୮ ଦିନ ପୂର୍ବରୁ ଆଜି ରାଜ୍ୟସଭା ମୌସୁମୀ ଅଧିବେଶନ ଶେଷ

- ଲୋକସଭା ଅଧିବେଶନ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ସମ୍ଭାବନା

କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନର ନିର୍ଦ୍ଧାରିତ ସମୟର ଆଠ ଦିନ ପୂର୍ବରୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଅକ୍ଟୋବର ୧ ରେ ଶେଷ ହେବାର ଥିଲା। ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍‍ କହିଛନ୍ତି, ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଛନ୍ତି ଯେ ୧୦ ଦିନିଆ ଅଧିବେଶନରେ ୨୫ ଟି ବିଲ୍ ପାରିତ ହୋଇଛି ଏବଂ ୬ ଟି ବିଲ ଗୃହରେ ଉପସ୍ଥାପିତ ହୋଇଛି।

ସେ କହିଛନ୍ତି, ଚଳିତ ଅଧିବେଶନରେ ରାଜ୍ୟସଭାର କାର୍ଯ୍ୟଧାରା ଶତ ପ୍ରତିଶତରୁ ଅଧିକ ଥିଲା। ରବିବାର ଦିନ ଦୁଇଟି କୃଷି ବିଲ୍ ପାସ୍ ହେବା ସମୟରେ ଘଟିଥିବା ଘଟଣା ସମ୍ପର୍କରେ ଅଧ୍ୟକ୍ଷ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ ଭବିଷ୍ୟତରେ ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ। ସେ କହିଛନ୍ତି, ଉପାୟ ବାହାର କରିବା ପୂର୍ବରୁ ସଦସ୍ୟମାନେ ସେମାନଙ୍କର ତ୍ରୁଟି ଅନୁଭବ କରିବା ଉଚିତ୍। ଏଭଳି ସଂକଟମୟ ସମୟରେ ଅଧିବେଶନରେ ଯୋଗ ଦେଇଥିବାରୁ ସେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ମହାମାରୀ ବିରୋଧରେ ଲଢେଇ କରୁଥିବା ଯୋଦ୍ଧାମାନଙ୍କ ଭୂମିକାକୁ ଶ୍ରୀ ନାଇଡୁ ପ୍ରଶଂସା କରିଥିଲେ।

ଲୋକସଭା କାର୍ଯ୍ୟଧାରା ସନ୍ଧ୍ୟା ୬ଟା ବେଳେ ଆରମ୍ଭ ହେବ ଓ ଏହା ମଧ୍ୟ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିବାର ଅନୁମାନ କରାଯାଉଛି।

Comments are closed.