ଠ ନେତା ବିକେ ହରିପ୍ରସାଦ ନାମାଙ୍କନ ଦାଖଲ କରିଛନ୍ତି।
ଏହାପରେ ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ମୁଖ୍ୟତଃ କଂଗ୍ରେସର ବରିଷ୍ଠ ନେତା ବିକେ ହରିପ୍ରସାଦ ଓ ଏନଡିଏର ହରିବଂଶଙ୍କ ମଧ୍ୟରେ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ପରିସ୍ଥିତିକୁ ତର୍ଜମା କଲେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଜେଡିୟୁ ସାଂସଦ ହରିବଂଶ ସିଂହ ଏନଡିଏ ପ୍ରାର୍ଥୀ ଭାବେ ଉପସଭାପତି ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଏଥି ନିମନ୍ତେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏନଡିଏ ସମର୍ଥିତ ସମସ୍ତ ରାଜନୈତିକ ମୁଖିଆଙ୍କୁ ଫୋନ କରି ସମର୍ଥନ ମାଗିଛନ୍ତି। ଅପରପକ୍ଷରେ ବିକେ ହରିପ୍ରସାଦ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ରାହୁଳ ଗାନ୍ଧିଙ୍କ ନିକଟତମ ଭାବେ ତାଙ୍କ ପ୍ରଭାବ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ରହିଛି।
ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ପି ଜେ କୁରିୟନଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ସମାପ୍ତ ହୋଇଯାଇଛି। ୨୪୫ସଦସ୍ୟଙ୍କ ମଧ୍ୟରୁ ଏବେ ରାଜ୍ୟସଭାରେ ୨୪୪ଜଣ ସଦସ୍ୟ ରହିଛନ୍ତି। ଗୋଟିଏ ଆସନ ଖାଲି ରହିଛି। ୨୪୪ସଦସ୍ୟ ବିଶିଷ୍ଟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେବାକୁ ହେଲେ ୧୨୩ଟି ଭୋଟର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ଉଭୟ ଏନଡିଏ ଓ ୟୁପିଏ ଉଭୟଙ୍କ ପାଖରେ ବହୁମତଠାରୁ ବହୁତ କମ୍‍ ସମର୍ଥନ ରହିଛି।
ରାଜ୍ୟସଭାରେ ଉପାଧ୍ୟକ୍ଷ ପଦରେ ବିଜୟୀ ହେବାକୁ ହେଲେ ଏଆଇଡିଏମକେ, ବିଜେଡ଼ି, ଟିଆରଏସ, ପିଡିପିଙ୍କ ସମେତ ନିର୍ଦଳୀୟ ପ୍ରାର୍ଥୀଙ୍କ ସମର୍ଥନ ଗୂରୁତ୍ୱପୂର୍ଣ୍ଣ। ଉଭୟ ଏନଡିଏ ଓ ୟୁପିଏ ପକ୍ଷରୁ ଉପରୋକ୍ତ ଦଳର ସମର୍ଥନ ହାସଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି।
ଏଆଇଡିଏମକେର ୧୩, ବିଜେଡିର ୯, ଇଣ୍ଡିଆନ ନ୍ୟାସନାଲ ଲୋକଦଳର ୧, ପିଡିପିର ୨, ଟିଆରଏସର ୬, ୱାଇଏସଆର କଂଗ୍ରେସର ୨ ଓ ଆମ ଆଦମୀ ପାର୍ଟୀର ୩ ସଦସ୍ୟ ଏହି ଚୟନ ପ୍ରକ୍ରିୟାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
ଏନଡିଏ କେନ୍ଦ୍ରରେ ସରକାର କରିଥିଲେ ମଧ୍ୟ ରାଜ୍ୟସଭାରେ ମାତ୍ର ୯୯ଜଣ ସାଂସଦଙ୍କ ସମର୍ଥନ ତାଙ୍କ ପାଖରେ ରହିଛି। ବିଜେପିର ୭୩, ଶିବସେନାର ୩, ବୋଡ଼ା ପିପୁଲ୍ସ ଫ୍ରଣ୍ଟର ୧, ଜେଡିୟୁର ୬, ଆରପିଆଇ(ଏ)ର ୧, ଶିରୋମଣୀ ଅକାଳୀ ଦଳର ୩, ସିକିମ ଡେମୋକ୍ରାଟିକ ଫ୍ରଣ୍ଟର ୧, ନାମାଙ୍କିତ ୪ ସଦସ୍ୟଙ୍କ ସମେତ ନିର୍ଦଳୀୟ ୬ଜଣ ସଦସ୍ୟ ରହିଛନ୍ତି।
ସରକାରୀ ଦଳ ଅପେକ୍ଷା ବିପକ୍ଷ ପାଖରେ ଅଧିକ ସଂଖ୍ୟକ ସାଂସଦ ରହିଛନ୍ତି। ୟୁପିଏ ପାଖରେ ୧୦୯ଜଣ ସାଂସଦଙ୍କ ସମର୍ଥନ ରହିଛି। କଂଗ୍ରେସ ୫୦, ବିଏସପି ୪, ଟିଏମସି ୧୩, ସିପିଆଇ ୨, ସିପିଏମ ୫, ଡିଏମକେ ୪, ଇଣ୍ଡିଆନ ମୁସଲିମ ଲିଗ୍‍ ୧, ଜେଡିଏସ ୧, କେରଳ କଂଗ୍ରେସ ୧, ଏନସିପି ୪, ଆରଜେଡି ୫, ଏସପି ୧୩, ଟିଡିପିର ୬ସାଂସଦ ରହିଛନ୍ତି।
