ଗୁଜବରେ ବିଶ୍ୱାସ ନ କରି ସତର୍କତା ମୂଳକ ଅଭ୍ୟାସ ପାଇଁ ସାଂସଦମାନେ ପରାମର୍ଶ ଦିଅନ୍ତୁ : ଭେଙ୍କୟା ନାଇଡୁ

ରାଜ୍ୟସଭାରେ କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗକୁ ନେଇ ସୋମବାର ରାଜ୍ୟସଭାରେ ଆଲୋଚନା ହୋଇଛି। ସଦସ୍ୟମାନଙ୍କର ଉଦବେଗରେ ପ୍ରତିକ୍ରିୟା ପ୍ରକାଶ କରି ଅଧ୍ୟକ୍ଷ ଏମ୍‍. ଭେଙ୍କୟା ନାଇଡୁ ଗୁଜବରେ ବିଶ୍ୱାସ ନ କରି ସତର୍କତା ମୂଳକ ଅଭ୍ୟାସ ଆପଣେଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ବିପତ୍ତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ସଂସ୍ଥା ଓ ରେଳବାଇ ଟିକଟ ବାତିଲ ଫି ଛାଡ଼ କରିବା ପାଇଁ ସିପିଆଇଏମ୍‍ର ଜଣେ ସଦସ୍ୟ ଗୃହରେ ସରକାରଙ୍କୁ କହିଛନ୍ତି।

ଆଜି ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ଏଲାମାରାନ କରିମ୍‍ କରୋନା ଭୂତାଣୁ ବ୍ୟାପିବାକୁ ନେଇ ଉଦବେଗ ପ୍ରକାଶ କରିବା ସହ କରୋନା ଜନସାଧାରଣଙ୍କ ସ୍ୱାଭାବିକ ଜୀବନଯାତ୍ରାକୁ ବହୁମାତ୍ରାରେ ବ୍ୟାହତ କରିଛି ବୋଲି କହିଛନ୍ତି। ଏହି ପ୍ରସଙ୍ଗ ନେଇ ପ୍ରତିକ୍ରିୟାରେ ଅଧ୍ୟକ୍ଷ ଏମ୍‍. ଭେଙ୍କୟା ନାଇଡୁ ଏହା ବିଚାର ଯୋଗ୍ୟ ବୋଲି ମତ ଦେଇଛନ୍ତି। ଏହି ପରାମର୍ଶର ତର୍ଜମା ପାଇଁ ସେ ସରକାରଙ୍କୁ କହିଛନ୍ତି। ଇତିମଧ୍ୟରେ ରାଜ୍ୟସଭାର ବହୁ ସଦସ୍ୟ ଆଜି କରୋନା ଭୂତାଣୁ ବ୍ୟାପିବାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହାକୁ ନିୟନ୍ତ୍ରିତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ମୁଲତବୀ କରିଦବା ପାଇଁ ଏଆଇଏଡିଏମକେ ସଦସ୍ୟ ଏସ୍‍.ଆର୍‍. ବାଲସୁବ୍ରମନ୍ୟନ୍‍ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରସଙ୍ଗ ଉତ୍ଥାପନ କରି ଆଇ.ପି.ଏଲ୍‍. ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବା ପାଇଁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ତୃଣମୂଳ କଂଗ୍ରେସ ସଦସ୍ୟ ଡେରିକ୍‍ ଓବ୍ରାଇନ୍‍ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାଂସଦମାନେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି।

ବିଜେଡ଼ି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ବ୍ୟାଙ୍କ୍‍ ଏଟିଏମ୍‍ ଗୁଡ଼ିକର ବିଶୋଧନ କରାଯିବା ସହିତ ବିମାନ ବନ୍ଦରର ଘରୋଇ ଟର୍ମିନାଲ୍‍ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଭୂତାଣୁ ଯାଞ୍ଚ କେନ୍ଦ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଜେପିର ଡକ୍ଟର ବିକାଶ ମହାତ୍ମେ ଗୁଜବକୁ ନେଇ ସତର୍କ ରହିବାକୁ ମତ ଦେଇଛନ୍ତି। ସେ କହିଛନ୍ତି, କୁକୁଡ଼ା ମାଂସ ଖାଇବା ଦ୍ୱାରା ଭୂତାଣୁ ବ୍ୟାପିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି।

Comments are closed.