ବିପକ୍ଷ ଦ୍ୱାରା ମୋଦୀ ସରକାରଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ସମୟରେ ଏଆଇଡିଏମକେ ଏନଡିଏକୁ ସମର୍ଥନ କରିଥିଲା। ତେଣୁ ଉପସଭାପତି ନିର୍ବାଚନରେ ମଧ୍ୟ ଏଆଇଡିଏମକେର ସମର୍ଥନ ଏନଡିଏ ଆଡ଼କୁ ଆସିବାର ସମ୍ଭାବନା ରହିଛି। ଯଦି ଏପରି ହୁଏ ତେବେ ଏନଡିଏକୁ ୧୧୨ଟି ଭୋଟ ମିଳିଯିବ। କିନ୍ତୁ ଏଆଇଡିଏମକେ ପକ୍ଷରୁ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏକୁ ସମର୍ଥନ କରିଥିଲା, ପୁଣି ଉପ-ରାଷ୍ଟ୍ରପତି ନିର୍ବାଚନରେ ୟୁପିଏକୁ ସମର୍ଥନ କରିଥିଲା। ଅବିଶ୍ୱାସ ପ୍ରସ୍ତାବ ସମୟରେ ବିଜେଡ଼ି ଗୃହ ବାହାରେ ରହିଥିଲା। ଏଭଳି କ୍ଷେତ୍ରରେ ରାଜ୍ୟସଭା ଉପସଭାପତି ଚୟନ ପ୍ରକ୍ରିୟାରେ ଦଳ ସୁପ୍ରିମୋ କେଉଁ ରଣନୀତି ଗ୍ରହଣ କରିବେ ଏହା ରାଜନୈତିକ ସମୀକ୍ଷକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷରେ ଓଡ଼ିଶାରେ ବିଜେଡି ଓ ବିଜେପିର ଆଭିମୁଖ୍ୟକୁ  ତର୍ଜମା କଲେ ଆଗାମୀ ଦିନରେ ଏନଡିଏ ସମର୍ଥନରେ ବିଜେଡି ଛିଡ଼ା ହେବାକୁ ନେଇ ଆଶଙ୍କା ଦେଖା ଦେଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ କରି ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି। ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୁଧବାର ଏନଡିଏ ପ୍ରାର୍ଥୀ ହରିବଂଶ ସଂସଦ ମଧ୍ୟରେ ସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଯାଇ ସଂସଦଙ୍କ ସହ ଆଲୋଚନା କରିବା ସହ ସମର୍ଥନ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ। ତେବେ ଶ୍ରୀ ଆଜାଦଙ୍କୁ ଦଳ ସୁପ୍ରିମୋ କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି। ଏଭଳି ପରିସ୍ଥିତିରେ ଯଦି ବିଜେଡିର ସମର୍ଥନ ମିଳେ ତେବେ ଏନଡିଏ ପ୍ରାର୍ଥୀଙ୍କ ଭୋଟ ୧୨୧ରେ ପହଞ୍ଚି ଯାଉଛି।
ଅନୁରୂପ ପରିସ୍ଥିତି ଟିଆରଏସରେ ମଧ୍ୟ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ୟୁପିଏ ସମର୍ଥନରେ ଟିଆରଏସ ଥିରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଛିଡ଼ା ହୋଇଥିବାରୁ ଏହାକୁ ନେଇ ଟିଆରଏସ ବିରୋଧ କରିବାର ସମ୍ଭାବନା ରହିଛି। ତେଲେଙ୍ଗାନାରେ ଟିଆରଏସ ଓ କଂଗ୍ରେସ ମୁହାଁମୁହିଁ ଲଢେଇରେ ଓହ୍ଲାଇଛନ୍ତି। ଏଭଳି କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଅପେକ୍ଷା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଉଚିତ ମଣିପାରେ ଦଳ। ସେହିପରି ଆମ ଆଦମୀ ପାର୍ଟି ଓ ପିଡିପି ଏନଡିଏ ସମର୍ଥନ କରିବା ଏକ ପ୍ରକାର ଅସମ୍ଭବ। କାରଣ କାଶ୍ମୀରରେ ପିଡିପି ଓ ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ପ୍ରମୁଖ ପ୍ରତିନ୍ଦ୍ୱନ୍ଦ୍ବୀ ତାଲିକାର ଶୀର୍ଷରେ ବିଜେପି ରହିଛି।

Leave A Reply